କୋରାପୁଟ: ଆସନ୍ନ ପ୍ରସବାଙ୍କୁ କୋରାପୁଟ ସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ବେଡ୍ ମିଳିନଥିବା ଅଭିଯୋଗ । ମହିଳାଙ୍କୁ ଡାକ୍ତର ଲେବର ରୁମରୁ ବାହାରିଯିବା ପାଇଁ କହି କେଉଁଆଡ଼େ ଚାଲିଯାଇଥିବା ବେଳେ ହସ୍ପିଟାଲ ପ୍ରଶାସନିକ ଅଧିକାରୀ କବାଟ ବନ୍ଦ କରି ବସିରହିଥିବା ପରିବାର ବର୍ଗ ଅଭିଯୋଗ କରିଛନ୍ତି ।
ସୂଚନା ଅନୁଯାୟୀ, ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପରଜା ବେଡାପଦର ପଞ୍ଚାୟତର ଢେପଗୁଡା ଗାଁର କବିତା ପାତ୍ରଙ୍କ ପ୍ରସବ ବେଦନା ହେବା ଯୋଗୁଁ ଗାଁର ଆଶା ଦିଦି ତାଙ୍କୁ ଦଶମନ୍ତପୁର ଚିକିତ୍ସାକେନ୍ଦ୍ରରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ କୋରାପୁଟ ସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ । ମାତ୍ର ଏଠାକୁ ଆସିବା ପରେ ଆସନ୍ନ ପ୍ରସବା ବେଦନାରେ ଛଟପଟ ହେଉ ଥିବାବେଳେ ଡାକ୍ତର ତଥା ହସ୍ପିଟାଲର ଏପରି ଅଣଦେଖାକୁ ନେଇ ପରିବାର ବର୍ଗ କ୍ଷୋଭ ପ୍ରକାଶ କରିଛନ୍ତି ।
ହସ୍ପିଟାଲର ସଫେଇ କର୍ମଚାରୀଙ୍କ ଅସହଯୋଗ ଆନ୍ଦୋଳନ ଚାଲିଥିବା ଯୋଗୁଁ ଲେବର ରୁମକୁ ସଫା କରାଯାଇ ପାରିନଥିବା କାରଣରୁ ନୂଆ ରୋଗୀଙ୍କୁ ଭର୍ତ୍ତି କରାଯାଉନଥିବା ଜଣାପଡିଛି । ମାତ୍ର ହସ୍ପିଟାଲ କର୍ତ୍ତୃପକ୍ଷ ବିକଳ୍ପ ବ୍ୟବସ୍ଥା ନ କରି ରୋଗୀଙ୍କୁ ଏପରି ଅବସ୍ଥାରେ ଚିକିତ୍ସା ନ କରିବା କେତେଦୂର ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ