କୋରାପୁଟ: ଜିନିଷ ବଦଳରେ ଜିନିଷ । ମୁଦ୍ରା ପ୍ରଚଳନର ବହୁ ପୂର୍ବେ ଲୋକେ ନିଜ ଉତ୍ପାଦ ବଦଳରେ ଅନ୍ୟ ଉତ୍ପାଦକଙ୍କ ପାଖରେ ଥିବା ସମପରିମାଣର ଆବଶ୍ୟକୀୟ ଜିନିଷ ନେଇଆସୁଥିଲେ । ଅର୍ଥର ପ୍ରଚଳନ ହେବା ପରେ ଜିନିଷ ବଦଳରେ ଜିନିଷର ପ୍ରଚଳନ ବନ୍ଦ ହୋଇଯାଇଛି କହିଲେ ଅତ୍ୟୁକ୍ତି ହେବନାହିଁ । କିନ୍ତୁ କୋରାପୁଟ ଜିଲ୍ଲା ବୋଇପାରିଗୁଡ଼ା ବ୍ଲକର ଗୁପ୍ତେଶ୍ୱର ପୀଠ ନିକଟ ଜଙ୍ଗଲ ମଧ୍ୟରେ ଥିବା ସିରିବେଡା, ତାଲୁର, ଗାଡାଘାଟ, ଛେଳିପଦର ଭଳି ଉପାନ୍ତ ଅଞ୍ଚଳରେ ଥିବା ଗାଁ ଗୁଡିକରେ ଏବେ ମଧ୍ୟ ଜିନିଷ ବଦଳରେ ଜିନିଷ ଦେବା ନେବାର ପରମ୍ପରା ବଜାୟ ରହିଥିବା ଦେଖାଯାଇଛି ।
ଏଠାରେ ବାସ କରୁଥିବା ଆଦିବାସୀ ପରିବାର ଜଙ୍ଗଲକୁ ଯାଇ ମହୁଲ ଫୁଲକୁ ସଂଗ୍ରହ କରି କିଛି ଦିନ ପରେ ମଦ ତିଆରି କରିବା ପାଇଁ ଘର ବାରଣ୍ଡାରେ ଶୁଖାଇଥାନ୍ତି । ନଚେତ ଘର ପାଖକୁ ଆସୁଥିବା ବୁଲା ବିକାଳିଙ୍କୁ କିଛି ଧାନ, ବିରି, ପନିପରିବା ବଦଳରେ ମହୁଲକୁ ଦେଇଥାନ୍ତି । ବିଶେଷ କରି ପଡୋଶୀ ଛତିଶଗଡର ଜଗଦଲପୁର ନିକଟରୁ ଆସୁଥିବା ବ୍ୟବସାୟୀ ବାଉଁଶ ଚାଙ୍ଗୁଡିରେ ମହୁଲ ବଦଳରେ ସମପରିମାଣର ପନିପରିବା, ଆଳୁ, ପିଆଜ, ଧାନ, ବିରି ଦେଇଥାନ୍ତି । ବଣ ଜଙ୍ଗଲ ମଧ୍ୟରେ ମହୁଲ ଓ ଅନ୍ୟାନ୍ୟ ବନ୍ୟଯାତ ଦ୍ରବ୍ୟ ବଦଳରେ ଏହି ଅଞ୍ଚଳରେ ବସବାସ କରୁଥିବା ଆଦିବାସୀଙ୍କୁ ସେମାନଙ୍କ ଦୈନନ୍ଦିନ ଜୀବନରେ ଆବଶ୍ୟକ ହେଉଥିବା ଖାଦ୍ୟ ପଦାର୍ଥ ପହଞ୍ଚାଇ ଦେଇପାରୁଥିବା ଯୋଗୁଁ ସନ୍ତୋଷ ଲାଭ କରୁଥିବା ପ୍ରକାଶ କରିଛନ୍ତି ।
ପ୍ରକୃତିର ପ୍ରତିଟି ସମ୍ପଦକୁ ଅମୂଲ୍ୟ ଦାନ ଭାବେ ଗ୍ରହଣ କରୁଛନ୍ତି ଏଠାକାର ଆଦିବାସୀ ସମ୍ପ୍ରଦାୟ । ଜଙ୍ଗଲରୁ ସଂଗୃହିତ ପଦାର୍ଥ ଗୁଡିକକୁ ଅର୍ଥ ଆକାରରେ ମୂଲ୍ୟ ଦେବା କିମ୍ବା ଆବଶ୍ୟକ ସମୟରେ ଘର ପାଖେ ମିଳିଯାଉଥିବା ପଦାର୍ଥ ବାସ୍ତବରେ ଲାଭ ଦେଉଛି ନା କ୍ଷତି ସହିବାକୁ ପଡୁଛି ତାହା ଗୁରୁତ୍ଵ ରଖେ ନାହିଁ ବୋଲି ସିରିବେଡା ଗ୍ରାମର ମହାଦେବ ଦୂରୁଆ କହିଛନ୍ତି । ଆଦିବାସୀଙ୍କ ଏହି ସରଳତାର ସୁଯୋଗ ନେଇ ଚତୁର ବ୍ୟବସାୟୀ ଅଧିକ ଲାଭବାନ ହୋଇଉଠୁଥିବା ବିଶିଷ୍ଟ ଗବେଷକ ତଥା ଅବସରପ୍ରାପ୍ତ ଅର୍ଥନୀତି ଅଧ୍ୟାପକ ଜଗବନ୍ଧୁ ସାମଲ ମତବ୍ୟକ୍ତ କରିଛନ୍ତି । ଜିନିଷ ଅଦଳବଦଳ ମାଧ୍ୟମରେ ଆଦିବାସୀଙ୍କ ସରଳତାର ସୁଯୋଗ ନେଇ ଅନେକ ଚତୁର ବ୍ୟବସାୟୀ ଲାଭବାନ ହେଉଛନ୍ତି । ମାତ୍ର ଆବଶ୍ୟକ ସମୟରେ ଘର ପାଖେ ଜିନିଷ ମିଳିଯାଉଥିବାରୁ ଏମାନଙ୍କ ପକ୍ଷେ କ୍ଷତି କୌଣସି ଗୁରୁତ୍ବ ରଖେ ନାହିଁ ବୋଲି କହିଛନ୍ତି ଏମାନେ ।
ଇଟିଭି ଭାରତ, କୋରାପୁଟ