କୋରାପୁଟ: ବିଦ୍ୟାଳୟର ଖେଳ ପଡ଼ିଆରେ ଲାଗୁଛି ଅତ୍ୟାଧୁନିକ ଘାସ ଗାଲିଚା । ଲାବ୍ରୋଟୋରୀରେ ଭରି ରହିଛି ବିଜ୍ଞାନ ଉପକରଣ । ପାଠାଗାରରେ ଛାତ୍ରଛାତ୍ରୀଙ୍କ ବସିବା ପାଇଁ ପଡ଼ିଛି ଚକାଚକ ଚୌକି ଓ ଟେବୁଲ । ଶ୍ରେଣୀଗୁହରେ ଶିକ୍ଷାଦାନ ପାଇଁ ଲାଗିଛି ସ୍ମାର୍ଟବୋର୍ଡ । କୌଣସି ବେସରକାରୀ ବିଦ୍ୟାଳୟରେ ନୁହେଁ ବରଂ କୋରାପୁଟ ଜିଲ୍ଲାର 17ଟି ସରକାରୀ ଉଚ୍ଚ ବିଦ୍ୟାଳୟରେ ଏସମସ୍ତ ସୁବିଧା ଦେଖିବାକୁ ମିଳିଛି ।
ରାଜ୍ୟ ସରକାରଙ୍କ 5T ବିଦ୍ୟାଳୟ ରୂପାନ୍ତର କାର୍ଯ୍ୟକ୍ରମରେ ଜିଲ୍ଲାର 17ଟି ସ୍ଥାନରେ ସରକାରୀ ବିଦ୍ୟାଳୟର ରୂପାନ୍ତରଣ ହୋଇଛି । ଦ୍ଵିତୀୟ ପର୍ଯ୍ୟାୟରେ ଆଉ 100ଟି ସରକାରୀ ବିଦ୍ୟାଳୟକୁ ରୂପାନ୍ତରିତ କରିବା ପାଇଁ ଯୋଜନା ରହିଛି । ଏହାକୁ ନେଇ ଜିଲ୍ଲାପାଳ ଅବଦଲ ଅକ୍ତର ସୂଚନା ଦେଇଛନ୍ତି । ଚଳିତ ମାସ 24 ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବିଦ୍ୟାଳୟଗୁଡିକୁ ଲୋକାର୍ପିତ କରିବେ ।
ଏହି ସବୁ ସ୍କୁଲରେ ଉନ୍ନତ ପରିବେଶ ଓ ଆଧୁନିକ ଶିକ୍ଷା ପାଇଁ ଉପକରଣ ପାଇ ଛାତଛାତ୍ରୀ ଉତ୍ସାହିତ ହୋଇ ରହିଛନ୍ତି । ବିଦ୍ୟାଳୟରେ ଏଭଳି ସବୁ ସୁବିଧା ଛାତ୍ରଛାତ୍ରୀଙ୍କ ମଧ୍ୟରେ ପାଠ ପଢିବା ପାଇଁ ଆଗ୍ରହ ସୃଷ୍ଟି କରିବ । ଏଥିପାଇଁ ଶିକ୍ଷକଶିକ୍ଷୟିତ୍ରୀ ମଧ୍ୟ ଅନୁରୂପ ଭାବରେ ଉତ୍ସାହିତ ହୋଇ ରହିଛନ୍ତି । ନିଜ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଉପସ୍ଥାନରେ ବୃଦ୍ଧି ଘଟିଥିବାବେଳେ ସହରର ବେସରକାରୀ ବିଦ୍ୟାଳୟରୁ ଛାତ୍ରଛାତ୍ରୀ ସରକାରୀ ବିଦ୍ୟାଳୟ ଆଡକୁ ମୁହାଁଇବା ଆରମ୍ଭ ହୋଇଥିବା କୋରାପୁଟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ରାଜେନ୍ଦ୍ର ପ୍ରସାଦ ରଥ ଜଣାଇଛନ୍ତି ।
କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ