ଖୋର୍ଦ୍ଧା: ଶାନ୍ତିଶୃଙ୍ଖଳାର ସହ ଜିଲ୍ଲାରେ ଶେଷ ହୋଇଛି ମତଦାନ। ଆଉ ଇଭିଏମରେ ସିଲ ହୋଇଯାଇଛି ସମସ୍ତ ପ୍ରାର୍ଥୀଙ୍କ ଭାଗ୍ୟ । ନିଜର ମତାଧିକାର ସାବ୍ୟସ୍ତ କରି ଗଣତନ୍ତ୍ରର ଏହି ମହାନ ପର୍ବକୁ ପାଳନ କରିଛନ୍ତି ଭୋଟର । ମଙ୍ଗଳବାର ଅନୁଷ୍ଠିତ ହୋଇଥିବା ତୃତୀୟ ପର୍ଯ୍ୟାୟ ମତଦାନରେ ଭୁବନେଶ୍ୱର ଲୋକସଭା ସମେତ ଜିଲ୍ଲାର 8ଟି ବିଧାନସଭା ଆସନ ପାଇଁ ପ୍ରତିଦ୍ୱନ୍ଦିତା କରୁଥିବା 96 ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍ରେ ସିଲ୍ ହୋଇଛି।
ସେମାନଙ୍କ ମଧ୍ୟରୁ 14 ଜଣ ପ୍ରାର୍ଥୀ ଭୁବନେଶ୍ୱର ଲୋକସଭା ଏବଂ ଜିଲ୍ଲାର 8ଟି ବିଧାନସଭା ପାଇଁ ପ୍ରତିଦ୍ବନ୍ଦିତା କରୁଥିବା 82ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ଭୋଟର। ସକାଳ 7ଟାରୁ ଆରମ୍ଭ ହୋଇଥିଲା ମତଦାନ। ଏହା ପୂର୍ବରୁ ଦେଖାଦେଇଥିଲା କେତେକ ତ୍ରୁଟି । ଜିଲାର କିଛି ବୁଥରେ ଇଭିଏମ ମେସିନରେ ସମସ୍ୟା ଦେଖାଯିବା କାରଣରୁ ମତଦାନ ପ୍ରକିୟା ପ୍ରଭାବିତ ହୋଇଥିଲା ।
ନିଜର ନେତାଙ୍କୁ ବାଛିବା ପାଇଁ ସକାଳୁ ସକାଳୁ ବୁଥ୍ରେ ଭୋଟରଙ୍କ ଗହଳି ଦେଖିବାକୁ ମିଳିଥିଲା । ନିର୍ଦ୍ଧାରିତ ସମୟ ଠାରୁ ଢେର ଅଧିକ ସମୟ ପର୍ଯ୍ୟନ୍ତ କେତେକ ସ୍ଥାନରେ ଚାଲିଥିଲା ମତଦାନ। ରାତି 10ଟା ସୁଦ୍ଧା ଜିଲ୍ଲାରେ ପାଖାପାଖି 56.66 ପ୍ରତିଶତ ମତଦାନ ହୋଇଥିବା ଖବର ମିଳିଛି । ତେବେ କାହା ମୁଣ୍ଡରେ ଭୋଟର ସୁନାମୁକୁଟ ପିନ୍ଧାଉଛନ୍ତି ତାହା ମେ 23 ତାରିଖରେ ଜଣାପଡିବ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ