ଭୁବନେଶ୍ବର: ବିଜେଡିରେ ସାମିଲ ହୋଇ ବାବୁରୁ ନେତା ବନିଥିବା ଭିକେ ପାଣ୍ଡିଆନଙ୍କ ସ୍ଥିତି, ପଦକ୍ଷେପ କଣ ରହିବ, ସେ ନେଇ ଚାଲିଥିବା ଚର୍ଚ୍ଚାର ଅବସାନ ହୋଇଛି । 2024ରେ ସାଧାରଣ ନିର୍ବାଚନ ଲଢ଼ିବି ନାହିଁ, କେବଳ ଜନସେବା ମୋର ଲକ୍ଷ୍ୟ ବୋଲି ସ୍ପଷ୍ଟ କରିଛନ୍ତି ଭିକେ ପାଣ୍ଡିଆନ । ବିଜେଡି ସୁପ୍ରିମୋଙ୍କ ସ୍ବତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଶଙ୍ଖ ଭବନରେ ଆୟୋଜିତ ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀରେ ସାମିଲ ହୋଇ ପାଣ୍ଡିଆନ ଏହା ସ୍ପଷ୍ଟ କରିଛନ୍ତି ।
ସରକାରୀ ଚାକିରୀ ସ୍ବେଚ୍ଛାକୃତ ଅବସର ନେଇ ନଭେମ୍ବର ୨୭ ତାରିଖରେ ବିଜେଡିରେ ବିଧିବଦ୍ଧ ଭାବେ ସାମିଲ ହୋଇଥିଲେ ଭିକେ ପାଣ୍ଡିଆନ । ନବୀନ ନିବାସରେ ବିଜେଡି ସୁପ୍ରିମୋଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଥିଲେ ଭିକେ । ସେବେଠାରୁ ଦଳରେ ଭିକେଙ୍କ ଭୂମିକା, 2024ରେ ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ଲାଗି ରହିଥିଲା । ଭି.କେ ପାଣ୍ଡିଆନ କାର୍ଯ୍ୟକାରୀ ସଭାପତି କିମ୍ବା ବରିଷ୍ଠ ଉପସଭାପତି ନଚେତ ଦଳର ସାଧାରଣ ସମ୍ପାଦକ ପଦରେ ରହି ସରକାରରେ ଉପ ମୁଖ୍ୟମନ୍ତ୍ରୀ ହେବେ । ମାତ୍ର ଏପରି ସମସ୍ତ କଳ୍ପନାଜଳ୍ପନାର ଆଜି ଅନ୍ତ ଘଟିଛି । ଭି.କେ ପାଣ୍ଡିଆନଙ୍କୁ ଦଳରେ କୌଣସି ପଦ ମିଳିବା ନେଇ ଦଳୀୟ କାର୍ଯ୍ୟକାରିଣୀରେ ନିଷ୍ପତ୍ତି ହୋଇନାହିଁ । ଆସନ୍ତା 2024 ସାଧାରଣ ନିର୍ବାଚନ ଲଢିବେ ନାହିଁ ବୋଲି କାର୍ଯ୍ୟକାରିଣୀରେ ଭିକେ ସ୍ପଷ୍ଟ କରିଛନ୍ତି ।
ଅଧିକ ପଢନ୍ତୁ- ବିଜେଡି ରାଜ୍ୟ କାର୍ଯ୍ୟକାରିଣୀରେ ୨୭ ପ୍ରସ୍ତାବ ପାରିତ; ବିରୋଧୀଙ୍କ ପାଖରେ ନାହିଁ ପ୍ରସଙ୍ଗ: ନବୀନ
ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ବିଜେଡି ନେତା ଓ କର୍ମୀଙ୍କୁ ସମ୍ବୋଧନ କରିଛନ୍ତି 5ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ କହିଛନ୍ତି ମୁଁ କ୍ଷମତା ପାଇଁ ନୁହେଁ, ସେବା ପାଇଁ ଆସିଛି । ଆସନ୍ତା ସାଧାରଣ ନିର୍ବାଚନ ମୁଁ ଲଢିବି ନାହିଁ । ଜନସେବା ମୋର ଲକ୍ଷ୍ୟ । ବିଜୁ ବାବୁ ଓ ନବୀନ ବାବୁଙ୍କ ପ୍ରତି ଥିବା ଭଲପାଇବା ମୁଁ ଦେଖିଛି । ସେମାନଙ୍କ ଆଦର୍ଶ ଓ ନେତୃତ୍ବ ମୋତେ ଅନୁପ୍ରାଣିତ କରିଛି । ଶ୍ରୀଜଗନ୍ନାଥଙ୍କ ପ୍ରତି ମୋର ଅଗାଢ଼ ବିଶ୍ବାସ ରହିଛି । ଯେଉଁଥିପାଇଁ ପ୍ରତି ଶନିବାର ମୁଁ ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଯାଇଥାଏ । ଶ୍ରୀଜଗନ୍ନାଥଙ୍କ କୃପା ଓଡ଼ିଶା ଏବଂ ଓଡ଼ିଶାବାସୀଙ୍କ ପ୍ରତି ରହିଛି । 147 ଆସନରେ ମୁଖ୍ୟମନ୍ତ୍ରୀଙ୍କ ସହ ମିଶି ଦଳ ପାଇଁ କାମ କରିବି । ଦଳକୁ ଆହୁରି ସଙ୍ଗଠିତ କରିବା ସହ ଦଳୀୟ ନେତାଙ୍କ ସହ ମିଶି କାମ କରିବି ବୋଲି ସୂଚନା ଦେଇଛନ୍ତି ।
5ଟି ଓ ଆମ ଓଡ଼ିଶା ଅଧ୍ୟକ୍ଷ ଭାବେ ରାଜ୍ୟରେ ଚାଲିଥିବା ରୂପାନ୍ତରିତ କାର୍ଯ୍ୟକ୍ରମର ନବୀନଙ୍କ ସେନାପତି ସାଜିଛନ୍ତି ପାଣ୍ଡିଆନ । ବିଜେଡିରର ନିଜର ଭୂମିକା ସ୍ପଷ୍ଟ କରିଥିବା ବେଳେ ଆସନ୍ତାକାଲିଠାରୁ ଜିଲ୍ଲା ଗସ୍ତରେ ଯାଉଛନ୍ତି ଭିକେ ପାଣ୍ଡିଆନ । ଦୁଇ ଦିନିଆ ଗଞ୍ଜାମ ପରେ ମୟୁରଭଞ୍ଜ ଗସ୍ତରେ ଯିବେ ଭିକେ । ପ୍ରଥମେ ସରକାରୀ ଆଉ ଏବେ ଦଳୀୟ କାର୍ଯ୍ୟକ୍ରମରେ ଲୋକଙ୍କ ସମର୍ଥନ ବିଜେଡି ପାଇଁ ଜୁଟାଇବାକୁ ପ୍ରୟାସ କରିବେ ପ୍ରଶାସକରୁ ନେତା ହୋଇଥିବା ଭିକେ ପାଣ୍ଡିଆନ।
ସୂଚନାଯୋଗ୍ୟଯେ 5ଟି ସଚିବ ସମେତ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଥିବା ଭିକେ ପାଣ୍ଡିଆନ ଗତ 23 ଅକ୍ଟୋବରରେ ସର୍ବଭାରତୀୟ ପ୍ରଶାସନିକ ସେବା ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇଥିଲେ । ଏହା ପରେ ବିଜେଡିରେ ମିଶି ରାଜନୀତି କରିବା ନେଇ ଚର୍ଚ୍ଚା ଯୋର ଧରିଥିଲା । ଶେଷରେ ନଭେମ୍ବର ୨୭ ତାରିଖର ଦିନ ବିଦ୍ଧିବଧ ଭାବେ ବିଜେଡିରେ ସାମିଲ ହୋଇଥିଲେ ପାଣ୍ଡିଆନ ।
ଇଟିଭି ଭାରତ, ଭୁବନେଶ୍ବର