ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ସ୍ଥିତ ଜୀବ ବିଜ୍ଞାନ ସଂସ୍ଥାନରେ 2 ଦିନିଆ କର୍ମଶାଳା ଆୟୋଜିତ ହୋଇଯାଇଛି । ଆଇଏଲଏସର ବିଭିନ୍ନ ବିଜ୍ଞାନଭିତ୍ତିକ ଗବେଷଣା ତଥା ଆଦିବାସୀମାନଙ୍କ ଜୀବନଜୀବିକା, ପୋଷଣ, ଖାଦ୍ୟପଦାର୍ଥ ଆଦି ବିଷୟବସ୍ତୁକୁ ଲୋକମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ଏହି କର୍ମଶାଳାର ଆୟୋଜିତ କରାଯାଇଥିଲା । ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମଧ୍ୟ ଏହି କର୍ମଶାଳାରେ ସାମିଲ ହୋଇ ଗବେଷଣା ସମ୍ବନ୍ଧରେ ଓ ଆଦିବାସୀଙ୍କ ଜୀବନଜୀବିକା ବିଷୟରେ ଜ୍ଞାନ ଆହରଣ କରିଥିଲେ ।
ତେବେ ଏହି କର୍ମଶାଳାରେ ମୁଖ୍ୟ ଆକର୍ଷଣ ସାଜିଥିଲେ ନବରଙ୍ଗପୁର ଜିଲ୍ଲାର ଲିମ୍ବାଟୁର ଗ୍ରାମର କିଛି ପରିବାର । ଧାନରେ ନିର୍ମିତ ଘରକରଣା ସାମଗ୍ରୀକୁ ପ୍ରଦର୍ଶନ କରିବା ସହ ଏହା କିପରି ସେମାନଙ୍କ ରୋଜଗାରର ମାଧ୍ୟମ ସାଜିଛି ସେନେଇ ଉପସ୍ଥାପନ କରିଥିଲେ । ପୂର୍ବରୁ ଘରକରଣା ଜିନିଷ ପାଇଁ ବିଶେଷ ଭାବରେ ମାଟି, ପ୍ଲାଷ୍ଟିକ, କାଚ ବା କାଠ ବ୍ୟବହାର କରାଯାଉଥିବା ଦେଖିବାକୁ ମିଳିଥିବା ବେଳେ ନବରଙ୍ଗପୁର ଜିଲ୍ଲାର ଲିମ୍ବାଟୁର ଗ୍ରାମର କିଛି ପରିବାର ଧାନରେ ତିଆରି କରିଥିଲେ ଭଳିକି ଭଳି ସୌଖୀନ ସାମଗ୍ରୀ । ରାଧାକୃଷ୍ଣ, ଲକ୍ଷ୍ମୀ, ଜଗନ୍ନାଥ, କଇଁଚ, ହାତୀ, ମୟୂର ଓ କଳସ ସହ ଅନେକ ଦେବାଦେବୀଙ୍କ ମୂର୍ତ୍ତି ଧାନରେ ତିଆରି ହୋଇଥିବା ଦେଖିବାକୁ ମିଳିଥିଲା । ଯାହା ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲା ।
ଏହାମଧ୍ୟ ପଢନ୍ତୁ..ମାତୃ ଓ ଶିଶୁ ଯତ୍ନ କ୍ଷେତ୍ରରେ କେନ୍ଦୁଝର ଅଗ୍ରଣୀ, ‘ଆମ କଳିକା’ର ବଢ଼ିଛି ଗୁରୁତ୍ୱ
ତେବେ ଏନେଇ ଧାନ କାରିଗରଙ୍କ କହିବାନୁଯାୟୀ, "ଏହା ଧାନରେ ତିଆରି ଏକପ୍ରକାର ହସ୍ତଶିଳ୍ପ ଅଟେ । ଧାନ ସହ ବାଉଁଶ କାଠି, ସୂତା ଓ ହଳଦୀରେ ପ୍ରସ୍ତୁତ ହୋଇଛି ଏହି ସାମଗ୍ରୀ । ଧାନ ହସ୍ତଶିଳ୍ପ ପୁରା ପରିବାରର ରୋଜଗାରର ମୁଖ୍ୟ ମାଧ୍ୟମ ହୋଇଥିବା ବେଳେ ଏହା ଦ୍ବାରା ସୁରୁଖୁରୁରେ ପରିବାର ଚଳିଯାଉଛି । ଆଉ ମଧ୍ୟ ଏହି ସାମଗ୍ରୀର କେବଳ ରାଜ୍ୟରେ ନୁହେଁ ରାଜ୍ୟ ବାହାରେ ମଧ୍ୟ ବେଶ ଚାହିଦା ରହିଛି । ଏହି ସାମଗ୍ରୀ ଗୁଡିକୁ 100 ଟଙ୍କାରୁ ଆରମ୍ଭ କରି 5ହଜାର ଟଙ୍କା ପର୍ଯ୍ୟନ୍ତ ବିକ୍ରି କରାଯାଉଛି ।"
ଅନ୍ୟପଟେ ଉପଯୁକ୍ତ ପ୍ରସାର ପ୍ରଚାରର ଅଭାବ ଯୋଗୁଁ ଏହା ଅଧିକ ପରିମାଣରେ ଲୋକମାନଙ୍କ ପାଖରେ ପହଞ୍ଚି ପାରୁନଥିବା କହିଛନ୍ତି କାରିଗର । ସରକାର ଯଦି ଏହି କଳାକୁ ପ୍ରାଧାନ୍ୟ ଦେବେ ଓ ସରକାରଙ୍କ ତରଫରୁ ଯଦି ଏହାର ପ୍ରଚାର ପ୍ରସାର କରାଯିବ ତେବେ ଏହା ଆହୁରୀ ଆଦୃତ ହୋଇପାରିବ ବୋଲି କହିଛନ୍ତି କାରିଗର ।
ଅନ୍ୟପଟେ ଆଇଏଲଏସର ବୈଜ୍ଞାନିକଙ୍କ କହିବାନୁଯାୟୀ, "ଆଇଏଲଏସର ଗବେଷଣାକୁ ଲୋକମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ଏହି କର୍ମଶାଳାର ଆୟୋଜନ କରାଯାଇଥିଲା । ବିଜ୍ଞାନ ପ୍ରତି ଛାତ୍ରଛାତ୍ରୀମାନଙ୍କ ଆଗ୍ରହ ବଢାଇବା ପାଇଁ ପ୍ରୟାସ କରାଯାଇଛି । ଏହି କର୍ମଶାଳାରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗ ଦେଇ ବିଭିନ୍ନ ଗବେଷଣା ଦେଖିବା ସହ ଉପଭୋଗ କରିଥିଲେ ।"
ଇଟିଭି ଭାରତ, ଭୁବନେଶ୍ବର