କୋରାପୁଟ: ମୋବାଇଲରେ ଫ୍ରି ଫାୟର ଗେମ୍(free fire) ଖେଳ ବେଳେ ବଚସା ହେବାରୁ ୧୨ ବର୍ଷର ନାବାଳକୁ ହତ୍ୟାକଲା ଆଉ ଜଣେ ନାବାଳକ । କୋରାପୁଟ ଟାଉନ ଥାନା ଅଞ୍ଚଳର ମସିପୁଟ ଗ୍ରାମରେ ଏଭଳି ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି । ଏହି ଘଟଣାକୁ ନେଇ ପୋଲିସ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି । ସୂଚନା ଅନୁଯାୟୀ, ସ୍ଥାନୀୟ ମସିପୁଟ ଗ୍ରାମରେ ଜଣେ ନାବାଳକ ନିଖୋଜ ଥିଲେ । ଆଜି ସକାଳୁ ନାବାଳକର ମୃତଦେହ ଭାଷୁଥିବା ଦେଖି ତାଙ୍କ ବାପା ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଥିଲା ।
ପ୍ରାଥମିକ ତଦନ୍ତରୁ ଏହାଏକ ହତ୍ୟାକାଣ୍ଡ ବୋଲି ଜଣା ପଡ଼ିଥିଲା । ଫ୍ରି ଫାୟର ଗେମ୍ ଖେଳିବା ପରେ ଦୁଇ ସାଙ୍ଗ ମଧ୍ୟରେ ବଚସା ହୋଇଥିଲା । ଏହାପରେ ଏକ ପଥରରେ ନାବାଳକୁ ତାର ନାବାଳକ ସାଙ୍ଗ ହତ୍ୟା କରିଥିଲା । ପରେ ମୃତଦେହକୁ କୋଲାବ ଜଳଭଣ୍ଡାରେ ଫୋପାଡ଼ି ଚାଲିଯାଇଥିବା କୁହାଯାଉଛି । ଏହି ହତ୍ୟାକାଣ୍ଡରେ ଆଉ କେଉଁମାନେ ସାମିଲ ଅଛନ୍ତି ନା ନାହିଁ ସେନେଇ ତଦନ୍ତ ଜାରି ରହିଛି । କୋରାପୁଟ SDPO ଏହି ହତ୍ୟାକାଣ୍ଡର ତଦନ୍ତ କରୁଥିବା କହିଛନ୍ତି କୋରାପୁଟ ପୋଲିସ ଏସ୍ପି ଉତ୍କଳ କେଶରୀ ଦାସ ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ