କୋରାପୁଟ: ଜିଲ୍ଲାରେ ଶିକ୍ଷକଙ୍କ ଆତ୍ମହତ୍ୟା ମାମଲାରେ 2 ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ସୁନାବେଡା ପୋଲିସ । ଏସଡିପିଓ ନିରଞ୍ଜନ ବେହେରା ସୁନାବେଡା ଥାନାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ।
ସୂଚନାନୁସାରେ, ଗତ କିଛି ଦିନ ପୂର୍ବେ କୋରାପୁଟ ସହରରେ ଚିତ୍ତରଞ୍ଜନ ପଣ୍ଡା ନାମକ ଜଣେ ଶିକ୍ଷକ ଜିଲ୍ଲା ଶିକ୍ଷାଧିକାରୀଙ୍କ ସରକାରୀ ବାସଭବନରେ ଆତ୍ମହତ୍ୟା କରିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ସେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ରହି ବିଭିନ୍ନ ଦାୟିତ୍ବ ସମ୍ପାଦନ କରୁଥିବା ଯୋଗୁଁ ତାଙ୍କ ଆତ୍ମହତ୍ୟା ଶିକ୍ଷକଙ୍କ ମହଲରେ ଚର୍ଚ୍ଚାର ବିଷୟ ପାଲଟିଯାଇଥିଲା । ଚିତ୍ତରଞ୍ଚନ ନିଜ ସୁଇସାଇଡ ନୋଟରେ ତାଙ୍କ କାର୍ଯ୍ୟାଳୟର କିଛି ବ୍ୟକ୍ତିଙ୍କ ସହ ହାତ ମିଶାଇ ବାହାରର କିଛି ବ୍ୟକ୍ତି ତାଙ୍କୁ ମାନସିକ ଚାପ ଦେଉଥିବା ଜଣାଇଥିଲେ । ଏହା ସହ ସେହି 8 ଜଣ ବ୍ୟକ୍ତିଙ୍କ ନାଁ ମଧ୍ୟ ଉଲ୍ଲେଖ କରିଥିଲେ ।
ତେବେ ମାମଲାର ତଦାରଖ ପାଇଁ ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୁଙ୍କ ତତ୍ତ୍ବାବଧାନରେ ସୁନାବେଡା, ଜୟପୁର ସଦର ଓ ସେମିଳିଗୁଡା ଥାନା ଅଧିକାରୀଙ୍କୁ ନେଇ ଏକ ସ୍ବତନ୍ତ୍ର ଦଳ ଗଠନ କରାଯାଇଥିଲା । ଏହି କ୍ରମରେ ଶନିବାର ସମୀର ପାତ୍ର ଓ ଅଭିମନ୍ୟୁ ପ୍ରଧାନ 2 ଜଣକୁ ଗିରଫ କରିଛି ପୋଲିସ । ଏହାସହ ଉଭୟଙ୍କ ମୋବାଇଲ ଫୋନରେ ଏନେଇ ମୃତ ଚିତ୍ତରଞ୍ଜନଙ୍କ ସହ ହୋଇଥିବା କଥାବାର୍ତ୍ତାର ଅନୁଶୀଳନ କରିବା ପରେ ସେମାନେ ତାଙ୍କୁ ମାନସିକ ଅତ୍ୟାଚାର ଦେବା ସହ ତାଙ୍କ ଆତ୍ମହତ୍ୟାର ପ୍ରମୁଖ କାରଣ ସାଜିଥିବା ପୋଲିସ ହୃଦୟଙ୍ଗମ କରିଛି । ତେବେ ଘଟଣା ଦିନ ଠାରୁ ସୁଇସାଇଡ ନୋଟରେ ଲିଖିତ ଥିବା 8 ଜଣ କେଉଁଆଡେ ଚାଲିଯାଇଥିଲେ । ଯାହାର ତଦନ୍ତ କରୁଛିଲା ପୋଲିସ । ମାତ୍ର ସମୀର ପାତ୍ର ଓ ଅଭିମନ୍ୟୁ ପ୍ରଧାନଙ୍କ ମୋବାଇଲ ଫୋନରେ ହୋଇଥିବା ବର୍ତ୍ତମାନର କଥାବାର୍ତ୍ତାକୁ ଆଧାର କରି ପୋଲିସ ସେମାନଙ୍କୁ ଗିରଫ କରିବାରେ ସମର୍ଥ ହୋଇଛି । ଅନ୍ୟ ସମସ୍ତ ଅଭିଯୁକ୍ତଙ୍କୁ ମଧ୍ୟ ଖୁବ ଶୀଘ୍ର ଗିରଫ କରିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।
କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ