କୋରାପୁଟ: ଦେଓମାଳି ପର୍ବତମାଳାର ବୁକୁରେ ରହିଛି ବିଷଲ୍ୟକରଣୀ, ଗଙ୍ଗଶିଉଳି, କୋଚିଲା, ଗୁଡମାରି ଭଳି ଅନେକ ଔଷଧୀୟ ବୃକ୍ଷ । ଯାହା ଗାଁ ଗଣ୍ଡାରେ ଲୋକଙ୍କୁ ବିଭିନ୍ନ ରୋଗରୁ ସୁରକ୍ଷା ପ୍ରଦାନ କରିଥାଏ । ଫଳରେ ଏହାର ନିଜ ଅଞ୍ଚଳର ପାରମ୍ପରିକ ଜ୍ଞାନ କୌଶଳକୁ ଆଧାର କରି ଗାଁଗଣ୍ଡାରେ ଚିକିତ୍ସା କରିଚାଲିଛନ୍ତି ଆୟୁର୍ବେଦିକ ବୈଦ୍ୟ ଓ ଗବେଷକ ହରି ପାଙ୍ଗୀ । ତେବେ କୋରାପୁଟର ଏହି ଅମୂଲ୍ୟ ବିଭବକୁ ଲୋକଲୋଚନକୁ ଆଣିବା ଉଦ୍ଦେଶ୍ୟରେ ସେମିଳିଗୁଡା ବ୍ଲକ ଅନ୍ତର୍ଗତ ଦଳେଇପୁଟ ପଞ୍ଚାୟତର ତେନ୍ତୁଳିଗୁଡା ଗ୍ରାମରେ ହରି ପାଙ୍ଗୀଙ୍କ ପ୍ରୟାସ ଓ ଜିଲ୍ଲା ପ୍ରଶାସନର ସହଯୋଗରେ ଗୁପ୍ତେଶ୍ଵର ଚେରମୁଳି ଔଷଧ ଓ ପାରମ୍ପରିକ ବିଜ୍ଞାନ ଗବେଷଣା କେନ୍ଦ୍ରର ସୃଷ୍ଟି କରାଯାଇଛି ।
ଯେଉଁଥିରେ ଶତାଧିକ ଔଷଧୀୟ ବୃକ୍ଷ ଓ ଗୁଳ୍ମକୁ ସଂରକ୍ଷଣ କରିବାର ପ୍ରୟାସ ଆରମ୍ଭ ହୋଇଛି ବୋଲି କହିଛନ୍ତି ହରି ପାଙ୍ଗୀ । ଏହା ଜନସାଧାରଣଙ୍କ ମଧ୍ୟରେ ଏହି ଅଞ୍ଚଳର ପାରମ୍ପରିକ ଔଷଧୀୟ ସମ୍ପଦ ପ୍ରତି ସଚେତନତା ସୃଷ୍ଟି କରିବା ସହିତ ଜିଲ୍ଲାର ବଣ ଜଙ୍ଗଲରେ ଔଷଧୀୟ ବୃକ୍ଷରାଜିର ପରିମାଣ ବୃଦ୍ଧି କରିବାରେ ସହାୟକ ହେବ ବୋଲି କୋରାପୁଟ ଫାର୍ମର୍ସ ଆସୋସିଏସନର କର୍ମକର୍ତ୍ତା ସତ୍ୟନାରାୟଣ ଚୌଧୁରୀ ମତ ରଖିଛନ୍ତି ।
ତେବେ ନିଜ ବୁଦ୍ଧି ବିଚାରକୁ ଆଧାର କରି ପାଙ୍ଗୀଙ୍କ ସହିତ ଆୟୁଷ ମନ୍ତ୍ରଣାଳୟ ଓ ଅନ୍ୟାନ୍ୟ ମାନ୍ୟତାପ୍ରାପ୍ତ ଗବେଷଣା କେନ୍ଦ୍ର ଗୁଡିକ ତରଫରୁ ବୈଷୟିକ ଜ୍ଞାନ ପ୍ରଦାନ କରାଗଲେ, ଜଙ୍ଗଲ ମଧ୍ୟରେ ଲୁଚି ହଜିଯାଉଥିବା ଔଷଧୀୟ ସମ୍ପଦକୁ ପୁନରୁଦ୍ଧାର କରିପାରିବାରେ ସହାୟକ ହୋଇପାରିବ ବୋଲି ବିଶେଷଜ୍ଞ ମତବ୍ୟକ୍ତ କରିଛନ୍ତି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ