ଭୁବନେଶ୍ବର: ସାଧାରଣ ମଣିଷ ଭଳି ସେ ବି ମଣିଷ । ହେଲେ ସେମାନଙ୍କୁ ପୁରୁଷ ଶରୀରରେ ନାରୀର ଗୁଣ ସଞ୍ଚାର କରି ଭଗବାନ କରିଦେଇଛନ୍ତି ଅସାଧାରଣ । ସମ୍ମାନ ଓ ଅଧିକାରର ଲଢେଇରେ ବହୁ ସଂଘର୍ଷ କରି ଶେଷରେ ତୃତୀୟ ଲିଙ୍ଗର ମାନ୍ୟତା ପାଇଛନ୍ତି ଏମାନେ । କିନ୍ତୁ ପେଟ ପାଟଣା ଟିକକ ପାଇଁ ସତେ ଯେମିତି ହାର ମାନିଯାଇଛି ସେମାନଙ୍କ ସ୍ବାଭିମାନ । ଏ ହେଉଛି ରାଜଧାନୀର ରେଡ ଲାଇଟ ଜୋନରେ ଦେଖାଯାଉଥିବା କିନ୍ନରଙ୍କ କଥା । ଦେଖନ୍ତୁ ଅନ୍ଧାର ରାତିର ଏମାନଙ୍କ କିଛି ଅକୁହା କଥାକୁ ନେଇ ଇଟିଭି ଭାରତର ସ୍ବତନ୍ତ୍ର ରିପୋର୍ଟ ।
ପୁରୁଷ ଶରୀରରେ ନାରୀର ମନ ନେଇ ଜନ୍ମ ନେଇ ସତେ ଯେମିତି ପାପ କରିଛନ୍ତି ଏମାନେ । ପ୍ରତିଟି ମୁହୂର୍ତ୍ତରେ ଏହି ସତ୍ୟରୁ ଦୂରେଇବାକୁ ଚାହୁଁଥିଲେ ବି ସମାଜ ଏହା କରିବାକୁ ଦେଉ ନାହିଁ । ବିଭିନ୍ନ କାର୍ଯ୍ୟକ୍ରମରେ ସେମାନଙ୍କ ଅଧିକାର ଓ ସମ୍ମାନକୁ ନେଇ ନାରା ଦିଆଯାଉଥିବା ବେଳେ ବାସ୍ତବତା କିନ୍ତୁ କିଛି ଭିନ୍ନ । ଏବେ ବି ଦେହ ବ୍ୟବସାୟରେ ସଂଶ୍ଳିଷ୍ଟ ଅନେକ କିନ୍ନର ।
ଏନେଇ ଇଟିଭି ଭାରତର ଗ୍ରାଉଣ୍ଡ ଜିରୋ ରିପୋର୍ଟରେ ଆମେ ଜାଣିବାକୁ ପାଇଥିଲୁ ଅନ୍ଧାର ରାତିର କିଛି ଅକୁହା କଥା । ଯେଉଁ ନେତା ମନ୍ତ୍ରୀ ମଞ୍ଚ ଉପରେ ବଡ ବଡ ନାରାବାଜି କରୁଛନ୍ତି, ରାତିର ଅନ୍ଧାରରେ ସେମାନେ ହିଁ ଲୁଟୁଛନ୍ତି ଇଜ୍ଜତ । କେବଳ ସେତିକି ନୁହେଁ ଅନ୍ୟ ସମସ୍ତ ବାଟ ସରକାର ବନ୍ଦ କରିଥିବାରୁ ଦେହ ବିକି ଏପରି କରିବାକୁ ବାଧ୍ୟ ହେଉଛନ୍ତି ବୋଲି କହିଛନ୍ତି ରେଡ ଜୋନର ଏହି କିନ୍ନର ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ