ଭୁବନେଶ୍ବର: ଓଡ଼ିଶାରେ ଖୋଲିବ ଜାତୀୟ ବ୍ୟାଧି ନିୟନ୍ତ୍ରଣ କେନ୍ଦ୍ର (ଏନ୍ସିଡିସି)ର ଆଞ୍ଚଳିକ ଶାଖା । ମହାମାରୀ ରୋଗର ସଂକ୍ରମଣକୁ ରୋକିବା ଓ ଏହାର ସଫଳ ମୁକାବିଲା କରିବା ପାଇଁ ଖୁବଶୀଘ୍ର ରାଜ୍ୟରେ ଏହା ଖୋଲିବାକୁ ଯାଉଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଓଡ଼ିଶା ସମେତ 6 ରାଜ୍ୟରେ ଏହାର ଶିଳାନ୍ୟାସ କରିଛନ୍ତି । ଆସାମ, ତାମିଲନାଡୁ, ହରିୟାଣା, ପଶ୍ଚିମବଙ୍ଗ, କର୍ଣ୍ଣାଟକ ଓ ମିଜୋରାମରେ ଏନ୍ସିଡିସି ରାଜ୍ୟ ଶାଖା ସମେତ ହିମାଚଳ ପ୍ରଦେଶ ଓ ଝାଡଖଣ୍ଡରେ ବିଏସ୍ଏଲ୍-୩ର ଦୁଇଟି ପରୀକ୍ଷାଗାରର ଶିଳାନ୍ୟାସ କରିଛନ୍ତି । ଏହି ନୂଆ ଏନ୍ସିଡିସି ଶାଖା ଏବଂ ବିଏସ୍ଏଲ-୩ ଲ୍ୟାବ ସାମଗ୍ରିକ ସ୍ୱାସ୍ଥ୍ୟ ଆଭିମୁଖ୍ୟରେ ଦେଶର ମହାମାରୀ ମୁକାବିଲା ଓ ବ୍ୟାଧି ସତର୍କତା ସାମର୍ଥ୍ୟକୁ ସୁଦୃଢ କରିବାରେ ସମର୍ଥ ହେବ ବୋଲି କୁହାଯାଇଛି ।
ଏନ୍ସିଡିସିର ଏହି ଆଞ୍ଚଳିକ ଶାଖା ସିସିଏଚ୍ଏଫ୍, କେଏଫ୍ଡି, ସ୍କ୍ରବ ଟାଇଫସ୍ ଭଳି ସମ୍ପୃକ୍ତ ଅଞ୍ଚଳରେ ଦେଖାଯାଉଥିବା ବିଭିନ୍ନ ସଂକ୍ରାମକ ରୋଗର ସଫଳ ମୁକାବିଲା କରିପାରିବ । ଏନ୍ସିଡିସିର ପ୍ରଦେଶିକ ଶାଖା ଓ ବିଏସ୍ଏଲ-୩ ପରୀକ୍ଷାଗାର ଦ୍ୱୟ କାର୍ଯ୍ୟକ୍ଷମ ହେଲେ ଅତି ସଂକ୍ରାମକ ଓ ମହାମାରୀ ଭଳି ରୋଗର ସଂକ୍ରମଣକୁ ରୋକିବା ଓ ଏହାର ସଫଳ ମୁକାବିଲା କରିବାରେ ବିଶେଷ ଭାବରେ ସହାୟକ ହେବ । ସହଜ ଓ ସୁବିଧାରେ ଏହି କେନ୍ଦ୍ରରେ ରୋଗର ପରୀକ୍ଷା ଓ ଚିହ୍ନଟ କରାଯାଇପାରିବ । ସର୍ବୋପରି ଏହାଦ୍ୱାରା ପ୍ରଦେଶିକ ଓ ଆଞ୍ଚଳିକ ସ୍ତରରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଦକ୍ଷତା ବୃଦ୍ଧି କରାଯାଇପାରିବ ।
ଏହାମଧ୍ୟ ପଢନ୍ତୁ... ଆସନ୍ତାକାଲି ଲୋକାର୍ପିତ ହେବ ବହୁ ପ୍ରତୀକ୍ଷିତ ଲୋୟର ଶୁକତେଲ ପ୍ରକଳ୍ପ
ଏନେଇ କେନ୍ଦ୍ରସ୍ଵାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, "ମହାମାରୀ ମୁକାବିଲା ପ୍ରସ୍ତୁତି ଓ ବ୍ୟାଧି ପ୍ରତି ସତର୍କତା ସ୍ୱାସ୍ଥ୍ୟସେବାର ଦୁଇଟି ଗୁରୁତ୍ୱପୂର୍ଣ୍ଣ ଦିଗ । ଏହା ସବୁ ଲୋକଙ୍କ ପାଖରେ ବିଶେଷକରି ସମାଜର ଦୁର୍ବଳ ବର୍ଗ ଲୋକଙ୍କ ପାଖରେ ପହଞ୍ଚିବା ଆବଶ୍ୟକ । ଏହାଦ୍ୱାରା ସେମାନେ ମହାମାରୀ ଓ ସଂକ୍ରାମକ ବ୍ୟାଧିରୁ ଅଧିକ ସୁରକ୍ଷିତ ଭାବରେ ଜୀବନଯାପନ କରିପାରିବେ । ସଂକ୍ରାମକ ବ୍ୟାଧି ସମ୍ପର୍କରେ ଲୋକଙ୍କୁ ସତର୍କ ଓ ସଚେତନ କରିବା ସହିତ ଏହାର ଉପଯୁକ୍ତ ମୁକାବିଲା ପାଇଁ କେନ୍ଦ୍ର ସରକାର ସବୁବେଳେ ଆଗେଇ ଆସୁଛନ୍ତି । ଜାତୀୟ ବ୍ୟାଧି ନିୟନ୍ତ୍ରଣ କେନ୍ଦ୍ର (ଏନ୍ସିଡିସି) ମାଧ୍ୟମରେ ସରକାର ଏହି କାମକୁ ସୁଦୃଢ କରୁଛନ୍ତି । ଜନସ୍ୱାସ୍ଥ୍ୟ ସତର୍କତା ଓ ପ୍ରତିବିଧାନ କ୍ଷେତ୍ରରେ ଏନ୍ସିଡିସି ନୋଡାଲ ଏଜେନ୍ସି ଭାବେ କାର୍ଯ୍ୟ କରୁଛି । ବ୍ୟାକ୍ଟେରିଆ, ଭାଇରସ୍, ଜୁନୋଟିକ୍ ସଂକ୍ରମଣ ଓ ପାରାସିଟିକ୍ ରୋଗର ନିଦାନ, ପରୀକ୍ଷା ନିରୀକ୍ଷା, ପ୍ରତିକାର ଓ ସତର୍କତା ଆଦି କ୍ଷେତ୍ରରେ ଏହା ରାଜ୍ୟମାନଙ୍କୁ ଆବଶ୍ୟକ ସମର୍ଥନ, ସହାୟତା ଓ ପରାମର୍ଶ ଯୋଗାଇ ଦେଉଛି ।"
ଇଟିଭି ଭାରତ, ଭୁବନେଶ୍ବର