କୋରାପୁଟ: ସଭିଏଁ ପଢିବେ, ସଭିଏଁ ବଢ଼ିବେ । ଏହି ସ୍ଲୋଗାନରେ ସରକାର ସବୁ ପିଲା ସମାନ ଏବଂ ରାଜ୍ୟ ଯୋଗାଇ ଦେଉଥିବା ସୁବିଧା ପାଇବାରେ ସମସ୍ତଙ୍କ ଅଧିକାର ରହିଥିବା ଜଣାପଡୁଥିଲେ ବି ବାସ୍ତବ ସ୍ଥିତି ପୁରା ଅଲଗା । ପିଲାଙ୍କୁ ବିଦ୍ୟାଳୟକୁ ଆସିବା ପାଇଁ ତଥା ସେମାନଙ୍କ ସର୍ବନିମ୍ନ ପୁଷ୍ଟିକର ଖାଦ୍ୟ ସୁରକ୍ଷା କରିବା ଦିଗରେ ସହଯୋଗ କରିବା ଉଦ୍ଦେଶ୍ୟରେ ସରକାରଙ୍କ ଦ୍ୱାରା ପ୍ରତିଟି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ର ବ୍ୟବସ୍ଥା କରାଯାଇଛି ।
ଭୋଜନ ଯୋଗାଇଦେବା ବେଳେ ପିଲାଟି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ( ଏସ ଏଣ୍ଡ ଏମ୍ଇ ) ନା ଅନୁସୂଚିତ ଜାତି ଓ ଜନଜାତି ବିଭାଗ (ଏସଏସଡି)ଦ୍ୱାରା ପରିଚାଳିତ ବିଦ୍ୟାଳୟରେ ପଢୁଛି , ତାହା ଦେଖାଯାଇନଥିଲା । ଜାତି , ଧର୍ମ ନିର୍ବିଶେଷରେ ସମସ୍ତ ଶିଶୁଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଇଥିଲା । କିନ୍ତୁ କୋରୋନା ଲକଡାଉନ ନିମନ୍ତେ ବିଦ୍ୟାଳୟ ଗୁଡିକୁ ବନ୍ଦ କରିବା ବେଳେ ରାଜ୍ୟ ସରକାରଙ୍କ ବିଚିତ୍ର ନୀତି ସମସ୍ତଙ୍କୁ ଚକିତ କରିଦେଇଛି ।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ 9 କିଲୋ ଲେଖାଏଁ ଚାଉଳ ଦିଆଯାଇଥିବା ବେଳେ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ଵିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ହତାଦର କରି ସେ ତାଲିକାରୁ ବାହାର କରିଦେଇଥିଲେ । ଏହା ଫଳରେ କୋରାପୁଟ ଜିଲ୍ଲାର ପ୍ରାୟ 50 ହଜାର ପିଲା ଏହି ସୁବିଧା ପାଇବାରୁ ବଂଚିତ ହୋଇଗଲେ ।
ଏହି ବୈମାତୃକ ମନୋଭାବ ର କାରଣ ସମ୍ପର୍କରେ ଉତ୍ତର ନା ସରକାର ବା ବିଭାଗୀୟ ଅଧିକାରୀଙ୍କ ପାଖେ ଉପଲବ୍ଧ ଥିଲା । ଚାଉଳ ଯୋଗାଇ ଦେଇ ତାକୁ ରାନ୍ଧିବା ତଥା ତା ସହିତ ମଧ୍ୟାହ୍ନ ଭୋଜନ ରେ ଦିଆଯାଉଥିବା ଡାଲି , ପରିବା ଓ ଜାଳେଣି ଖର୍ଚ ଯୋଗାଇଦେଇନଥିବା ଅଭିଯୋଗ ଜୋର ଧରିବା ପରେ ବର୍ତମାନ ସରକାର ପୁଣିଥରେ ସେ ବାବଦରେ ଅର୍ଥ ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ତେବେ ତାହା ପୁଣିଥରେ ଚାଉଳ ପାଇଥିବା ପିଲାଙ୍କୁ ହିଁ ମିଳିବ ବୋଲି ଜିଲ୍ଲା ଶିକ୍ଷାଅଧିକାରୀ ସୂଚନା ଦେଇଛନ୍ତି । ଅନୁସୂଚିତ ଜାତି ଓ ଜନଜାତି ବିଭାଗ ର ପିଲାଙ୍କୁ ଏହି ସୁବିଧା ଯୋଗାଇଦେବା ପାଇଁ କୌଣସି ନିର୍ଦେଶ ନଥିବା ସେ ଜଣାଇଛନ୍ତି ।
ସରକାରଙ୍କ ଏହିପରି ନିଷ୍ପତ୍ତି ରେ ଛାତ୍ରଛାତ୍ରୀ ତଥା ଅଭିଭାବକ ମର୍ମାହତ ହୋଇ ଉଠିଥିବା ନେଲେ ଶିକ୍ଷାବିତ ସରକାରଙ୍କ ଏପରି ପାତର ଅନ୍ତର ନୀତି ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ଉପରେ କୁଠାରଘାତ କରିଛି ଏବଂ ପିଲାଙ୍କ ପ୍ରତି ଘୋର ଅନ୍ୟାୟ କରିଛି ବୋଲି ମତବ୍ୟକ୍ତ କରିଛନ୍ତି । ଯେଉଁ ପିଲାଙ୍କୁ ଖାଦ୍ୟ ଯୋଗାଇଦେବା ପାଇଁ ଚାଉଳ ଏବଂ ପରବର୍ତୀ ପର୍ଯ୍ୟାୟରେ ଅର୍ଥ ଦେବାର ଯୋଜନା ଜରାଯାଇଛି ସେଥିରେ ମଧ୍ୟ ପିଲାଏ ବାସ୍ତବରେ କେତେଦୂର ଲାଭବାନ ହୋଇଥିବେ ତାହା ଏକ ବିରାଟ ପ୍ରଶ୍ନ ଛିଡା କରିଛି।
ଏପଟେ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ର ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ଏହି ଅର୍ଥ ବା ଚାଉଳ ନଦେଇ ଲକଡାଉନ ସମୟରେ ଆର୍ଥିକ ଅନଟନ ମଧ୍ୟ ଦେଇ ଗତି କରୁଥିବା ଗରିବ ଆଦିବାସୀ ପରିବାରର ପିଲାଙ୍କ ପେଟ ଉପରେ ସରକାର ଲାତ ମାରିବା ସଦୃଶ ହୋଇଛି ବୋଲି ଅବସରପ୍ରାପ୍ତ ଶିକ୍ଷାଧିକାରୀ ଶିବଶଙ୍କର ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି
ତେବେ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ର ପିଲାଙ୍କ ଉପରେ ହୋଇଥିବା ଅବିଚାରର ସମାଧାନ କରିବା ଦିଗରେ ଡିଡବ୍ଲ୍ୟୁଓ ମଧୁଶ୍ମିତା ମହାପାତ୍ର ଜିଲ୍ଲା ଶିକ୍ଷାଅଧିକାରୀଙ୍କ ସହତ ଚର୍ଚ୍ଚା କରି ସମସ୍ତ ପିଲା ଯେପରି ଏକାପ୍ରକାରର ସୁବିଧା ପାଇପାରିବେ ସେ ଦିଗରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
କୋରାପୁଟରୁ ସିଏଚ୍. ଶାନ୍ତାକାର, ଇଟିଭି ଭାରତ