କୋରାପୁଟ: ଭୂଦାନ ଆନ୍ଦୋଳନର ପ୍ରଣେତା ତଥା ଜଣେ ସଚ୍ଚା ଗାନ୍ଧିବାଦ ହେଉଛନ୍ତି ବିନୋବା ଭାବେ । ସୋମବାର ସେହି ମହାପୁରୁଷଙ୍କ ଜନ୍ମ ବାର୍ଷିକୀ ଥିଲା । ତେବେ ବିନେବା ଭାବେ ଗାଁଗାଁ ବୁଲି ଭୂମିହୀନଙ୍କ ପାଇଁ ଭୂମିଦାନ କରିବାକୁ ସେ ଦେଶବାସୀଙ୍କୁ ନିବେଦନ କରିଥିଲେ । ତେବେ ଏହା ପ୍ରଭାବ ମଧ୍ୟ ଦେଖିବାକୁ ମିଳିଥିଲା ଓଡ଼ିଶାର କୋରାପୁଟ ଜିଲ୍ଲାରେ । ଆଜିର ସମୟରେ ଜଳ, ଜମି ଓ ଜଙ୍ଗଲକୁ ନେଇ ସାଧାରଣ ଆଦିବାସୀଙ୍କ ଆନ୍ଦୋଳନ ଓ ସରକାରଙ୍କ ସହଯୋଗରେ ଖଣି ଉତ୍ତୋଳନକାରୀ କମ୍ପାନୀଙ୍କ ଦ୍ବାରା ଖଣି ଖନନ ଚାଲିଛି ବେଳେ 1955 ମସିହାରେ ଆଚାର୍ଯ୍ୟ ବିନୋବା ଭାବେ କୋରାପୁଟ ସର୍କିଟ ହାଉସ ଠାରେ ଦେଇଥିବା "ପାଣି ପବନ ଆକାଶ ପରି ଭୂମି ମଧ୍ୟ ସବୁରି" ଏହି ଉକ୍ତି ଆଜି ମଧ୍ୟ ସେଠାରେ ଲାଗିଥିବା ବିଶାଳ ପଟ୍ଟଚିତ୍ର ସମସ୍ତ କୋରାପୁଟ ଅଞ୍ଚଳରେ ବାସ କରୁଥିବା ସାଧାରଣ ବନବାସୀଙ୍କ ମୌଳିକ ଆବଶ୍ୟକତା ସମ୍ପର୍କରେ ସଚେତନ କରାଇ ଆସୁଛି । ବିନୋବା ଭାବେ ଗ୍ରାମଦାନ ମୂଳକ ଗ୍ରାମଦ୍ୟୋଗ ପ୍ରଧାନ ଅହିଂସାତ୍ମକ କ୍ରାନ୍ତିର ବାର୍ତ୍ତା ପ୍ରଚାର ପାଇଁ ଭାରତ ପଦଯାତ୍ରା ସମୟରେ 29-06-1955 ପରଠୁ 2 ମାସ କାଳ କୋରାପୁଟରେ ରହିଥିବା କୋରାପୁଟ ଅଞ୍ଚଳର ବିଶିଷ୍ଟ ବର୍ଷୀୟାନ ଭୁଦାନ କର୍ମୀ କୃଷ୍ଣ ସିଂ ଜଣାଇଛନ୍ତି ।
ବିନୋବା ଦୁଇ ମାସ ପର୍ଯ୍ୟନ୍ତ କୋରାପୁଟରେ ରହିଥିଲେ । ଏହି ସମୟ ମଧ୍ୟରେ ଭୂଦାନ ଯଜ୍ଞ କମିଟି କୋରାପୁଟରେ 13,000 ଦାତାଙ୍କଠାରୁ 181 ଗ୍ରାମଦାନ ଏବଂ 78,000 ଏକର ଜମି ପାଇଥିଲେ । କଟକ, ବାଲେଶ୍ବର ଏବଂ ସମ୍ବଲପୁରର ଶତାଧିକ ଭୂଦାନ କର୍ମୀ କୋରାପୁଟରେ କାର୍ଯ୍ୟ କରିଥିଲେ । ଭୂଦାନ ଆନ୍ଦୋଳନ କୋରାପୁଟରେ ବହୁ ଲୋକପ୍ରିୟ ପ୍ରତିକ୍ରିୟା ସୃଷ୍ଟି କରିଥିଲା । କୋରାପୁଟରେ ଚାଲିଥିବା ଭୂଦାନ ଆନ୍ଦୋଳନ ସମଗ୍ର ଦେଶକୁ ପ୍ରେରଣା ଦେଇଥିଲା । ଡୁମୁରି ରିପଦରଠାରେ ଅନୁଷ୍ଠିତ ଏକ ସଭାରେ ବିନୋବା ମନ୍ତବ୍ୟ ଦେଇ କହିଥିଲେ ଯେ, କୋରାପୁଟରେ 2 ଶହ ଗାଁର ଗ୍ରାମବାସୀମାନେ ସେମାନଙ୍କର ସମସ୍ତ ଜମି ଭୂଦାନକୁ ଦାନ କରିଛନ୍ତି ଓ ସେମାନଙ୍କ ଗ୍ରାମରେ କେହି ଭୂମିହୀନ ରହିବେ ନାହିଁ । ବିନୋବା ସଭାକୁ ସମ୍ବୋଧିତ କରି କହିଥିଲେ ଯେ, ଭୂଦାନ ଆନ୍ଦୋଳନର ମୂଳ ଉଦ୍ଦେଶ୍ୟ ହେଉଛି ଜମିରୁ ବ୍ୟକ୍ତିଗତ ମାଲିକାନା ହଟାଇବା । କାକିରିଗୁମାଠାରେ ଏକ ପ୍ରାର୍ଥନା ସଭାରେ ବିନୋବା କୋରାପୁଟରେ ଗ୍ରାମ-ରାଜ୍ୟ ଦେଖିବାକୁ ଚାହାଁନ୍ତି ଏବଂ ବିଶ୍ୱ ଏହାକୁ ଦେଖିବେ ଓ ସମସ୍ତେ ଏହା ଅନୁସରଣ କରିବେ ବୋଲି ସେ ଆଶା କରିଥିଲେ ।
ଏହା ମଧ୍ୟ ପଢ଼ନ୍ତୁ.....ପୂର୍ବତନ ଛାତ୍ରଙ୍କ ପ୍ରୟାସ, ବିଦ୍ୟାଳୟ ପରିସରରେ ପ୍ରତିଷ୍ଠା ହେବ ସୌର ଶକ୍ତି ଓ ପବନ ଶକ୍ତି ଉତ୍ପାଦନ କେନ୍ଦ୍ର
ତେବେ ଅକ୍ଟୋବର 1955ରେ ବିନୋବା ଭାବେ ଓଡ଼ିଶା ଛାଡ଼ିବା ବେଳକୁ ଓଡ଼ିଶାରେ 812 ଗ୍ରାମଦାନ ଗ୍ରାମ ଥିଲା ଯେଉଁଥିରୁ 605ଟି କେବଳ କୋରାପୁଟ ଜିଲ୍ଲାର ଥିଲା । ତେବେ ପରବର୍ତ୍ତୀ ସମୟରେ ଭୂଦାନରେ ଗରିବ ଲୋକଙ୍କୁ ମିଳିଥିବା ଜମିର ମ୍ୟୁଟେସନ ହୋଇପାରିନଥିବା ଯୋଗୁଁ ଏହା ଉପରେ ସେମାନଙ୍କ କୌଣସି ଅଧିକାର ସାବ୍ୟସ୍ତ କରାଯାଇପାରିନଥିଲା । ଫଳ ସ୍ୱରୂପ କୋରାପୁଟ ଜିଲ୍ଲାର ନାରାୟଣପାଟଣା ଓ ବନ୍ଧୁଗାଁ ଅଞ୍ଚଳରେ ଭୂମି ଅଧିକାରକୁ ନେଇ ଐତିହାସିକ ଆନ୍ଦୋଳନ ସଂଗଠିତ ହୋଇଥିଲା । ଭୂଦାନ ସମୟରେ ଗରିବ ଲୋକଙ୍କ ପାଖରେ ପହଞ୍ଚିଥିବା ଭୂମିର ମ୍ୟୁଟେସନ ହୋଇପାରିଥିଲେ କୋରାପୁଟ ଅଞ୍ଚଳରେ ଭୂମି ଅଧିକାର ସମ୍ପର୍କିତ ଅନେକ ସମସ୍ୟାର ସମାଧାନ ହୋଇପାରନ୍ତା ବୋଲି ବରିଷ୍ଠ ଭୁଦାନ କର୍ମୀ କୃଷ୍ଣ ସିଂ ମତ ରଖିଛନ୍ତି ।
ଇଟିଭି ଭାରତ, କୋରାପୁଟ