ଭୁବନେଶ୍ବର: ଆଜି ହେଉଛି ଜିରୋ ଶାଡୋ ଡେ' ବା ଶୂନ୍ୟ ଛାଇ ଦିବସ । ବର୍ଷର ଯେଉଁ ଦିନ ଆମ ଛାଇ ଆମ ସାଥିରେ ରହେ ନାହିଁ ବା ଦୃଶ୍ୟମାନ ହୁଏ ନାହିଁ, ସେହି ଦିନକୁ ଆମେ ଶୂନ୍ୟ ଛାଇ ଦିବସ ବୋଲି କହିଥାଉ । ଆଜି ଭୁବନେଶ୍ବରରେ ପାଳିତ ହୋଇଛି ଶୂନ୍ୟ ଛାଇ ଦିବସ । ଦିନ ୧୧ଟା ୩୪ମିନିଟ ସମୟରେ ପ୍ରାୟ ୨ରୁ ୩ ମିନିଟ ପର୍ଯ୍ୟନ୍ତ ଏହି ଶୂନ୍ୟ ଛାଇ ଦେଖିବାକୁ ମିଳିଛି । ଆଜି ପଠାଣି ସାମନ୍ତ ପ୍ଲାନେଟୋରିୟମ ପକ୍ଷରୁ ଶୂନ୍ୟ ଛାୟା ଦିବସ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ବିଭିନ୍ନ ପ୍ରକାର ଉପକରଣ ସହ ଏହି ସମୟରେ କିଭଳି ଛାଇ ଉଭେଇ ଯିବ ତାହା ପ୍ଲାନେଟୋରିୟମ ପକ୍ଷରୁ ଦର୍ଶା ଯାଇଥିଲା । ତେବେ ଏହି ଶୂନ୍ୟ ଛାଇର ଦୃଶ୍ୟ ଅବଲୋକନ କରିବା ସହ ନୂତନ ଜ୍ଞାନ ଆହରଣ କରିଛନ୍ତି ରାଜଧାନୀର ଛାତ୍ରଛାତ୍ରୀ ।
ଋତୁ ଚକ୍ରର ଏହି ଅନନ୍ୟ ଦୃଶ୍ୟ ଦେଖିବାକୁ ପ୍ଲାନେଟୋରିୟମରେ ଭିଡ ଦେଖିବାକୁ ମିଳିଥିଲା । ଏହି ଶୂନ୍ୟ ଛାଇକୁ ଦେଖିବା ପାଇଁ ପ୍ଲାନେଟାରିୟମ ପକ୍ଷରୁ ବିଭିନ୍ନ ଉପକରଣ ଯେପରିକି କାଚ, ପ୍ଲାଷ୍ଟିକ ଗ୍ଲାସ, ବାଲ୍ଟି ଓ କାଠ ସାମଗ୍ରୀ ଆଦି ଯୋଗାଇ ଦିଆଯାଇଥିଲା । ଏହି ପରୀକ୍ଷଣର ଆକର୍ଷଣ ସାଜିଥିଲା ପିଲାମାନଙ୍କ ଦ୍ବାରା ହୋଇଥିବା ବୃତ୍ତ । ପରସ୍ପର ହାତ ଧରା ଧରି ହେଇ ପିଲାମାନେ ନିଜ ନିଜର ଛାଇକୁ ଦେଖି ବୁଝିଥିଲେ ଶୂନ୍ୟ ଛାଇ ଦିବସର ଅର୍ଥ । ପ୍ଲାନେଟୋରିୟମର ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ ମଧ୍ୟ ସେମାନଙ୍କ ସହ ସାମିଲ ହୋଇ ପିଲାମାନଙ୍କୁ ନିଖୁଣ ଭାବେ ବୁଝାଇଥିଲେ । ଏହି ସମୟରେ ଯେକୌଣସି ବସ୍ତୁର ଛାଇ ସେହି ବସ୍ତୁ ଭିତରେ ହିଁ ରହିଥାଏ । ମୁଣ୍ତ ଉପରେ ରହିଥିବାରୁ ବସ୍ତୁର ଛାଇ ଆସି ନଥାଏ । ତେଣୁ ବୃତ୍ତରେ ଠିଆ ହୋଇଥିବା ପିଲାଙ୍କର କେବଳ ଦୁଇ ପାର୍ଶ୍ଵର ବାହାରିଥିବା ହାତ ହିଁ ଦେଖାଯାଇଥିଲା ।
ତେବେ ଜ୍ୟୋତିର୍ବିଜ୍ଞାନୀଙ୍କ କହିବା ଅନୁସାରେ ବର୍ଷରେ ଦୁଇ ଦିନ, ଦିନ ଦ୍ବିପ୍ରହର ସମୟରେ ଆମ ଛାଇ ଆମ ପଛ ଛାଡିଦିଏ । ବର୍ଷର ଏହି ଦୁଇ ଦିନ ମଧ୍ୟାହ୍ନ ସମୟରେ ସୂର୍ଯ୍ୟ ଠିକ ଆମ ମୁଣ୍ତ ଉପରେ ରହିଥାନ୍ତି । ତେଣୁ ଆମ ଛାଇ ଦେଖା ଯାଇନଥାଏ । ପ୍ରତି ଦିନ ସୂର୍ଯ୍ୟ ଠିକ ପୂର୍ବ ଦିଗରେ ଉଦୟ କିମ୍ବା ପଶ୍ଚିମ ଦିଗରେ ଅସ୍ତ ହୋଇନଥାଏ । କିନ୍ତୁ ବର୍ଷର ୨ ଦିନ ଯେବେ ସୂର୍ଯ୍ୟ ଠିକ ପୂର୍ବ ଓ ପଶ୍ଚିମ ଦିଗରେ ଉଦୟ ଓ ଅସ୍ତ ହୋଇଥାଏ ସେଦିନ ମଧ୍ୟାହ୍ନରେ ସୂର୍ଯ୍ୟ ମୁଣ୍ଡ ଉପରେ ରହିବା ଦ୍ଵାରା ଛାଇ ଦେଖା ଯାଏନାହିଁ । ସବୁ ସମୟରେ ସୂର୍ଯ୍ୟଙ୍କ ବିପରୀତ ଦିଗରେ ଆମର ଛାଇ ସୃଷ୍ଟି ହୁଏ । ସୂର୍ଯ୍ୟ ଦିଗବଳୟର ଯେତେ ନିକଟତର ହୁଏ ଛାଇର ଲମ୍ବ ସେତେ ଅଧିକ ହୋଇଥାଏ । ତେଣୁ ସୂର୍ଯ୍ୟ ମୁଣ୍ଡ ଉପରେ ଥିଲେ ଛାଇଟି ଖୁବ ଛୋଟ ହୋଇଯାଏ ବୋଲି କହିଛନ୍ତି ଜ୍ୟୋତିର୍ବିଜ୍ଞାନୀ । ସେହିପରି ଏହି ଦିବସ କେବଳ ମକର କ୍ରାନ୍ତି ଓ କର୍କଟ କ୍ରାନ୍ତି ଭିତରେ ରହିଥିବା ଅଞ୍ଚଳରେ ହିଁ ଦେଖାଯାଏ । କନ୍ୟାକୁମାରୀଠୁ ଭାରତ ମଧ୍ୟ ଭାଗରେ ଥିବା କର୍କଟକ୍ରାନ୍ତି ଥିବା ଅଞ୍ଚଳଗୁଡିକରେ ଏପ୍ରିଲ ରୁ ଜୁନ ଓ ଜୁନରୁ ଅଗଷ୍ଟ ମଧ୍ୟରେ ୨ ଥର ଦେଖାଯାଉଥିବା କହିଛନ୍ତି ଶୁଭେନ୍ଦୁ ପଟ୍ଟନାୟକ ।
ପ୍ରଥମ ଥର ପାଇଁ ଏଭଳି ଦିବସରେ ସାମିଲ ହୋଇ ଅନେକ କଥା ଜାଣିଥିବାରୁ ପିଲାମାନେ ବେଶ ଖୁସି ହୋଇଥିବା ପ୍ରତିକ୍ରିୟା ରଖିଛନ୍ତି । ତେବେ ଆଜି ଭୁବନେଶ୍ବରରେ ଏହି ଦୃଶ୍ୟ ଦେଖାଯାଇଥିବାବେଳେ ଏପ୍ରିଲ ୨୫ ରେ ମଧ୍ୟାହ୍ନ ୧୨ଟା ୧୭ସମୟରେ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା। ସେହିଭଳି ଆସନ୍ତାକାଲି କଟକ, ବୁର୍ଲା , ରାଉରକେଲା ଆଦି ସ୍ଥାନରେ ଦେଖିବାକୁ ମିଳିବ ଏହି ଅନନ୍ୟ ଦୃଶ୍ୟ ।
ଇଟିଭି ଭାରତ, ଭୁବନେଶ୍ବର