କୋରାପୁଟ: ଜିଲ୍ଲାର ଆନ୍ଧ୍ର ଓ ଓଡିଶା ମଧ୍ୟରେ ଥିବା କୋଟିଆ ପଞ୍ଚାୟତରେ ଲାଗି ରହିଛି ସୀମା ବିବାଦ । ଏହି ପଞ୍ଚାୟତରେ ଥିବା 21ଟି ଗ୍ରାମ ମଧ୍ୟରୁ ତଳଗଞ୍ଜେଇପଦ ଗ୍ରାମରେ ବିଜୁ ପକ୍କା ଘର ଯୋଜନା ମାଧ୍ୟମରେ ବାସସ୍ଥାନ ଯୋଗାଇଥିଲେ ମଧ୍ୟ ବିଜୁଳୀ ଆଲୋକ ଯୋଗାଇନାହାନ୍ତି ଓଡିଶା ସରକାର । କିନ୍ତୁ ଆନ୍ଧ୍ର ସରକାର ଏମାନଙ୍କ ସମସ୍ୟାକୁ ବୁଝି ଆଲୋକ ଯୋଗାଇ ଦେଇଥିବା ବେଳେ ପୁଣି ବିଜୁଳି ଦେବା ବନ୍ଦ କରିଦେଇଛନ୍ତି । ତଥାପି ଗ୍ରାମବାସୀ ଆନ୍ଧ୍ରପ୍ରଦେଶ ସରକାର ଉପରେ ବିଜୁଳି ଆଲୋକ ପାଇଁ ଆଶାବାନ୍ଧୀ ବସିଛନ୍ତି ।
କୋଟିଆ ପଞ୍ଚାୟତର ତଳଗଞ୍ଜେଇପଦ ଗ୍ରାମରେ ରହୁଥିବା 25ଟି ଅତି ଗରିବ ପରିବାର ପାଇଁ ଓଡିଶା ସରକାର ବିଜୁ ପକ୍କାଘର ନିର୍ମାଣ କରିଛନ୍ତି । ଅନେକ ଦିନ ଧରି ନିର୍ମାଣ ହେଉଥିବା ଏହି ଘରଗୁଡିକୁ ଗତ ଦୁଇମାସ ପୂର୍ବେ ହିତାଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି । ପକ୍କା ଘରେ ରହି ମଧ୍ୟ ବିଜୁଳୀ ଆଲୋକରୁ ବଞ୍ଚିତ ଗ୍ରାମବାସୀ । ବାରମ୍ବାର ଓଡିଶା ସରକାରଙ୍କ ନିକଟରେ ଅଭିଯୋଗ କରିବା ପରେ ମଧ୍ୟ ଏଯାବତ୍ ସେମାନଙ୍କୁ ବିଜୁଳି ଆଲୋକ ମିଳିନାହିଁ ।
କିନ୍ତୁ ଗ୍ରାମବାସୀମାନଙ୍କ ସମସ୍ୟା ସଂପର୍କରେ ଆନ୍ଧ୍ର ସରକାର ଅବଗତ ହୋଇ ବିଜୁଳି ବତୀ ଯୋଗାଇ ଦେବା ପାଇଁ ସହମତି ଦେବା ପରେ ଗ୍ରାମବାସୀମାନେ ନିଜ ଅର୍ଥ ବ୍ୟୟରେ ଗାଁ ପାଖ ଦେଇ ଯାଇଥିବା ଆନ୍ଧ୍ର ବିଜୁଳି ଖୁଣ୍ଟରୁ ତାର ଟାଣି ବିଜୁଳି ସଂଗ୍ରହ କରିଥିଲେ । କିନ୍ତୁ ମାସକ ପରେ ବିଜୁଳି ନିଅଣ୍ଟ ହେଉଥିବା କାରଣ ଦର୍ଶାଇ ଆନ୍ଧ୍ର ସରକାର ବିଜୁଳି ଦେବା ବନ୍ଦ କରିଦେବା ସହିତ ପରେ ଓଡିଶା ସରକାର ମଧ୍ୟ କିଛି ଦିନ ଆଲୋକ ଯୋଗାଇ ପୁଣି ବନ୍ଦ କରି ଦେଇଛନ୍ତି । କିରୋସିନି ବତୀ ଲଗାଇ ଗ୍ରାମବାସୀ ଦିନ କାଟୁଥିବା ବେଳେ ମୋବାଇଲ ଚାର୍ଜ କରିବା ପାଇଁ ପ୍ରତିଦିନ ପାହାଡ ତଳେ ଥିବା ଗ୍ରାମକୁ ଯିବାକୁ ପଡୁଛି ।
ସେପଟେ ପାହାଡିଆ ଅଞ୍ଚଳ ଗ୍ରାମଟିକୁ ଘେରି ରହିଥିବାରୁ ବନ୍ୟଜନ୍ତୁର ଭୟ ରହୁଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଘରକୁ ଟାଣିଥିବା ତାରରେ ପୁନଃ ବିଜୁଳି ଆଲୋକ ଯୋଗାଇ ଦେବା ପାଇଁ ଗ୍ରାମବାସୀ ଆନ୍ଧ୍ର ସରକାରଙ୍କ ନିକଟରେ ଦରଖାସ୍ତ କରୁଥିବା କହିଛନ୍ତି । କୋଟିଆ ପଞ୍ଚାୟତର ଲୋକମାନେ ଉଭୟ ରାଜ୍ୟକୁ ସେବା ଯୋଗାଇବା ଫଳସ୍ବରୂପ ଉଭୟ ରାଜ୍ୟରୁ ଭୋଟର ପରିଚୟ ପତ୍ର, ଅଙ୍ଗନବାଡି ସେବା ପ୍ରଭୃତି ପାଉଥିବା ବେଳେ ତଳ ଗଞ୍ଜେଇପଦର ଏହି 25ଟି ଘର ଦୁଇ ରାଜ୍ୟ ମଧ୍ୟରେ ଚାଲିଥିବା ଦ୍ଵନ୍ଦ ମଧ୍ୟରେ ବିନା ଦୋଷରେ ହନ୍ତସନ୍ତ ହେଉଥିବା ଅଭିଯୋଗ କରିଛନ୍ତି ।
କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ