ଖୋର୍ଦ୍ଧା: ଚିଲିକାରେ ଚାଲିଥିଲା ବେଆଇନ ପକ୍ଷୀ ଶିକାର । ଡଙ୍ଗାରେ ବନ୍ଧୁକ ସାହାଯ୍ୟରେ ପକ୍ଷୀ ଶିକାର କରୁଥିବା ବେଳେ ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ ହାତରେ ଧରା ପଡିଲା ଶିକାରୀ । ଗୋଟିଏ ଦେଶୀ ବନ୍ଧୁକ ସହ ଗୁଳି-ଗୋଳା ଏବଂ ୮ ଟି ମୃତ ବେଦେଶୀ ପକ୍ଷୀ ଜବତ ହୋଇଛି । ଏଥିସହିତ ୨ ଜଣ ପକ୍ଷୀ ଶିକାରୀଙ୍କୁ ଗିରଫ କରିବାରେ ସଫଳ ହୋଇଛି ଟାଙ୍ଗୀ ବନ୍ୟ ପ୍ରାଣୀ ବିଭାଗ ।
ଟାଙ୍ଗି ବନ୍ୟ ପ୍ରାଣୀ ବିଭାଗ ରେଞ୍ଜ ଇଲାକା ମଙ୍ଗଳାଯୋଡି ଚିଲିକା କୂଳରେ କୁଆଖିଆ ଖମ୍ବ ନିକଟରେ ୨ ଜଣ ପକ୍ଷୀ ଶିକାରୀ ଏକ ଡଙ୍ଗା ସାହାଯ୍ୟରେ ବନ୍ଧୁକ ମୁନରେ ପକ୍ଷୀ ଶିକାର କରୁଥିବା ଟାଙ୍ଗି ବନ୍ୟ ପ୍ରାଣୀ ବିଭାଗ ବିଶେଷ ସୂତ୍ରରୁ ଖବର ପାଇ ଅତର୍କିତ ଚଢ଼ାଉ କରିଥିଲା । ଶିକାରୀଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ ସହ ୨ ଶହ ଅଫୁଟା ଗୁଳି ଓ ଗୁଳି ପାଇଁ ପ୍ରସ୍ତୁତ ହେଉଥିବା ଗନ୍ ପାଉଡର୍ ଜବତ କରିଛନ୍ତି । ତତ୍ ସହିତ ଶିକାର ବେଳେ ବ୍ୟବହୃତ ହେଉଥିବା ଡଙ୍ଗା ମଧ୍ୟ ଜବତ କରିଛନ୍ତି ଟାଙ୍ଗୀ ବନ୍ୟ ପ୍ରାଣୀ ବିଭାଗ । ଗିରଫ ୨ ଶିକାରୀ ହେଲେ ସୋରଣ ଗ୍ରାମର ଓକିଲ ଖାଁ ଏବଂ ସେକ ଅନୁଆର ବୋଲି ଜଣା ପଡିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ