ଭୁବନେଶ୍ବର: ବାଲେଶ୍ଵର ରେଳ ଦୁର୍ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଉଚ୍ଚସ୍ତରୀୟ ତଦନ୍ତର ଆବଶ୍ୟକତା ରହିଥିଲା । ରେଳବୋର୍ଡରୁ ସୁପାରିଶ ଆଧାରରେ ଘଟଣାରୁ ସିବିଆଇ ତଦନ୍ତ ହେବ । ସିବିଆଇ ତଦନ୍ତ ଘଟଣାର ନିର୍ଣ୍ଣାୟକ ମୋଡ଼ ପର୍ଯ୍ୟନ୍ତ ନେବାକୁ ସହାୟତା ହେବ ବୋଲି ଆଶା କରିଛନ୍ତି ଧର୍ମେନ୍ଦ୍ର । ମୃତାହତ ସଂଖ୍ୟାକୁ ନେଇ ସୃଷ୍ଟି ହୋଇଥିବା ଦ୍ଵନ୍ଦ୍ବ ଉପରେ ଜବାବ ରଖିଛନ୍ତି ମନ୍ତ୍ରୀ ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, "ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ରେଳ ସୁରକ୍ଷା କମିଶନ ପ୍ରାରମ୍ଭିକ ଅନୁସନ୍ଧାନ କରିଛି । ତାହାର ତଥ୍ୟ ଆଧାରରେ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ରେଳ ବୋର୍ଡ ପରାମର୍ଶ ଦେଇଥିଲେ । ଘଟଣାର ତଦନ୍ତ ଦାୟିତ୍ବ ସିବିଆଇ ନେବ ବୋଲି ଘୋଷଣା ହୋଇଛି । ସିବିଆଇ ତଦନ୍ତକୁ ଅପେକ୍ଷା କରାଯାଉ । ଘଟଣାର ଗମ୍ଭୀରତାକୁ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଯେ, ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତିବିଶେଷ ବା ଦୋଷୀଙ୍କୁ ଛଡା ଯିବନାହିଁ । ଗଠନମୂଳକ ଅନ୍ତଃ ପର୍ଯ୍ୟନ୍ତ ଦୁର୍ଘଟଣାର ତଦନ୍ତକୁ ନେବାକୁ ପଡିବ । ଲୋକଙ୍କ ସୁରକ୍ଷା, ରେଳବାଇ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗର ଦାୟିତ୍ବ ଏଥିରେ ସଂଶ୍ଲିଷ୍ଟ ଅଛି । ତେଣୁ ଏହି ଘଟଣାର ତଦନ୍ତ ସଠିକ ଦିଗରେ ଯିବ । ସିବିଆଇ ଘଟଣାର ତଦନ୍ତ ନିର୍ଣ୍ଣାୟକ ମୋଡ଼ ପର୍ଯ୍ୟନ୍ତ ନେବାକୁ ସହାୟତା ହେବ ।"
ଏହା ମଧ୍ୟ ପଢ଼ନ୍ତୁ...Odisha Train Tragedy: ରେଳ ଦୁର୍ଘଟଣାର ହେବ CBI ତଦନ୍ତ
ସେହିପରି ଏହି ଦୁର୍ଘଟଣା ପଛରେ ଅପରାଧିକ ଷଡ଼ଯନ୍ତ୍ର ରହିଛି କି ପ୍ରଶ୍ନରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, "ଅପରାଧିକ ଷଡ଼ଯନ୍ତ୍ର କହିବା ପୂର୍ବରୁ ତଦନ୍ତକୁ ଅପେକ୍ଷା କରାଯାଉ । ବୈଷୟିକ କଥା ଏଥିରେ ସଂପୃକ୍ତ ଅଛି । କୌଣସି କଥା ସାଧାରଣ ଲୋକଙ୍କ ପରି ତରବରିଆ ଭାବେ ନକହି ତଦନ୍ତକୁ ଅପେକ୍ଷା କରିବା ଉଚିତ ହେବ । ଦୁର୍ଘଟଣାକୁ ଅନୁଧ୍ୟାନ କରୁଥିବା ଅନୁଭବୀ ଲୋକ, ରେଳ ବୋର୍ଡର ପୂର୍ବତନ ଅଧିକାରୀ ବକ୍ତବ୍ୟ ଓ ଲେଖା ନଜରକୁ ଆସିଛି । ରେଳବାଇ ଅଧିକାରୀଙ୍କ କହିବା କଥା ଏପରି ଘଟଣା କେବେ ହୋଇନାହିଁ । ସିଗ୍ନାଲିଂକୁ ନେଇ ଏ ଯେଉଁ ଘଟଣା ଘଟିଛି ତାହା ଆଗରୁ କେବେ ହୋଇନାହିଁ । ତେଣୁ ଘଟଣାର ଗମ୍ଭୀରତା ରହିଛି । ତେଣୁ ଏହାର ତଦନ୍ତ ଯୋଗ୍ୟ ଅନୁସନ୍ଧାନକାରୀ ସଂସ୍ଥା କରିବାର ଆବଶ୍ୟକତା ଥିଲା । ଫଳରେ ଘଟଣାର ଲଜିକାଲ ଏଣ୍ଡ୍ ପର୍ଯ୍ୟନ୍ତ ଯାଇହେବ ।
ଇଟିଭି ଭାରତ, ଭୁବନେଶ୍ବର