ଖୋର୍ଦ୍ଧା: ମହିଳାଙ୍କୁ ମହଙ୍ଗା ପଡିଲା କୋରୋନା ନିୟମ ମାନିବା । ଘରେ ସଙ୍ଗରୋଧ ରହିବା ତଥା ଲୋକଙ୍କ ଠାରୁ ସମଦୂରତା ରକ୍ଷା କରିବାରୁ ମହିଳାଙ୍କୁ ବିଚ୍ ରାସ୍ତାରେ ମାଡ ମାରିଥିବା ଅଭିଯୋଗ । ଏପରିକି ତାଙ୍କୁ ରାସ୍ତାରେ ଉଲଗ୍ନ କରାଯାଇ ମାଡ ମରାଯିବା ସହ ତାର ଭିଡିଓ ଭାଇରାଲର ମଧ୍ୟ ଅଭିଯୋଗ ହୋଇଛି ।
ଏପରି ଏକ ଅଭାବନୀୟ ଘଟଣା ଭୁବନେଶ୍ବର ଉପକଣ୍ଠ ତମାଣ୍ଡୋ ଥାନା ଅଞ୍ଚଳରେ ଥିବା ଏକ ବସ୍ତିରେ ଦେଖିବାକୁ ମିଳିଛି । ଭିଡିଓ ଭାଇରାଲ ଓ ଥାନାରେ ଅଭିଯୋଗ ପରେ ଘଟଣା ସାମ୍ନାକୁ ଆସିଛି ।
ଅଭିଯୋଗ ଅନୁସାରେ, ପୀଡିତା ମହିଳା ଜଣଙ୍କର ଜଣେ ପଡୋଶୀ କୋରୋନା ପଜେଟିଭ୍ ଚିହ୍ନଟ ହୋଇଥିଲେ । ତେଣୁ ମହିଳା ଜଣଙ୍କ ନିଜେ ଓ ପୂରା ପରିବାର ସଙ୍ଗରୋଧରେ ରହିଥିଲେ । କାହା ସହିତ ମିଶୁନଥିଲେ । ଯାହା ତାଙ୍କ ପାଇଁ ଘାତକ ସାଜିଥିଲା । କଣ ପାଇଁ ମିଶୁନଥିବା କହି ତାଙ୍କୁ ଅନ୍ୟ ଜଣେ ମହିଳା ମାଡମାରିଥିବା ତମାଣ୍ଡୋ ଥାନାରେ ଅଭିଯୋଗ ହୋଇଛି । ମାଡ ମରାଯିବାର ଭିଡିଓ ଭାଇରାଲ ହେବା ପରେ ମହିଳା ଜଣଙ୍କ ଥାନାରେ ଅଭିଯୋଗ କରିଛନ୍ତି । ସେପଟେ ମାଡ ମାରିଥିବା ସମ୍ପୃକ୍ତ ମହିଳାଙ୍କୁ ଗିରଫ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ