ଭୁବନେଶ୍ବର: ଓଡ଼ିଶାର ସହରାଞ୍ଚଳର ରୂପାନ୍ତରଣ ତଥା ଜଳବାୟୁ ପରିବର୍ତ୍ତନ ଅନୁକୂଳ ନଗର ସମୂହର ସମ୍ପଦ ସୃଷ୍ଟି ଦିଗରେ ପ୍ରେରିତ । ଏହି ଆଭିମୁଖ୍ୟ ତ୍ବରାନ୍ବିତ କରିବା ଲକ୍ଷ୍ୟରେ ଓଡ଼ିଶା ସରକାରଙ୍କ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପଦକ୍ଷେପ । ଜାଭିୟର ପରିଚାଳନା ପ୍ରତିଷ୍ଠାନ କନଭେନସନ ହଲରେ ପୌର ସଂସ୍ଥାର ଯନ୍ତ୍ରୀ ମାନଙ୍କ ପାଇଁ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଛି । କର୍ମଶାଳାକୁ ଉଦଘାଟନ କରିଛନ୍ତି ଓଡ଼ିଶା ସରକାରଙ୍କ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଜି. ମାଥିଭାତାନନ ।
ବିଭାଗ ପକ୍ଷରୁ ପ୍ରବର୍ତ୍ତିତ ମୁକ୍ତା, ଜାଗା ମିଶନ, ପାନୀୟ ଜଳ ଯୋଗାଣ ତଥା ପରିମଳ ଆଦି ଅଗ୍ରଣୀ କାର୍ଯ୍ୟକ୍ରମକୁ ତ୍ଵରିତ ରୂପେ ଅଗ୍ରସର କରାଇ ନେବା ପାଇଁ ଯନ୍ତ୍ରୀ ମାନଙ୍କୁ ସଚିବ ଅନୁପ୍ରେରିତ କରିଛନ୍ତି । ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ 5ଟି ସୁଶାସନ ମନ୍ତ୍ରରେ ଅନୁପ୍ରାଣିତ 'ଟିମ ଅର୍ବାନ' ପକ୍ଷରୁ ଗ୍ରହଣ କରାଯାଇଥିବା ଅଭିନବ ଉପକ୍ରମ ମାନ ଏବେ ସମଗ୍ର ବିଶ୍ବର ଦୃଷ୍ଟି ଆକର୍ଷଣ କରିଛି । ସ୍ବଳ୍ପ ବ୍ୟୟ ସମ୍ପନ୍ନ ପରିବେଶ ଅନୁକୂଳ ଅନ୍ତର୍ଭୁକ୍ତକରଣ ସୁନିଶ୍ଚିତ କରୁଥିବା ଓଡ଼ିଶା ସରକାରଙ୍କ ସହରାଞ୍ଚଳ ଉନ୍ନୟନ ପଦକ୍ଷେପ ସମୂହର ଜ୍ଞାନ କୌଶଳ ଆହରଣ ପାଇଁ ବିଶ୍ବର ଖ୍ୟାତି ସମ୍ପନ୍ନ ବ୍ୟକ୍ତିତ୍ଵ ତଥା ଦେଶ ଭିତର ଓ ବାହାରର ଉନ୍ନୟନ କର୍ମକର୍ତ୍ତା ମାନେ ବହୁବାର ଓଡ଼ିଶା ଆସୁଛନ୍ତି ।
ବିକେନ୍ଦ୍ରୀକରଣ ଓ ଗୋଷ୍ଠୀ ସହଯୋଗ ନଗର ଉନ୍ନୟନର ଦୁଇ ଚକ୍ଷୁ ସଦୃଶ । ଏହାର ସୁରକ୍ଷା ପ୍ରତି ଯତ୍ନଶୀଳ ଦେବାକୁ ସଚିବ ପରାମର୍ଶ ଦେଇଛନ୍ତି । ରାଜ୍ୟ ସରକାରଙ୍କ ପୌର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ଯନ୍ତ୍ରୀ ତଥା ଗୋଷ୍ଠୀ ସହଭାଗୀ ମାନଙ୍କୁ ସମ୍ପୂର୍ଣ୍ଣ ପାରଦର୍ଶିତା ଓ ସତର୍କତା ଅନୁପାଳନ ପୂର୍ବକ ସରକାରଙ୍କ 5ଟି ସୁଶାସନ ପଦ୍ଧତିର ପ୍ରମୁଖ ଦିଗ ସମୂହକୁ ଆନ୍ତରିକତାର ସହ ପାଳନ କରିବାକୁ ଆହ୍ଵାନ ଦେଇଛନ୍ତି । ରାଜ୍ୟ ସହରାଞ୍ଚଳ ଉନ୍ନୟନ ସଂସ୍ଥା (ସୁଡ଼ା)ର ନିର୍ଦ୍ଦେଶକ ଶାରଦା ପ୍ରସାଦ ପଣ୍ଡା ମୁଖ୍ୟମନ୍ତ୍ରୀ କର୍ମତତ୍ପର ଅଭିଯାନ (ମୁକ୍ତା) ପାଇଁ ନିର୍ଦ୍ଧାରିତ ସମୟ ସୀମା ବିଷୟରେ ସୂଚନା ଦେଇଛନ୍ତି । ବିଭାଗର ଆର୍ଥିକ ପରାମର୍ଶଦାତା ତଥା ସ୍ବତନ୍ତ୍ର ଶାସନ ସଚିବ ସଞ୍ଜୟ ପରମାଣିକ ଆର୍ଥିକ ସୁପରିଚାଳନା ପାଇଁ ଥିବା ମାର୍ଗଦର୍ଶିକା ସମ୍ପର୍କରେ ଉଲ୍ଲେଖ କରିଛନ୍ତି ।
କର୍ମଶାଳାର ବୈଷୟିକ ଅଧବେଶନରେ ଅଂଶଗ୍ରହଣ କରି ବିଭାଗୀୟ ମୁଖ୍ୟ ଯନ୍ତ୍ରୀ ତଥା ଅତିରିକ୍ତ ଶାସନ ସଚିବ ଡଃ ଭକ୍ତ କବି ଦାସ, ଓଡ଼ିଶା ଜଳ ଯୋଗାଣ ଓ ପରିମଳ ବୋର୍ଡ଼ର ପ୍ରକଳ୍ପ ନିର୍ଦ୍ଦେଶକ ଆର.ଏନ ମଲ୍ଲିକ, ସହରାଞ୍ଚଳ ଜଳ ପୁନଃ ବିନ୍ୟାସ ପ୍ରଭାଗର ପରାମର୍ଶଦାତା ଦେବସୁନ୍ଦର ମହାପାତ୍ର, ବେଙ୍ଗାଲୁରୁସ୍ଥିତ ଜନ ଅର୍ବାନ ସ୍ପେସ ଫାଉଣ୍ଡେସନର ବରିଷ୍ଠ ପ୍ରବନ୍ଧକ ଦର୍ଶନ ଶାହ ପ୍ରମୁଖ ଯନ୍ତ୍ରୀ ମାନଙ୍କର ଦକ୍ଷତା ବିକାଶ ପାଇଁ ବିଭିନ୍ନ ମାନକ ଅନୁପାଳନୀୟ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା କରିଛନ୍ତି । ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆୟୋଜିତ ଏହିଭଳି ଦକ୍ଷତା ବିକାଶ କର୍ମଶାଳା ମାଧ୍ୟମରେ ବିଭିନ୍ନ ପୌର ସଂସ୍ଥା ମାନଙ୍କର ୩୨୦ରୁ ଅଧିକ ଯନ୍ତ୍ରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର