କୋରାପୁଟ: ରାତି ପାହିଲେ ହୋଲି । ଭଳି କି ଭଳି ରଙ୍ଗରେ ପରସ୍ପରକୁ ହୋଲି ବୋଳି ଆନନ୍ଦ ମନାଇବେ ସଭିଁଏ । କିନ୍ତୁ ଫଗୁର ଏ ରଙ୍ଗକୁ ନିଜ ବାହ୍ୟ ନେତ୍ରରେ ଦେଖି ପାରୁନଥିବା ଦୃଷ୍ଟିବାଧିତ ଶିଶୁ ମଧ୍ୟ ଏଥର ରଙ୍ଗର ଉତ୍ସବରେ ସାମିଲ ହେବାକୁ ଅଣ୍ଟା ଭିଡିଛନ୍ତି । ତେଣୁ ହୋଲି ଆସିବା ପୂର୍ବରୁ ରଙ୍ଗ ଖେଳି ଖୁସି ଜାହିର କରିଛନ୍ତି କୋରାପୁଟର ଦୃଷ୍ଟିବାଧିତ ସ୍କୁଲର ପିଲାମାନେ ।
ମଙ୍ଗଳବାର ହୋଲି ଖେଳିବାକୁ ଥିବାବେଳେ ଏହା ପୂର୍ବରୁ ଏମାନେ ହୋଲି ଖେଳିଛନ୍ତି । ବିଦ୍ୟାଳୟର ଶିକ୍ଷକ ଫଗୁ ଆଣିବା ପରେ , ପିଲାଙ୍କ ଆନନ୍ଦର ସୀମା କାହିଁ କେତେ ଗୁଣରେ ବଢିଯାଇଥିଲା । ସମ୍ପୂର୍ଣ୍ଣ ରୂପେ ନ ହେଲେ ବି ଆଂଶିକ ଭାବେ ଦେଖି ପାରୁଥିବା ପିଲାମାନେ ନିଜ ପାଖରେ ଭଳି କି ଭଳି ରଙ୍ଗର ଫଗୁକୁ ଦେଖି ଆଉ ଲୋଭ ସମ୍ବରଣ କରିପାରିଲେ ନାହିଁ ।
ନିଜ ନିଜ ଭିତରେ ଟିକେ ଟିକେ ଫଗୁ ଲଗାଇ ଆରମ୍ଭ ହୋଇଥିବା ଖେଳ କିଛି ସମୟ ମଧ୍ୟରେ ହିଁ ଆଉ ଏକ ଛୋଟ ହୋଲି ଭଳି ବ୍ୟାପକ ହୋଇ ଉଠିଥିଲା । ବିଶେଷ କରି ଯେଉଁ ପିଲାମାନେ ଆଦୌ ଦେଖି ପାରୁନାହାଁନ୍ତି, ସେମାନଙ୍କ ମୁଖରେ ଦେଖାଯାଉଥିବା ଆନନ୍ଦ ବିଦ୍ୟାଳୟ ପରିସରକୁ ସୁନ୍ଦର କରିଦେଇଥିଲା । ଆଂଶିକ ଭାବେ ଦେଖିପାରୁଥିବା ବନ୍ଧୁମାନଙ୍କୁ ଯେତେବେଳେ ତାଙ୍କ ଗାଲରେ ଲଗାଇଥିଲେ ସେତେବେଳେ ପରିବେଶ ରୁଚି ପୂର୍ଣ୍ଣ ହୋଇଉଠିଥିଲା ।
ପରସ୍ପର ମଧ୍ୟରେ ଫଗୁର ରଙ୍ଗ ଓ ତାହା ଲଗାଇବା ଦ୍ବାରା ତାଙ୍କର ସୌନ୍ଦର୍ଯ୍ୟ ବୃଦ୍ଧି ହେଉଥିବା କଥା ଜାଣିପାରୁଥିବା ସମ୍ପୂର୍ଣ୍ଣ ଦୃଷ୍ଟିବାଧିତ ଦିବ୍ୟାଙ୍ଗ ଶିଶୁ ନିଜ ଅନ୍ତରର ଚକ୍ଷୁରେ ହୋଲିର ରଙ୍ଗକୁ ଯେ ଦେଖି କରିପାରୁଥିଲେ, ତାହା ସ୍ପଷ୍ଟ ଭାବେ ବାରି ହୋଇଯାଉଥିଲା ।
କୋରାପୁଟରୁ ସିଏଚ. ଶାନ୍ତାକାର, ଇଟିଭି ଭାରତ