କୋରାପୁଟ: 50 କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ । କୋରାପୁଟ ଜିଲ୍ଲା ଲମତାପୁଟ ମହାଡା ଅଞ୍ଚଳରେ ପ୍ରାୟ 50 କୋଟି ଟଙ୍କାର ଗଞ୍ଜେଇ ଚାଷକୁ ନଷ୍ଟ କରିଛି ପ୍ରଶାସନ । ନନ୍ଦପୁର ଏସଡିପିଓ ସଞ୍ଜୟ କୁମାର ମହାପାତ୍ରଙ୍କ ନେତୃତ୍ବରେ ଅବକାରୀ ବିଭାଗ, ରାଜସ୍ବ ବିଭାଗ ଓ ପୋଲିସ ବିଭାଗର ମିଳିତ ଚଢାଉରେ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି ।
ବେଆଇନ ଭାବେ ଶହ ଶହ ଏକର ଜମିରେ କରାଯାଇଥିବା ଗଞ୍ଜେଇ ଚାଷକୁ ନଷ୍ଟ କରି ନିଆଁରେ ପୋଡି ଦିଆଯାଇଛି । ମହାଡା ଅଞ୍ଚଳ ମାଓ ପ୍ରଭାବିତ ହୋଇଥିବାରୁ ଏହି ସମୟରେ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ଓ ବମ୍ ସ୍କ୍ବାର୍ଡ ମଧ୍ୟ ସାମିଲ କରାଯାଇଥିଲା ।
ମହାଡା ଅଞ୍ଚଳର ପ୍ରାୟ 100 ଏକର ଜମିରୁ 50 କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କରାଯାଇଥିବା ବେଳେ ଆଗକୁ ମଧ୍ୟ ଏହି ଅଭିଯାନ ଜାରି ରହିବ ବୋଲି ନନ୍ଦପୁର ଏସଡିପିଓ ପ୍ରକାଶ କରିଛନ୍ତି । ଏହି ଅଭିଯାନରେ ମାଛକୁଣ୍ଡ ତହସିଲଦାର, ଜିଲ୍ଲା ଅବକାରୀ ବିଭାଗ କର୍ମଚାରୀ ମଧ୍ୟ ସାମିଲ ହୋଇଥିଲେ ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ