କୋରାପୁଟ: ଜନନୀ ସୁରକ୍ଷା ଯୋଜନାରେ ଆମ୍ବୁଲାନ୍ସ, ବାଇକ ଆମ୍ବୁଲାନ୍ସ ଠାରୁ ଆରମ୍ଭ କରି ମା' ଘର ପର୍ଯ୍ୟନ୍ତ ଭଳିକି ଭଳି ଯୋଜନା ରହିଛି । ତଥାପି ସରୁନି ଜନନୀ ଯନ୍ତ୍ରଣା । ଗର୍ଭବତୀ ମହିଳାଙ୍କୁ ଗ୍ରାମବାସୀ ଷ୍ଟ୍ରେଚରରେ ବୋହି ଆଣୁଥିବା ବେଳେ କନ୍ୟା ସନ୍ତାନ ଜନ୍ମ ନେଇଛି । ଏହି ଘଟଣା କୋରାପୁଟ ଜିଲ୍ଲାର ଅପହଞ୍ଚ ଇଲାକାରେ ସ୍ବାସ୍ଥ୍ୟ ସେବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
କୋରାପୁଟ ବ୍ଲକ ଅନ୍ତର୍ଗତ ହାଟସୁକୁ ପଞ୍ଚାୟତର ମାଳିଗୁଡା ଗ୍ରାମର ରଇଲା ଗୌଡ଼ଙ୍କ ପ୍ରସବ ବେଦନା ହେବାପରେ ପରିବାର ଲୋକେ 108କୁ ଫୋନ କରିଥିଲେ । ଗାଁକୁ ରାସ୍ତା ନଥିବା ଯୋଗୁଁ ଏହି ଆମ୍ବୁଲାନ୍ସଟି ଗାଁଠାରୁ 3 କିଲୋମିଟର ଦୂରରେ ଅଟକି ଯାଇଥିଲା ଫଳରେ ଗ୍ରାମବାସୀ ରଇଲାଙ୍କୁ ଏକ ଷ୍ଟ୍ରେଚରରେ ଗାଁରୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ବୋହି ନେଇଥିଲେ । ତେବେ ଷ୍ଟ୍ରେଚରରେ ଥିବା ବେଳେ ହିଁ ରଇଲା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ ।
ନନ୍ଦପୁର ସ୍ଥିତ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ମା' ଓ ନବଜାତ ଶିଶୁଙ୍କ ସ୍ବାସ୍ଥ୍ୟବସ୍ଥା ଠିକ ଅଛି । ତେବେ ଗାଁ ଗଣ୍ଡାରେ ସ୍ବାସ୍ଥ୍ୟ ସେବା ପହଞ୍ଚାଇବା ପାଇଁ ଆହୁରି ଅନେକ ପଦକ୍ଷେପ ଯେ ନେବାକୁ ହେବ ସେଥିପ୍ରତି ଆଜିର ଏହି ଘଟଣା ଯେ ଦୃଷ୍ଟି ଆକର୍ଷଣ କରିଛି ତାହା ନିଃସନ୍ଦେହ ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ