ଭୁବନେଶ୍ବର: ମେଟ୍ରୋ ପ୍ରକଳ୍ପକୁ ନେଇ ଜୋର ଧରିଲା ରାଜନୀତି । 2024 ଜାନୁଆରୀ ପହିଲା ଦିନ ମେଟ୍ରୋ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ । ଏନେଇ କଟକ-ଭୁବନେଶ୍ବରକୁ ସଂଯୋଗ କରୁଥିବା ମେଟ୍ରୋ ରେଳ ପ୍ରକଳ୍ପ କାମ ସମୀକ୍ଷା କରିଛନ୍ତି 5T ଓ ନବୀନ ଓଡିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ଭୋର 4.30 ସମୟରେ ସେ ମେଟ୍ରୋ ରେଳ ଷ୍ଟେସନ terminal ପ୍ରକଳ୍ପ ପାଇଁ ପ୍ରସ୍ତାବିତ ସ୍ଥାନ ଓ ତ୍ରିଶୂଳିଆ ଛକ ଡିପୋ ବୁଲି ଦେଖିଛନ୍ତି । କଟକ ଓ ଭୁବନେଶ୍ବର ପାଇଁ ତ୍ରିଶୂଳିଆ ପରିବହନର ମୁଖ୍ୟ ହବ୍ ହେବାକୁ ଥିବାବେଳେ 5T ନୀତି ଉପରେ ଗୁରୁତ୍ଵ ଦେଇ କାମ ତଦାରଖ କରିବା ସହ ନିର୍ଦ୍ଧାରିତ ୪ ବର୍ଷ ମଧ୍ୟରେ କାମ ଯେପରି ଶେଷ ହେବ ତାହା ସୁନିଶ୍ଚିତ କରିବାକୁ ପାଣ୍ଡିଆନ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନା ଅନୁସାରେ, ଟ୍ବିନ୍ ସିଟିକୁ ବାଙ୍କୀ ଓ ଆଠଗଡ଼ ପଟୁ ତ୍ରିଶୂଳିଆ ହେବ ଗେଟ୍ ୱେ। ୨୦୨୪ ଜାନୁଆରୀ ପହିଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପ ପାଇଁ ଭିତ୍ତି ପ୍ରସ୍ତର ରଖିବେ। ହେଲେ ମେଟ୍ରୋ ପ୍ରକଳ୍ପକୁ ସହଜରେ ଗ୍ରହଣ କରିପାରୁନି କଂଗ୍ରେସ। ଏନେଇ କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ କହିଛନ୍ତି, "ଏହା ଏକ ନିର୍ବାଚନୀ ଘୋଷଣା ବୋଲି ଜଳ ଜଳ ହୋଇ ଦେଖାଯାଉଛି । ଭୁବନେଶ୍ୱର କଟକ-ପୁରୀ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଟ୍ରାଫିକ ବ୍ୟବସ୍ଥା ଉଦବେଗଜନକ ।"
ସେ ଆହୁରି ମଧ୍ୟ କହିଛନ୍ତି, "ଏ ସରକାର 23 ବର୍ଷ ହେବ ଶାସନ କରୁଛି । ହେଲେ ଦୁଃଖର କଥା ହେଲା ଯେ ଭୁବନେଶ୍ୱରରୁ କୋରାପୁଟ ଯିବାକୁ ହେଲେ ଆମକୁ ପଡୋଶୀ ରାଜ୍ୟ ଦେଇ ଯିବାକୁ ପଡୁଛି। ଗ୍ରାମାଞ୍ଚଳରେ ରାସ୍ତା ଗୁଡ଼ିକର ସ୍ଥିତି ଅତ୍ୟନ୍ତ ଶୋଚନୀୟ। ଖାଲି ମେଟ୍ରୋ ଶିଳାନ୍ୟାସ କରିବାକୁ କହିଦେଲେ ହେବନାହିଁ। ତା ପାଇଁ ଅର୍ଥ ବ୍ୟୟ ଅଟକଳ କରିବାକୁ ପଡିବ । କେବଳ ନିର୍ବାଚନକୁ ଆଖି ଆଗରେ ରଖି ଏଭଳି କରୁଛନ୍ତି ସରକାର। ମେଟ୍ରୋ ପ୍ରକଳ୍ପ ହେଲେ କେତେ ଜନସାଧାରଣ ଉପକୃତ ହେବେ ? କେବେ ଶେଷ ହେବ ? ସେତେବେଳେ ଗାଡି ସଂଖ୍ୟା ରାଜ୍ୟରେ କେତେ ହୋଇଥିବ ? ଏ କେବଳ ରାଜନୈତିକ ଉଦ୍ଦେଶ୍ୟରେ କରାଯାଉଛି ବୋଲି ଜଳ ଜଳ ହୋଇ ଦେଖାଯାଉଛି।"
ଏହା ବି ପଢନ୍ତୁ...Metro train in Odisha: ବିଜେପି କହିଲା ନିର୍ବାଚନୀ ଥୋପ, କାଉଣ୍ଟର କଲା ବିଜେଡି
ମେଟ୍ରୋ ରେଳ ସେବାକୁ ଭୁବନେଶ୍ଵରର ଅନ୍ୟ ସ୍ଥାନ ଗୁଡ଼ିକ ସହ ଖୋର୍ଦ୍ଧା, ପୁରୀ ଓ କଟକର ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗୁଡ଼ିକୁ ସମ୍ପ୍ରସାରିତ କରିବା ପାଇଁ Delhi Metro Rail Corporation ପକ୍ଷରୁ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଉଛି । ଏହି ପ୍ରକଳ୍ପ ଦ୍ବାରା ଭୁବନେଶ୍ଵର ଓ କଟକ ମଧ୍ୟରେ ତ୍ରିଶୂଳିଆ ଏକ ପ୍ରମୁଖ ଜଙ୍କସନ ଭାବରେ ଗଢି ଉଠିବ। ଏହା ସହିତ ବାଙ୍କୀ ଓ ଆଠଗଡ ପଟରୁ ଦ୍ୱେତ ନଗରୀକୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରବେଶ ପଥ ଭାବରେ ଛିଡ଼ା ହେବ। ମେଟ୍ରୋ ରେଳ ପ୍ରକଳ୍ପର କେନ୍ଦ୍ରୀୟ ଡିପୋ ତ୍ରିଶୁଳିଆ ନିକଟରେ ନିର୍ମାଣ କରାଯିବ। ଏଠାରେ ପ୍ରକଳ୍ପର command ଓ control ବ୍ୟବସ୍ଥା ସହିତ ମେଟ୍ରୋ ଟ୍ରେନର ମରାମତି ଓ stabling ସୁବିଧା ମଧ୍ୟ ରହିବ। ତ୍ରିଶୂଳିଆ ଛକରେ ଏକ ନୂଆ ବସ ଷ୍ଟାଣ୍ଡ ମଧ୍ୟ ନିର୍ମାଣ କରାଯାଉଛି । ଏହାକୁ ଆହୁରି ସମ୍ପ୍ରସାରିତ କରାଯାଇ ମେଟ୍ରୋ ଷ୍ଟେସନ ସହିତ ସମନ୍ୱିତ ସହ ଏକକ ରହଣି ସ୍ଥଳ ଭାବରେ ବିକଶିତ କରାଯିବ।
ପ୍ରଥମ ପର୍ଯ୍ୟାୟରେ ଏହି ମେଟ୍ରୋ ପ୍ରକଳ୍ପ ତ୍ରିଶୂଳିଆକୁ ଭାୟା ଚନ୍ଦ୍ରଶେଖରପୁର, ଜୟଦେବ ବିହାର, ବାଣୀ ବିହାର ମାଷ୍ଟର କ୍ୟାଣ୍ଟିନ ଓ ରାଜମହଲ ଛକ ଦେଇ ଭୁବନେଶ୍ବର ବିମାନ ବନ୍ଦରକୁ ସଂଯୋଗ କରିବ। ଏପ୍ରିଲ 2023 ଉତ୍କଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମେଟ୍ରୋ ପ୍ରକଳ୍ପ ବିଷୟରେ ଘୋଷଣା କରିଥିଲେ। ଏଥିପାଇଁ DPR ମଧ୍ୟ ସରକାରଙ୍କ ଅନୁମୋଦନ ଲାଭ କରିଛି । ଭୁବନେଶ୍ଵରରୁ ଖୋର୍ଦ୍ଧା , ପୁରୀ ଓ କଟକ ସହରରେ ମେଟ୍ରୋ ରେଳ ସମ୍ପ୍ରସାରିତ କରିବା ପାଇଁ ଦିଲ୍ଲୀ ମେଟ୍ରୋ ରେଳ corporation ଜରିଆରେ ମାଷ୍ଟର ପ୍ଳାନ ପ୍ରସ୍ତୁତ କରାଯାଉଛି।
ଇଟିଭି ଭାରତ, ଭୁବନେଶ୍ବର