ଭୁବନେଶ୍ବର: ପାଖେଇ ଆସିଲାଣି ଗଣତନ୍ତ୍ରର ମହାପର୍ବ । 2024 ସାଧାରଣ ନିର୍ବାଚନରେ ପ୍ରାର୍ଥୀ ଚୟନ ଏବେ ସବୁ ରାଜନୈତିକ ଦଳ ପାଇଁ ବଡ଼ ଚ୍ୟାଲେଞ୍ଜ ହେବାକୁ ଯାଉଛି । ତେବେ ଆଗାମୀ ନିର୍ବାଚନରେ ଯୁବ ବର୍ଗଙ୍କୁ ପ୍ରାଧାନ୍ୟ ଦେବାକୁ ଯାଉଛି କଂଗ୍ରେସ । କାରଣ ସୁରେଶ ରାଉତରାୟ କି ନରସିଂହ ମିଶ୍ର ଲଢ଼ିବେ ନାହିଁ ବରଂ ସେମାନଙ୍କ ପୁଅ ଲଢ଼ିବେ ନିର୍ବାଚନ । ଜାତୀୟ ସ୍ତରରେ ଯେଉଁଭଳି ଯୁବ ପ୍ରାର୍ଥୀଙ୍କୁ ଭୋଟରମାନେ ଅଧିକ ପସନ୍ଦ କରୁଛନ୍ତି ତାହାର ସଦ୍ୟତମ ଉଦାହରଣ ହେଉଛି 5 ରାଜ୍ୟରେ ସରିଥିବା ବିଧାନସଭା ନିର୍ବାଚନ। ତେଲେଙ୍ଗାନା, ଛତିଶଗଡ଼, ମଧ୍ୟପ୍ରଦେଶରେ ଯୁବ ବର୍ଗ ହିଁ ଜନସାଧାରଣଙ୍କ ଆସ୍ଥା ଜିତିବାରେ ସମର୍ଥ ହୋଇପାରିଛନ୍ତି ।
ଚଳିତ ନିର୍ବାଚନରେ କଂଗ୍ରେସ ବରିଷ୍ଠ ନେତାମାନଙ୍କୁ ହାତଛଡା କରି ନିର୍ବାଚନ ମୈଦାନକୁ ଓହ୍ଲାଇବାକୁ ଯାଉଛି । ନରସିଂହ ତାଙ୍କ ପୁଅଙ୍କୁ ତାଙ୍କ ପଦାଙ୍କ ଅନୁସରଣ କରିବାକୁ ଯୋଜନା କରୁଥିବାବେଳେ ସୁର ମଧ୍ୟ ତାଙ୍କ ଦୁଇ ପୁଅଙ୍କୁ ନିର୍ବାଚନରେ ପ୍ରାର୍ଥୀ କରିବାକୁ ଲାଗିପଡିଛନ୍ତି । ଯାହା କଂଗ୍ରେସର ପରିବାରବାଦ ରାଜନୀତିକୁ ନେଇ ହେଉଥିବା ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଉଛି । ସୁର ରାଉତରାୟ କହିଛନ୍ତି, ‘‘ମୁଁ ଆଉ ନିର୍ବାଚନ ଲଢିବି ନାହିଁ । ହେଲେ ମରିବା ପର୍ଯ୍ୟନ୍ତ କଂଗ୍ରେସରେ ରହିବି । ଜଟଣୀରେ କଂଗ୍ରେସର ପ୍ରାର୍ଥୀ ଯିଏ ହେବ ତାକୁ ସମର୍ଥନ କରିବି ।" ଖାଲି ନରସିଂହ କି ସୁର ନୁହେଁ, ଏମିତି ଅନେକ ବରିଷ୍ଠ ନେତା ଅଛନ୍ତି ଯେଉଁମାନେ ରାଜନୀତିରୁ ସନ୍ୟାସ ନେବା ପରେ ତାଙ୍କ ପରିବାର ସଦସ୍ୟଙ୍କୁ ଦାୟିତ୍ୱ ଦେଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି ।
ଏହା ମଧ୍ୟ ପଢନ୍ତୁ...ଜଟଣୀରେ ଜମିଲାଣି ନିର୍ବାଚନୀ ମାହୋଲ, ବଢୁଛି ଆଶାୟୀଙ୍କ ସଂଖ୍ୟା
ଏହା ମଧ୍ୟ ପଢନ୍ତୁ...ପରିବାରବାଦ ବିଜେପି କରୁଛି, ଗାନ୍ଧି ପରିବାର ଦେଶ ପାଇଁ ବଳିଦାନ ଦେଇଛି: କଂଗ୍ରେସ
ଏକଦା ମୁଖ୍ୟମନ୍ତ୍ରୀ ଏବଂ ସରକାରୀ ଦଳକୁ ନିଜ ପ୍ରଶ୍ନ ଦ୍ୱାରା ଶାଣିତ ଆକ୍ରମଣ କରୁଥିବା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ନିର୍ବାଚନ ଲଢିବେ ନାହିଁ । ସେହିପରି ନବୀନଙ୍କୁ ସିଧାସଳଖ ସମାଲୋଚନା କରି ଗଣମାଧ୍ୟମରେ ଶିରୋନାମା ପାଲଟିଥିବା ଜଟଣୀ ବିଧାୟକ ସୁର ରାଉତରାୟ ଆଉ ସକ୍ରିୟ ରାଜନୀତିରେ ରହିବେ ନାହିଁ । ତେବେ ନରସିଂହଙ୍କ ସ୍ଥାନରେ ତାଙ୍କ ପୁଅ ସମରେନ୍ଦ୍ର ବଲାଙ୍ଗୀରରୁ ନିର୍ବାଚନ ଲଢ଼ିବେ ଓ ସୁରଙ୍କ ସ୍ଥାନରେ ତାଙ୍କ ସାନ ପୁଅ ମନ୍ମଥ ନିର୍ବାଚନ ଲଢ଼ିବେ ବୋଲି ସେ ଘୋଷଣା କରିଥିଲେ । ପୂର୍ବରୁ AICC ଅଧିବେଶନରେ ନିଷ୍ପତ୍ତି ହୋଇଛି ଯୁବ ବର୍ଗଙ୍କୁ ଗୁରୁତ୍ୱ ଦେବ ଦଳ । ସୂଚନା ଅନୁସାରେ, ପୂର୍ବରୁ ସୁର ରାଉତରାୟ ସକ୍ରିୟ ରାଜନୀତିରୁ ସନ୍ୟାସ ନେବା ପାଇଁ ଘୋଷଣା କରିଥିଲେ ।
ଇଟିଭି ଭାରତ, ଭୁବନେଶ୍ବର