ଭୁବନେଶ୍ବର: ବଲାଙ୍ଗୀର ନକଲି ସାର୍ଟିଫିକେଟ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା । ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ପାଇଁ ପୋଷ୍ଟାଲ ବିଭାଗ ସିବିଆଇକୁ ଲେଖିଛି । ଏହାସହିତ ଓଡ଼ିଶା ସରକାର ମଧ୍ୟ ଏହାର ଅନୁସନ୍ଧାନ କରୁଛନ୍ତି । ଏହାର ଚେର ବହୁତ ଲମ୍ବା ବହୁତ ଗଭୀର । ଦେଖାଯାଉ ଅନୁସନ୍ଧାନ କୁଆଡ଼କୁ ଯାଉଛି ମତ ରଖିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଡାକ ପରେ ଏବେ ଶିକ୍ଷା ବିଭାଗରେ ନକଲି ସାର୍ଟିଫିକେଟ ଦେଖିବାକୁ ମିଳିଛି । କିଛି ଦିନ ହେଲା କିଛି ବିଭାଗରେ ନକଲି ସାର୍ଟିଫିକେଟ ଧରପଗଡ ଚାଲିଛି। ଗଦା ଗଦା ନକଲି ସାର୍ଟିଫିକେଟ । ରାଜ୍ୟର ପୂର୍ବ ପଶ୍ଚିମ ଓ ଦକ୍ଷିଣ ଯାଏଁ ନକଲି ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର କାରବାର ଚେର ଲମ୍ବିଛି। ଏହାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ହାତକୁ ନେଇଛି ତଦନ୍ତଭାର । ସୂଚନା ମୁତାବକ ନକଲି ସାର୍ଟିଫିକେଟ କାରବାରରେ ପ୍ରାୟ ୮ଟି ରାଜ୍ୟରୁ ଅଧିକ ସ୍କୁଲ, କଲେଜ ଓ ବିଶ୍ବବିଦ୍ୟାଳୟର ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର କ୍ରାଇମବ୍ରାଞ୍ଚ ହାତରେ ଲାଗିଛି । ଗୋଟିଏକୁ ଦୁଇଟି ଶିକ୍ଷା ଅନୁଷ୍ଠାନ ନୁହେଁ । ସାରା ଦେଶର ନାମୀଦାମୀ ୪୦ରୁ ଊର୍ଦ୍ଧ୍ବ ବିଶ୍ବବିଦ୍ୟାଳୟରେ ନକଲି ସାର୍ଟିଫିକେଟ ପ୍ରସ୍ତୁତ ହେଉଥିବା ଜଣାପଡିଛି।
ଏହା ବି ପଢନ୍ତୁ- ଖରା ବଢିଲେ ପରିସ୍ଥିତି ଦେଖି ନିଷ୍ପତ୍ତି, ଶ୍ରମିକଙ୍କୁ 11ରୁ 3 କାମ ନକରିବାକୁ ନିର୍ଦ୍ଦେଶ
ଏହି ସମସ୍ତ ସାର୍ଟିଫିକେଟ ଲକ୍ଷଲକ୍ଷ ଟଙ୍କାରେ ଚାକିରି ଆଶାୟୀମାନଙ୍କୁ ବିକ୍ରି ହେଉଥିବା ଅଭିଯୋଗ ହୋଇଛି । ଶିକ୍ଷା ବିଭାଗରେ ନକଲି ସାର୍ଟିଫିକେଟ ନୂଆ ନୁହେଁ । ଏମିତି ଅନେକ ଶିକ୍ଷକ ଛାତ୍ରଛାତ୍ରୀ ନକଲି ସାର୍ଟିଫିକେଟରେ ଶିକ୍ଷାଗତ ଯୋଗ୍ୟତା ଅର୍ଜନ କରି ଚାକିରି କରୁଛନ୍ତି । କିନ୍ତୁ ଚଳିତ ବର୍ଷ ପ୍ରଥମ କରି ରାଜ୍ୟରେ ଡାକ ବିଭାଗରେ ନକଲି ସାର୍ଟିଫିକେଟ ଦେଖିବାକୁ ମିଳିଛି । ଫେବୃଆରୀ ମାସରେ ପାଖାପାଖି ୮୩ଟି ବ୍ରାଞ୍ଚ ପୋଷ୍ଟ ମ୍ୟାନେଜର, ଆସିଷ୍ଟାଣ୍ଟ ବ୍ରାଞ୍ଚ ପୋଷ୍ଟ ମ୍ୟାନେଜର, ଡାକ ସେବକ ପଦବୀ ପାଇଁ ବିଜ୍ଞାପନ ଦିଆଯାଇଥିଲା । ଏହି ବିଜ୍ଞାପନ ବାହାରିବା ପରେ ଯେଉଁ ଆଶାୟୀମାନେ ଆବେଦନ କରିଥିଲେ ସେମାନଙ୍କ ମଧ୍ୟରୁ ଅନେକ ନକଲି ସାର୍ଟିଫିକେଟରେ ଆବେଦନ କରିଥିଲେ ।
ଯାହା ବଲାଙ୍ଗୀର ଜିଲ୍ଲାରେ ଗତ ମାର୍ଚ୍ଚ ୨୩ ତାରିଖରେ ସମ୍ପୂର୍ଣ୍ଣ ଘଟଣା ସାମ୍ନାକୁ ଆସିଥିଲା । ବଲାଙ୍ଗୀର ଡାକ ମଣ୍ଡଳରେ ୩୮ଜଣ ଆଶାୟୀଙ୍କ ସାର୍ଟିଫିକେଟ୍ ଯାଞ୍ଚ ବେଳେ ଜାଲିଆତି ସାମ୍ନାକୁ ଆସିଥିଲା । ଏହି ଘଟଣାରେ ତଦନ୍ତ ପ୍ରଥମେ ବଲାଙ୍ଗୀର ଟାଉନ ଥାନା କରିଥିଲା । ରାଜ୍ୟ ବାହାର ଲିଙ୍କ୍ ସାମ୍ନାକୁ ଆସିବା ପରେ ରାଜ୍ୟ ସରକାର କ୍ରାଇମବ୍ରାଞ୍ଚକୁ ତଦନ୍ତର ଭାର ଦେଇଛନ୍ତି ।
ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଥିଲେ ଯେ, ସବୁ ବିଭାଗରେ ଧରପଗଡ଼ ଚାଲିଛି । ଆମ ବିଭାଗ ବହୁ ପୂର୍ବରୁ ନକଲି ଶିକ୍ଷକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା । ଅନେକ ଗିରଫ ବି ହୋଇଛନ୍ତି । ଚାକିରିରୁ କିଛି ବହିଷ୍କାର ବି ହୋଇଛନ୍ତି । କ୍ରାଇମବ୍ରାଞ୍ଚ ଏହି ପ୍ରସଙ୍ଗକୁ ନେଇ ତଦନ୍ତ କରୁଛି । ଅଧିକ କିଛି ଜାଣିବା ପାଇଁ କ୍ରାଇମବ୍ରାଞ୍ଚ ରାଜ୍ୟ ବାହାରକୁ ଯିବ । ଶିକ୍ଷା ବିଭାଗକୁ ରାଜ୍ୟ ରାଜ୍ୟକୁ ଯିବାକୁ ପଡିବ ନାହିଁ ।
ଇଟିଭି ଭାରତ, ଭୁବନେଶ୍ବର