ଖୋର୍ଦ୍ଧା: ବିଶ୍ବରେ ଆତଙ୍କ ଖେଳାଇଛି କୋରୋନା । ଏହି କୋରୋନା ଭୁତାଣୁ ଗୋଟିଏ ପରେ ଗୋଟିଏ ଦେଶକୁ ବ୍ୟାପିବାରେ ଲାଗିଛି । କୋରୋନା ପାଇଁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନକୁ ଚିନ୍ତାରେ ପକାଇଛି । ଏହାର ଭୟାଭୟତାକୁ ନଜରରେ ରଖି ଉଭୟ କେନ୍ଦ୍ର ଏବଂ ଓଡ଼ିଶା ସରକାର ଜରୁରୀକାଳୀନ ପରିସ୍ଥିତି ଜାରି କରିଛନ୍ତି ।
ଏହି ଭୁତାଣୁ ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ଆୟୋଜନ ହେବାକୁ ଥିବା ମେଳା, ମହୋତ୍ସବ ସହ ସମସ୍ତ ସ୍କୁଲ କଲେଜ ମାର୍ଚ୍ଚ 31 ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଖୋର୍ଦ୍ଧା ଜିଲ୍ଲାରେ କୋରୋନାରେ ଏପର୍ଯ୍ୟନ୍ତ କେହି ଆକ୍ରାନ୍ତ ହୋଇଥିବା ଜଣାପଡିନଥିବା ବେଳେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସଚେତନ ରହିବାକୁ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି ।
ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କୋରୋନା ପାଇଁ ଏକ ସ୍ବତନ୍ତ୍ର ୱାର୍ଡ ଖୋଲା ଯାଇଛି । ଯେଉଁଥିରେ ସବୁ ପ୍ରକାର ଚିକିତ୍ସା ସୁବିଧା ରହିଛି । ସେହିପରି ଏହି କୋରୋନା ଆକ୍ରାନ୍ତଙ୍କ ସମ୍ପର୍କରେ ସୂଚନା ପାଇବା କ୍ଷଣି ଏକ ସ୍ବତନ୍ତ୍ର ଆମ୍ବୁଲାନ୍ସ ରୋଗୀକୁ ଆଣିବାର ବ୍ୟବସ୍ଥା କରାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସମସ୍ତ ଡାକ୍ତର ଏବଂ କର୍ମଚାରୀ କୋରୋନା ମୁକାବିଲା କରିବାକୁ ପ୍ରସ୍ତୁତ ଥିବା କହିଛନ୍ତି ସିଡ଼ିଏମଓ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ