ଭୁବନେଶ୍ବର: ଓଡ଼ିଶା ସବ୍-ଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ୍ କମିସନ(OSSSC) ପକ୍ଷରୁ ରବିବାର ଜୁନିଅର ଆସିଷ୍ଟାଣ୍ଟ ଏବଂ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ନିଯୁକ୍ତି ପରୀକ୍ଷା କରାଯାଇଥିଲା । ତେବେ ଏଥିରେ କିଛି ଦୃଷ୍ଟିହୀନ ପରୀକ୍ଷାର୍ଥୀଙ୍କୁ ସ୍ବତନ୍ତ୍ର ସୁବିଧା ପ୍ରଦାନ କରାଯାଇନଥିବା ଅଭିଯୋଗ ହୋଇଛି । ଯାହାଫଳରେ ପରୀକ୍ଷାର୍ଥୀମାନେ ପରୀକ୍ଷା ଦେଇପାରି ନଥିଲେ । ତାଙ୍କୁ ଅଧାରୁ ପରୀକ୍ଷା ହଲ୍ରୁ ବାହାର କରିଦିଆଯାଇଥିଲା ।
ସୂଚନା ଅନୁଯାୟୀ, ଖଣ୍ଡଗିରି ଅଞ୍ଚଳରେ ଥିବା ଏକ ପରୀକ୍ଷା କେନ୍ଦ୍ରକୁ ପ୍ରାକ୍ଟିକାଲ ସ୍କିଲ୍ ଟେଷ୍ଟ୍ ପାଇଁ ୩ ଦୃଷ୍ଟିହୀନ ପରୀକ୍ଷାର୍ଥୀ ଆସିଥିଲେ । ହେଲେ ପରୀକ୍ଷାର ୧୫ ମିନିଟ ପରେ ସେମାନଙ୍କୁ ଅଧାରୁ ବାହାର କରିଦିଆଯାଇଥିଲା । ବାରମ୍ବାର ଅନୁରୋଧ କରିବା ପରେ ମଧ୍ୟ ସେମାନଙ୍କ କଥାକୁ କେହି ଶୁଣି ନଥିଲେ । ଅନେକ ଦୂରରୁ ଆସି ଭୁବନେଶ୍ବରରେ ପରୀକ୍ଷା ଦେଉଥିବା ଏହି ୩ ଜଣ ଦୃଷ୍ଟିହୀନ ପରୀକ୍ଷାର୍ଥୀ ସୋମବାର OSSSCରେ ଅଭିଯୋଗ କରିଛନ୍ତି । ତେବେ ଯାହା ସମସ୍ୟା ଅଛି ଇ-ମେଲ୍ ମାଧ୍ୟମରେ ଜଣାଇବାକୁ OSSSC ପକ୍ଷରୁ କୁହାଯାଇଥିବା ସେମାନେ କହିଛନ୍ତି । କିନ୍ତୁ ସେମାନେ ଇ-ମେଲ୍ ମାଧ୍ୟମରେ କାହିଁକି କରିବେ ବୋଲି ପ୍ରଶ୍ନ କରିଛନ୍ତି । ପରୀକ୍ଷାରେ ଆମକୁ ଅବହେଳା କରାଯାଇଛି । ଯଦି ଏହାର କୌଣସି ସମାଧାନ ହେବ ନାହିଁ ତେବେ ଆମେ କିଛି ବି କରିପାରୁ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ଅନ୍ୟପଟେ ଏନେଇ OSSSC ଅଧିକାରୀଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ହେଁ କୌଣସି ମତେ ଏହା ସମ୍ଭବ ହୋଇପାରି ନାହିଁ ।
ଏହାମଧ୍ୟ ପଢନ୍ତୁ: OSSSC EXAM: ପରୀକ୍ଷାରେ ଆସିଲା ଫିଲ୍ମ ଦମନକୁ ନେଇ ପ୍ରଶ୍ନ
ସୂଚନା ଅନୁସାରେ, ମୀନକେତନ ପ୍ରଧାନ, ଝୁନୁରାଣୀ ଦିଗଲ ଏବଂ ତାପସ ନାମକ ୩ ଦୃଷ୍ଟିହୀନ ପରୀକ୍ଷାର୍ଥୀ ରବିବାର ନିର୍ଦ୍ଧାରିତ ସମୟରେ ପରୀକ୍ଷା କେନ୍ଦ୍ରରେ ରିପୋର୍ଟିଂ କରିଥିଲେ । ରିପୋର୍ଟିଂ ସମୟରେ ସମସ୍ତ ଡକ୍ୟୁମେଣ୍ଟ୍ ଯାଞ୍ଚ କରାଯାଇଥିଲା । ଏହାପରେ ସେମାନଙ୍କୁ ପରୀକ୍ଷା କେନ୍ଦ୍ର ଭିତରକୁ ଯିବାକୁ ଅନୁମତି ମିଳିଥିଲା । ପ୍ରଶ୍ନପତ୍ର ଦିଆଯିବାର କିଛି ସମୟ ପରେ ସେମାନଙ୍କୁ ‘ରାଇଟର’ ଅନୁମତି ନଥିବା କୁହାଯାଇଥିଲା । ଏହାପରେ ଉକ୍ତ ୩ ପରୀକ୍ଷାର୍ଥୀଙ୍କୁ କେନ୍ଦ୍ରରୁ ବାହାର କରିଦିଆଯାଇଥିଲା ।
ଏନେଇ ପରୀକ୍ଷାର୍ଥୀ କହିଛନ୍ତି, ଦୂରଦୂରାନ୍ତରୁ ସେମାନେ ଏହି ପରୀକ୍ଷା ପାଇଁ ଭୁବନେଶ୍ବର ଆସିଥିଲେ । ଦୃଷ୍ଟିହୀନ ହୋଇଥିବାରୁ ସେମାନେ ରାଇଟର ଆଣିଥିଲେ । ପୂର୍ବରୁ ସମସ୍ତ ପରୀକ୍ଷା ‘ରାଇଟର’ ଦ୍ବାରା ଦେଇ ଆସୁଥିବାବେଳେ ଏହି ପରୀକ୍ଷାରୁ ବଞ୍ଚିତ କରାଗଲା । ଏହା ଅତ୍ୟନ୍ତ ଦୁଃଖର ବିଷୟ । ତେବେ ପ୍ରଶ୍ନ ଉଠୁଛି କାହିଁକି ଦୃଷ୍ଟିହୀନ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ହଲରୁ ବାହାର କରିଦେଲେ ! ଯେକୌଣସି ପରୀକ୍ଷା ଦେଲେ ସେମାନେ ରାଇଟରଙ୍କୁ ବ୍ୟବହାର କରିଥାନ୍ତି । ତେବେ ଏହି ପରୀକ୍ଷାରେ କାହିଁକି ସେମାନଙ୍କୁ ପରୀକ୍ଷା ହଲରୁ ବାହାର କରାଗଲା ସେନେଇ ସାଧାରଣରେ ପ୍ରଶ୍ନବାଚୀ ଉଠିଛି ।
ଇଟିଭି ଭାରତ, ଭୁବନେଶ୍ବର