ଖୋର୍ଦ୍ଧା: ନୟାଗଡ ଜିଲ୍ଲା ରଣପୁର ବ୍ଲକ, ତାଳକଣି ପଞ୍ଚାୟତ ରାଧାମୋହନପୁର ଗ୍ରାମର ବାଲିଆକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାକୁ ଜେସିବି ଦ୍ବାରା ତାଡିଦେଲେ କିଛି ଗ୍ରାମବାସୀ । ଏନେଇ ସୁନାଖଳା ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି ରାଧାମୋହନପୁର ଗ୍ରାମବାସୀ । ଅଭିଯୋଗ ଅନୁସାରେ 24 ତାରିଖ ସକାଳ 7ଟା ସମୟରେ ବାଲିଆ ଗ୍ରାମର ପ୍ରାୟ 20ରୁ ଅଧିକ ଲୋକ ବିଭିନ୍ନ ମାରଣାସ୍ତ୍ର ଧରି ଆସି ଜେସିବି ସାହାଯ୍ୟରେ ରାଧାମୋହନପୁର ଓ ବାଲିଆକୁ ସଂଯୋଗ କରୁଥିବା ମୁଖ୍ୟ ଯାତୟତ ରାସ୍ତାକୁ ଖୋଳି ଦେଇଥିଲେ ।
ଯାହାଫଳରେ ରାଧାମୋହନପୁର ଗ୍ରାମବାସୀଙ୍କ ଯାତୟତ ସମ୍ପୂର୍ଣ୍ଣ ଠପ ହେବା ସହ ସାଧାରଣ ଜୀବନ ଯାତ୍ରା ବେହାଲ ହୋଇପଡିବା ସହ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଲେ । ତେବେ ସୂଚନାନୁସାରେ, ଦୀର୍ଘ ଛ ମାସରୁ ଅଧିକ ଦିନ ଧରି ରାସ୍ତା ନିର୍ମାଣକୁ ନେଇ ରାଧାମୋହନପୁର ଓ ବାଲିଆ ଦୁଇ ଗ୍ରାମ ଭିତରେ ବିବାଦ ଲାଗିରହିଥିବା ସହ ବହୁ ବାର ଥାନାରେ ଅଭିଯୋଗ ହୋଇଛି ।
ଏନେଇ ରାଧାମୋହନପୁର ଗ୍ରାମବାସୀ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ଓ ଜିଲ୍ଲା ପ୍ରଶାସନକୁ ଗୁହାରି କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ କରିଛନ୍ତି । ଦିନକୁ ଦିନ ଦୁଇ ଗ୍ରାମ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି ଏ ନେଇ ରାଧାମୋହନପୁର ଗ୍ରାମବାସୀ ଜିଲ୍ଲା ପ୍ରଶାସନର ହସ୍ତକ୍ଷପ ଲୋଡିଥିଲେ ମଧ୍ୟ ଏ ଦିଗରେ କୌଣସି ସ୍ଥାୟୀ ସମାଧାନ ହୋଇ ପାରୁନାହିଁ । ଯଦି ଆଗାମୀ ଦିନରେ ଜିଲ୍ଲା ପ୍ରଶାସନ ତାଙ୍କ ଗୁହାରି ନ ଶୁଣନ୍ତି ତେବେ ଗ୍ରାମବାସୀ ବାଧ୍ୟ ହୋଇ ଜିଲ୍ଲା ପ୍ରଶାସନ ଅଫିସ ଆଗରେ ଧାରଣା ଦେବେ ବୋଲି କହିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ