ଭୁବନେଶ୍ବର: ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଆଜି ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିଛନ୍ତି । ବିଶ୍ୱବିଦ୍ୟାଳୟ ସମ୍ମୁଖରେ ସ୍ଥାପତ୍ୟ ପାର୍କ ନିର୍ମାଣ କାର୍ଯ୍ୟ ୧୫ ଡିସେମ୍ବର ସୁଦ୍ଧା ସାରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ବିଶ୍ୱବିଦ୍ୟାଳୟକୁ ଏକ ଉତ୍କର୍ଷ କେନ୍ଦ୍ର ଭାବେ ଗଢି ତୋଳିବାକୁ ସମସ୍ତ ପ୍ରଚେଷ୍ଟା କରାଯିବ ସେ କହିଛନ୍ତି ।
ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ବାର୍ଷିକ ଚିତ୍ରକଳା ପ୍ରଦର୍ଶନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ । ଏହି ପ୍ରଦର୍ଶନୀରେ ବିଶ୍ୱବିଦ୍ୟାଳୟର ଚିତ୍ରକଳା, ସ୍ଥାପତ୍ୟ ଓ ବିଭିନ୍ନ ବିଭାଗରୁ ୨୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି । ସଂସ୍କୃତି ବିଶ୍ୱବିଦ୍ୟାଳୟରେ ଥିବା ବିଭିନ୍ନ ସମସ୍ୟା ସଂପର୍କରେ ଅବଗତ ହେବା ସହ ବିଶ୍ୱବିଦ୍ୟାଳୟ ଅତିରିକ୍ତ ଶାସନ ସଚିବ କର୍ତ୍ତୃପକ୍ଷ ଏବଂ ଛାତ୍ରଛାତ୍ରୀଙ୍କ ସହିତ ସେସବୁର ସମାଧାନ ଦିଗରେ ଆଲୋଚନା କରିଛନ୍ତି । ଏଠାରେ ଇଡକୋ ଦ୍ୱାରା ନିର୍ମିତ ୩ଟି ଏକାଡେମିକ ବ୍ଲକକୁ ପୂର୍ତ୍ତ ବିଭାଗ ଦ୍ୱାରା ଯାଞ୍ଚ କରାଯାଇ ଯଥାଶୀଘ୍ର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ଡିସେମ୍ବର ମାସ ୧୫ ତାରିଖ ସୁଦ୍ଧା ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଏକ ସ୍ଥାପତ୍ୟ ପାର୍କ ନିର୍ମାଣ କରିବା ପାଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।
ଏହା ସହ ବିଶ୍ୱବିଦ୍ୟାଳୟ ପରିସରରେ ଏକ ପ୍ରେକ୍ଷାଳୟ ଏବଂ ଏକ ଆର୍ଟ ଗ୍ୟାଲେରୀ ନିର୍ମାଣ କରିବା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି । ବିଶ୍ୱବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ କରି ଏହି ଅନୁଷ୍ଠାନକୁ ଭାଷା, ସାହିତ୍ୟ ଓ ସଂସ୍କୃତି ଶିକ୍ଷାର ଏକ ଉତ୍କର୍ଷ କେନ୍ଦ୍ର ଭାବେ ଗଢି ତୋଳିବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସମସ୍ତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବ୍ୟୋମକେଶ ତ୍ରିପାଠୀ, କୁଳ ସଚିବ ଅନନ୍ତ ବିଜୟ ପଟ୍ଟନାୟକ, ବିଶ୍ୱବିଦ୍ୟାଳୟ ଚିତ୍ରକଳା ବିଭାଗର ମୁଖ୍ୟ ଡ. ଚକ୍ରଧର ବେହେରାଙ୍କ ସମେତ ଅନ୍ୟ ସମସ୍ତ ବିଭାଗର ମୁଖ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ଭୁବନେଶ୍ବର