କୋରାପୁଟ: କୋଟିଆ ବିବାଦ ଥମିବାର ନାଁ ନେଉନାହିଁ । କେତେବଳେ ଆନ୍ଧ୍ର, ଲୋକଙ୍କୁ ଯୋଜନାର ପ୍ରଲୋଭନ ଦେଖାଉଛି ତ କେବେ ଭାଷା ରାଜାନୀତି କରୁଛି । ତେବେ ସୀମାବର୍ତ୍ତୀ ଅଞ୍ଚଳ କୋଟିଆରେ ଆନ୍ଧ୍ରର ଭାଷା ରାଜନୀତିକୁ ନେଇ କୋରାପୁଟରେ ଦେଖାଦେଇଛି ତୀବ୍ର ଅସନ୍ତୋଷ ।
ସାମୁଦ୍ରିକ ବାତ୍ୟା ଗୁଲାବର ମୁକାବିଲାରେ ବ୍ୟସ୍ତ ରହିଛି ଜିଲ୍ଲା ପ୍ରାଶାସନ । ଏ ଭଳି ସମୟରେ କୋଟିଆରେ ଚାଲ ଖେଳିଛି ଆନ୍ଧ୍ର । କୋଟିଆ ପଞ୍ଚାୟତର ଫାଟୁସିନେରୀରେ ଦୁଇଟି ତେଲୁଗୁ ବୋର୍ଡ ଲଗାଇଛି ଆନ୍ଧ୍ର । ସେହିପରି ଗତକାଲି (ମଙ୍ଗଳବାର) ରାତିରେ ନେରେଡିବାଲାସାରେ ଦୁଇଟି ଓଡିଆ ବୋର୍ଡରୁ ଓଡିଆ ଭାଷାକୁ ଲିଭାଇ ଦେଇଛି ଆନ୍ଧ୍ର । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଜିଲ୍ଲାବାସୀ । ଏହାକୁ ନେଇ ଆମ କୋଟିଆ ସଂଗଠନ ଆବାହକ ତଥା ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡ଼ା ଦୃଢ ନିନ୍ଦା କରିଛନ୍ତି ।
ଆମ କୋଟିଆ ସଂଗଠନର ଆବାହକ ତଥା ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡ଼ା ଲିଭାଯାଇଥିବା ବୋର୍ଡ଼ରେ ତୁରନ୍ତ ଓଡ଼ିଆ ଲେଖାର ପୁନରୁଦ୍ଧାର କରିବା ସହ ରାଜ୍ୟ ସରକାର ଆନ୍ଧ୍ର ସରକାରଙ୍କ ନିକଟରେ କଡା ଅଭିଯୋଗ କରିବା ପାଇଁ ଦାବି ଜଣାଇଛନ୍ତି । ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ସିଧାସଳଖ ରାଜ୍ୟ ସରକାଙ୍କୁ ନିନ୍ଦା କରିଛନ୍ତି ।
ରାଜ୍ୟରେ ଆନ୍ଧ୍ର ପ୍ରଦେଶ ଅବାଧରେ ପ୍ରବେଶ କରି ତେଲୁଗୁ ବୋର୍ଡ ଲଗାଉଛି । ଅଜଣା ବ୍ୟକ୍ତିଙ୍କ ଦ୍ଵାରା ଓଡ଼ିଆ ବୋର୍ଡକୁ ଲିଭାଯାଇଥିବା ପରେ ବି ନୀରବ ରହିବା ସରକାରଙ୍କ ଆଭିମୁଖ୍ୟକୁ ଦ୍ବାୟୀ କରିଛନ୍ତି । ସେପଟେ କୋରାପୁଟ ଜିଲ୍ଲାପାଳ ଅବଦଲ ଅକ୍ତର ଏହାକୁ ନେଇ ବିହିତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।
ରାଜ୍ୟ ସରକାର ଆନ୍ଧ୍ର ସରକାରଙ୍କ ନିକଟରେ କଡା ଅଭିଯୋଗ କରିବା ଦରକାର ବୋଲି ଲୋକେ କହିଛନ୍ତି । କୋଟିଆରେ ଆନ୍ଧ୍ର ନିର୍ବାଚନ କରିବା ପରେ ଆରମ୍ଭ କରିଛି ଭାଷା ରାଜନୀତି । ତେବେ ଆଗକୁ ରାଜ୍ୟ ସରକାର କଣ ପଦକ୍ଷେପ ନେଉଛନ୍ତି ତା ଉପରେ ରିହିଛି ନଜର ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ