ଭୁବନେଶ୍ବର: ରାଜଧାନୀରେ ଚାଲିଛି PNG ଗ୍ୟାସ ପାଇପଲାଇନ ସଂଯୋଗୀକରଣ । ଲୋକମାନେ ଏହାକୁ ବ୍ୟବହାର କରି ଖୁସି ଅଛନ୍ତି ନା ନାହିଁ । ଏଲପିଜି ଗ୍ୟାସ ଠାରୁ ଏହା ଶସ୍ତାରେ ମିଳୁଛି ନା ନାହିଁ । ଗ୍ୟାସ୍ ପାଇପ୍ଲାଇନ୍ ନେଇ ଲୋକଙ୍କ ଉପଲବ୍ଧି କଣ ? ଏ ସବୁକୁ ଗ୍ରାଉଣ୍ଡ ଜିରୋରେ ଯାଇ ବୁଲି ଦେଖିଲେ କେନ୍ଦ୍ର ଉଚ୍ଚଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପୋଖରୀପୁଟ ବିଡ଼ିଏ କଲୋନି ସ୍ଥିତ ଅଶୋକ ପ୍ରଧାନଙ୍କ ଘରେ ଚା' ପିଇ ଗ୍ୟାସ ପାଇପଲାଇନ ଉପଯୋଗିତା ସମ୍ପର୍କରେ ମନ୍ତ୍ରୀ ପଚାରି ବୁଝିଛନ୍ତି ।
ଭୁବନେଶ୍ୱରରେ ଏ ପର୍ଯ୍ୟନ୍ତ 50 ହାଜର ଘରକୁ ଗ୍ୟାସ ପାଇପଲାଇନ୍ ସଂଯୋଗ ହୋଇଥିବା ବେଳେ କଟକ ସହରରେ 20 ହାଜର ଘରକୁ ଏହି ସଂଯୋଗ ଦିଆ ସାରିଲାଣି । ଏପର୍ଯ୍ୟନ୍ତ 15 ହାଜର ପରିବାର ପାଇପଲାଇନ୍ ଯୋଗେ ଗ୍ୟାସ ବ୍ୟବହାର କରୁଛନ୍ତି । ତେବେ ଭୁବନେଶ୍ୱରରେ ପାଇପ୍ଲାଇନରେ ରନ୍ଧନ ଗ୍ୟାସ୍ ପାଇ କେନ୍ଦ୍ରମନ୍ତ୍ରୀଙ୍କୁ ଉପକୃତ ହୋଇଥିବା କହିଲେ ଅନନ୍ତବିହାର ଅଞ୍ଚଳର ଅଶୋକ ପ୍ରଧାନ । ପାଇପଲାଇନରେ ଆସୁଥିବା ଗ୍ୟାସ ଅନ୍ୟ ଇନ୍ଧନ ଠାରୁ ଢେର ମାତ୍ରାରେ ଶସ୍ତା ଓ ସୁବିଧାଜନକ । ଏହି ସୁବିଧା ଦ୍ୱାରା ଗ୍ୟାସ ବୁକିଂ, ଡେଲିଭରି କରିବାର ସମସ୍ୟା ନାହିଁ ବୋଲି ସେ କହିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ: CNG And PNG Price: କମିଲା ସିଏନଜି ଓ ପିଏନଜି ଦର, ଜାଣନ୍ତୁ କେତେ
ଏହି ପରିପ୍ରେକ୍ଷୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, "୨୦୧୮ ଅକ୍ଟୋବରରେ ଭୁବନେଶ୍ୱରରେ ଗେଲ୍ ଦ୍ୱାରା ଘରେ ଘରେ ପିଇବା ପାଣି ଭଳି ପାଇପ ଯୋଗେ ଅତ୍ୟାଧୁନିକ ଶୈଳୀରେ ଗ୍ୟାସ ପହଞ୍ଚାଇବା ଭଳି ଯୋଜନା ଆରମ୍ଭ ହୋଇଥିଲା । ଘରେ ଘରେ ପାଇପ୍ଲାଇନ କାମ ଜାଣିବା ପାଇଁ ଅନନ୍ତବିହାର ସ୍ଥିତ ଲାଭାର୍ଥୀ ଅଶୋକ ପ୍ରଧାନଙ୍କ ଘରକୁ ଚା’ ପିଇବା ପାଇଁ ଆସିଥିଲି । ସେ ତାଙ୍କ ଘରେ ୧୫ ଦିନ ହେବ ପିଏନଜି ଗ୍ୟାସ କନେକ୍ସନ କରିଛନ୍ତି । ଭୁବନେଶ୍ୱରରେ ପାଇପଲାଇନରେ ରନ୍ଧନ ଗ୍ୟାସ ଆସିବା କାରଣରୁ ସେମାନଙ୍କ ପରିବାର ଖୁସିବ୍ୟକ୍ତ କରିବା ସହ ବେଶ୍ ଉପକୃତ ହେଉଥିବା କହିଛନ୍ତି । ପାଇନଲାଇନରେ ଆସୁଥିବା ଗ୍ୟାସ ଅନ୍ୟ ଇନ୍ଧନ ଠାରୁ ଢେର ମାତ୍ରାରେ ଶସ୍ତା ଓ ସୁବିଧାଜନକ । ପ୍ରଧାନମନ୍ତ୍ରୀଙ୍କ ନାଗରିକଙ୍କ ଇଜ୍ ଅଫ୍ ଲିଭିଂ ବା ସହଜ ଜୀବନଯାପନ ପ୍ରଣାଳୀ କରିବା ଦିଗରେ ଏହା ଏକ ବଡ ଉଦାହରଣ । କାରଣ ଏହି ସୁବିଧା ଦ୍ୱାରା ଗ୍ୟାସ ବୁକିଂ, ଡେଲିଭରି କରିବାର ସମସ୍ୟା ନାହିଁ । ଇଲେକ୍ଟ୍ରି ଓ ପାନୀୟ ଜଳ ଭଳି ଏହା ମଧ୍ୟ ସାଧାରଣ ସୁବିଧା ।"
କଟକ ଓ ଭୁବନେଶ୍ୱରରେ ପ୍ରାୟ ୫୦ ହଜାର ଘରେ ଗ୍ୟାସ ପାଇପଲାଇନ ସଂଯୋଗ କରାଯାଇଛି । ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ଅଧୀନରେ ଜଗଦିଶପୁର-ହଳଦିଆ ଏବଂ ବୋକାରୋ-ଧାମରା ପାଇପଲାଇନ କାମ ଶେଷ ହୋଇଛି । ଏହା ଭାରତ ସରକାରଙ୍କ ମହତ୍ୱାକାଂକ୍ଷୀ କାମ । ଓଡ଼ିଶାରେ ନାଗରିକଙ୍କ ସୁବିଧା ପାଇଁ ଅଧା ଜିଲ୍ଲାରେ ପାଇପ ଯୋଗେ ଗ୍ୟାସର ସୁବିଧା କରାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର