ଭୁବନେଶ୍ବର: କାଶୀପୁରରେ ଦୂଷିତ ପାଣି ପାଇଁ ବ୍ୟାପିଛି ହଇଜା । ପାଣିରୁ ଓ ରୋଗୀଙ୍କ ସ୍ୱାବ୍ରୁ ହଇଜା କରାଉଥିବା ଭିବ୍ରିଓ କଲେରା ଜୀବାଣୁ ମିଳିଛି । ଅଞ୍ଚଳରେ ବର୍ତ୍ତମାନ ସୁଦ୍ଧା ୯୬ ଆକ୍ରାନ୍ତ, ୭ ଜଣଙ୍କ ମୃତ୍ୟୁ ହୋଇଛି । ଏଥିପାଇଁ ସ୍ୱାସ୍ଥ୍ୟକର୍ମୀ ଏବଂ ଆଶାକର୍ମୀ ଘର ଘର ବୁଲି ଲୋକଙ୍କୁ ସଚେତନ କରାଉଛନ୍ତି । ହଇଜା ରୋଗୀଙ୍କ ଅବସ୍ଥା ଗୁରୁତର ହେଲେ ସ୍ବତନ୍ତ୍ର ମେଡିକାଲ ଟିମ ମୁତୟନ ବ୍ୟବସ୍ଥା କରାଯାଇଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପ୍ରତିକ୍ରିୟା ରଖିଛନ୍ତି ।
କାଶୀପରୁରେ ହଇଜା ବ୍ୟାପିବା ପରେ ରୋଗୀଙ୍କ ମଳ ସ୍ବାବ ସହିତ ପାଣିର ପରୀକ୍ଷା କରାଯାଇଛି । କାଶୀପୁରରେ ପାଣି କଣ୍ଟାମିନେସନରୁ କଲେରା ହୋଇଥିବା ଜଣାପଡିଛି । ପରୀକ୍ଷାରୁ କଲେରା କରାଉଥିବା ଭିବ୍ରିଓ କଲେରା ବ୍ୟାକ୍ଟେରିଆ ମିଳିଛି । ରୋଗୀଙ୍କ ରେକ୍ଟାଲ ସ୍ୱାବରୁ ମଧ୍ୟ କଲେରା ବ୍ୟାକ୍ଟେରିଆ ମିଳିଛି । ମୋଟ 14ଟି ରେକ୍ଟଲ ସ୍ୱାବ ଓ ବିଭିନ୍ନ ଜାଗାରୁ 7-8ଟି ଜଳ ଉତ୍ସରୁ ପାଣିର ନମୁନା ନିଆଯାଇଥିଲା । 3ଟି ପାଣି ନମୁନା ଏବଂ 7ଟି ରେକ୍ଟାଲ ସ୍ୱାବ ନମୁନାରୁ କଲେରା ବ୍ୟାକ୍ଟେରିଆ ମିଳିଛି ।
କାଶୀପୁର ବ୍ଲକର ଟିକରି ପଞ୍ଚାୟତର 3ଟି ଗାଁରେ 12 ତାରିଖରୁ ଝାଡ଼ାବାନ୍ତି ହୋଇଥିଲା । ବର୍ତ୍ତମାନ ସୁଦ୍ଧା ଏଥିରେ 96 ଜଣ ଆକ୍ରାନ୍ତ ହୋଇଛନ୍ତି । 7 ଜଣଙ୍କର ମୃତ୍ୟୁ ହୋଇଛି । ସ୍ଥିତି ନିୟନ୍ତ୍ରଣ ଲାଗି ଆବଶ୍ୟକୀୟ ପଦକ୍ଷେପ ନିଆଯାଉଛି । ସ୍ୱାସ୍ଥ୍ୟକର୍ମୀ, ଆଶା କର୍ମୀ ଘର ଘର ବୁଲୁଛନ୍ତି । ମେଡିକାଲ ଟିମ ମୁତୟନ ହୋଇଛି । ଉତ୍କଳ ଆଲୁମିନା ହସ୍ପିଟାଲରେ 50 ବେଡ଼ର ସ୍ବତନ୍ତ୍ର ଡାଇରିଆ ୱାର୍ଡ ଖୋଲାଯାଇଛି । ସେଠାରେ 4 ଜଣ ଡାକ୍ତର ନିୟୋଜିତ ହୋଇଛନ୍ତି । ଭୁବନେଶ୍ୱରର ଏକ ଟିମ ଯାଇ କିଭଳି ଏହା ନବ୍ୟାପିବ ତା ଉପରେ କାର୍ଯ୍ୟ କରୁଛନ୍ତି । ପିଇବା ପାଇଁ ପାଣି ଟ୍ୟାଙ୍କରରେ ଯୋଗାଇଦିଆଯାଉଛି । ଦୂଷିତ ପାଣି ପିଇବା ପାଇଁ ବାରଣ କରାଯାଇଛି । ନାଳ ପାଣି ବ୍ୟବହାର ନ କରିବାକୁ ଜିଲ୍ଲା ପ୍ରଶାସନ ତରଫରୁ ନିର୍ଦ୍ଦେଶ ଦିଆଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର