କୋରାପୁଟ: ଅମାନିଆ ଘରୋଇ କ୍ଲିନିକ । ଚିକିତ୍ସା ନାଁରେ ରୋଗୀଙ୍କୁ କରୁଛନ୍ତି ଶୋଷଣ । ଏକଥା ଆମେ କହୁନୁ କୋରାପୁଟ ସହରରେ ଥିବା ବିଭିନ୍ନ ଘରୋଇ କ୍ଲିନିକ ବିରୋଧରେ ଅଭିଯୋଗ ଆସିଛି । ଏଭଳି ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଚେଇଁ ଉଠିଛି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ । ଏଣିକି କୌଣସି ଘରୋଇ କ୍ଲିନିକ ରୋଗୀଙ୍କ ଠାରୁ ଅଧିକ ଟଙ୍କା ଯଦି ନିଅନ୍ତି କାର୍ଯ୍ୟାନୁଷ୍ଠାନ ନେବ ସ୍ବାସ୍ଥ୍ୟ ବିଭାଗ । ଏନେଇ କୋରାପୁଟ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଏକ ପତ୍ର ଜାରି କରିଥିବା କୋରାପୁଟ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଅରୁଣ ପାଢ଼ୀ ଜଣାଇଛନ୍ତି ।
![Action will be taken for charge more money from patients in private clinics](https://etvbharatimages.akamaized.net/etvbharat/prod-images/od-kpt-02-clinics-to-declare-charges-viz-7202788_26082022170451_2608f_1661513691_898.jpg)
ସୂଚନା କ୍ରମେ, ଜିଲ୍ଲାର ସମସ୍ତ ଘରୋଇ ସ୍ବାସ୍ଥ୍ୟ କ୍ଲିନିକ ଗୁଡ଼ିକୁ ପଠାଯାଇଥିବା ଏହି ପତ୍ର ଅନୁଯାୟୀ ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ହେଲଥ ସ୍କିମ୍ ଅନୁସାରେ କ୍ଲିନିକ୍ ଗୁଡ଼ିକ ଧାର୍ଯ୍ୟ ମୂଲ୍ୟର ବିବରଣୀ ସମସ୍ତଙ୍କ ସୁବିଧା ହେବା ଭଳି ପ୍ରଦର୍ଶିତ କରିବେ । ଏଥିସହ ସେବା ପାଇଁ ତାଠାରୁ ଅଧିକ ମୂଲ୍ୟ ନେବାକୁ ବାରଣ କରାଯାଇଥିବା ଡାକ୍ତର ପାଢ଼ୀ ସୂଚନା ଦେଇଛନ୍ତି । ତେବେ ଏହି ପତ୍ରକୁ ଘରୋଇ ସ୍ବାସ୍ଥ୍ୟ ପରୀକ୍ଷା କେନ୍ଦ୍ର ପରିଚାଳକ ମଧ୍ୟ ସ୍ଵାଗତ କରିଛନ୍ତି । ଏହି ପତ୍ରରେ ଥିବା ନିର୍ଦ୍ଦେଶ ମୁତାବକ ଧାର୍ଯ୍ୟ ମୂଲ୍ୟରେ ବିବରଣୀକୁ ପ୍ରଦର୍ଶନ କରିବା ସହ ରୋଗୀଙ୍କ ଠାରୁ ସେହି ଅନୁଯାୟୀ ଅର୍ଥ ଗ୍ରହଣ କରିବାକୁ ସେ ଜଣାଇଛନ୍ତି ।
ଇଟିଭି ଭାରତ, କୋରାପୁଟ