ଭୁବନେଶ୍ବର: ଭାରତ ସରକାରଙ୍କ ଏକ ଭାରତ ଶ୍ରେଷ୍ଠ ଭାରତ - ଯୁବା ସଂଗମ କାର୍ଯ୍ୟକ୍ରମ ଅଧୀନରେ ଯୋଡି ହୋଇଥିବା ଯୁବବର୍ଗଙ୍କ ଅନୁଭବରୁ ଯେଉଁ ଦୃଢ଼ ଇଚ୍ଛାଶକ୍ତି ଏବଂ ଆତ୍ମବିଶ୍ବାସ ରହିଛି ତାହା ପ୍ରେରଣାଦାୟୀ ଓ ଉତ୍ସାହପୂର୍ଣ୍ଣ । ଯୁବା ସଂଗମ ସମାଜରେ ସ୍ନେହ ଓ ଶ୍ରଦ୍ଧା ସହ ଏକତାର ଭାବକୁ ଉଜାଗର କରୁଛି । ଏହା ଯୁବଶକ୍ତିଙ୍କୁ ଆମ ଐତିହ୍ୟର ଗଭୀରତା ସହ ଯୋଡିବା ସହ ବିଶ୍ବ କଲ୍ୟାଣ ପାଇଁ ସେମାନଙ୍କର ଦାୟିତ୍ବକୁ ଅନୁଭବ କରାଉଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଭୁବନେଶ୍ବର ସ୍ଥିତ ଏକ ଘରୋଇ ବିଶ୍ବବିଦ୍ୟାଳୟରେ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଯୁବା ସଂଗମ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଳ୍ପନା ହେଉଛି ଏକ ଭାରତ-ଶ୍ରେଷ୍ଠ ଭାରତ । ଶିକ୍ଷାନୁଷ୍ଠାନ ଗୁଡିକରେ ଏହାକୁ କ୍ରିୟାନ୍ବୟନ କରି ଆଜିର ଯୁବପିଢିଙ୍କୁ ଭାରତର ବିଭିନ୍ନ ରାଜ୍ୟକୁ ପର୍ଯ୍ୟଟକ ଭାବରେ ନେଇ ବୁଲାଇବା ଓ ସେଠାକାର ସାମାଜିକ ସମ୍ପର୍କ ସହ ସଂସ୍କୃତି ଓ ପରମ୍ପରାକୁ ଅନୁଭବ କରାଇବା ପାଇଁ ନେବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ । ଯୁବା ସଂଗମ ୨.୦ରେ ରାଜସ୍ଥାନ ଏନଆଇଟି ନେତୃତ୍ବରେ ରାଜସ୍ଥାନ ଛାତ୍ରଛାତ୍ରୀମାନେ ଓଡିଶାକୁ ଆସିଛନ୍ତି । ଆଇଆଇଟି ଭୁବନେଶ୍ବର ନେତୃତ୍ବରେ ଓଡିଆ ଛାତ୍ରଛାତ୍ରୀମାନେ ରାଜସ୍ଥାନ ଯାଇଥିଲେ । ଏହା ପୂର୍ବରୁ ଯୁବା ସଂଗମ ୧ରେ ସିକିମ ଛାତ୍ରୀଛାତ୍ରୀମାନେ ଏନଆଇଟି ରାଉରକେଲା ଆସିଥିଲେ ଏବଂ ଏନଆଇଟି ରାଉରକେଲା ନେତୃତ୍ବରେ ଓଡିଆ ଛାତ୍ରଛାତ୍ରୀମାନେ ସିକିମ ଯାଇଥିଲେ ।
ଏହାବି ପଢନ୍ତୁ- Police Recruitment Board : ସ୍ଥାୟୀ ପୋଲିସ ଚୟନ ବୋର୍ଡକୁ ମୁଖ୍ୟମନ୍ତ୍ରୀଙ୍କ ସ୍ବୀକୃତି
ଏବେ ଭାରତର ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଏହି କାର୍ଯ୍ୟକ୍ରମ ଅଧୀନରେ ୪ ମାସ ମଧ୍ୟରେ ଯୋଡାଯାଇ ସାରିଲାଣି । ପାଖାପାଖି ଅଢେଇ ହଜାର ଯୁବ ଛାତ୍ରଛାତ୍ରୀ ଭାରତବର୍ଷର ସବୁ ରାଜ୍ୟକୁ ବୁଲିବା ପାଇଁ ଯାଉଛନ୍ତି । ଏହା ଦ୍ବାରା ସମାଜରେ ଏକତାର ଭାବ, ସ୍ନେହ ଓ ଶ୍ରଦ୍ଧା ବଢୁଛି । ଏହା ହିଁ ଏକ ଭାରତର ମୂଳ ମନ୍ତ୍ର । ଯୁବା ସଂଗମକୁ ଆଗକୁ ଜାରୀ ରଖିବା ପାଇଁ ଶିକ୍ଷା ମନ୍ତ୍ରଣାଳୟ ପ୍ରତିଶ୍ରୁତିବଦ୍ଧ । ପ୍ରତି ଦୁଇ ମାସକୁ ଥରେ ଶିକ୍ଷାନୁଷ୍ଠାନ ଗୁଡିକରେ ପ୍ରତିଯୋଗିତା ଆଧାରରେ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇ ବାହାରକୁ ନିଆଯିବ ଏବଂ ତାହାର ସବୁ ବ୍ୟବସ୍ଥା ଭାରତ ସରକାର ବହନ କରିବେ ବୋଲି ଶିକ୍ଷାମନ୍ତ୍ରୀ କହିଛନ୍ତି ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ରାଜସ୍ଥାନରୁ ଆସିଥିବା ଯୁବବନ୍ଧୁମାନେ ପାରାଦ୍ବୀପ ରିଫାଇନାରୀ ପରଦର୍ଶନ କରିଛନ୍ତି । ଏହି ପାରାଦୀପ ରିଫାଇନାରୀର ଢାଞ୍ଚା ହିଁ ଭାରତର ପରିବର୍ତ୍ତନକୁ ସୂଚିତ କରୁଛି । ସେହିପରି ରଘୁରାଜପୁରର କଳା କାରିଗରୀ ଦୁନିଆରୁ ସବୁ କଳାକୃତିଠୁ ଊର୍ଦ୍ଧ୍ବରେ ବୋଲି ଅନୁଭବ ହୁଏ । ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ନିଜ ସନ୍ତାନ ଶରୀର ଅସୁସ୍ଥତା ଥିବା ସତ୍ତ୍ବେ ସମାଜସେବା ପାଇଁ ଆଗେଇ ଆସିଥିଲେ । ସେହିଭଳି ଭାବରେ ଯୁବା ସଂଗମ ଅଧୀନରେ ରାଜସ୍ଥାନ ବୁଲିଥିବା ଓଡିଶାର ପିଲାମାନେ ଏବଂ ଓଡିଶା ବୁଲିଥିବା ରାଜସ୍ଥାନର ପିଲା ମାନଙ୍କର ଅନୁଭୂତିର ଏବଂ ସମର୍ପଣ ଭାବନା ଅବିଶ୍ବନୀୟ ଥିଲା । ଭାରତକୁ ଶ୍ରେଷ୍ଠ ଭାରତରେ ପରିଣତ କରିବା ପାଇଁ ସମସ୍ତଙ୍କୁ ଉଦ୍ୟମ କରିବା ପାଇଁ ଧର୍ମେନ୍ଦ୍ର ପ୍ରଧାନ ପରାମର୍ଶ ଦେଇଥିଲେ ।
କାର୍ଯ୍ୟକ୍ରମରେ ଦୈନିକ ସମ୍ବାଦପତ୍ର ସମାଜର ସମ୍ପାଦକ ନିରଞ୍ଜନ ରଥ ଯୋଗଦେଇ ଯୁବା ସଂଗମକୁ ପ୍ରଶଂସା କରିବା ସହ ଯୁବପିଢିମାନେ ଲକ୍ଷ୍ୟ ପଥରେ ଯାଆନ୍ତୁ ଏବଂ ସଫଳ ହୁଅନ୍ତୁ ବୋଲି କହିଥିଲେ । ଲେଖକ ହରପ୍ରସାଦ ଦାସ ଯୋଗଦେଇ କହିଛନ୍ତି ଯେ ଏଭଳି କାର୍ଯ୍ୟକ୍ରମ ଆମ ସମୟରେ ନଥିଲା । ଏଭଳି କାର୍ଯ୍ୟକ୍ରମ ବର୍ତ୍ତମାନ ସମୟରେ ଏକ ବଡ ଉପଲବ୍ଧି । ଯୁବା ସଂଗମ ନୂଆ ଭାରତର ପ୍ରତୀକ ବୋଲି କହିଥିଲେ । ସେହିପରି ରାଜସ୍ଥାନ ଓ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ଛାତ୍ରଛାତ୍ରୀ ନିଜ ଅନୁଭୂତି ବର୍ଣ୍ଣନା କରିବା ସହ ଏଭଳି କାର୍ଯ୍ୟକ୍ରମ ପାଇଁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଥିଲେ ।
ଇଟିଭି ଭାରତ, ଭୁବନେଶ୍ବର