ନିଆଳି: ଦୂର ହେବ ଜଳକଷ୍ଟ, ପାଣି ଅଟକାଇବା ପାଇଁ ତିଆରି ହେବ ବ୍ୟାରେଜ । ରାମଚନ୍ଦ୍ରପୁର ଗାଁ ନିକଟରେ ବହିଥିବା କୁଶଭଦ୍ରା ନଦୀ ଓ ପାଣ୍ତରା ସ୍ଥିତ କୁଆଖାଇ ନଦୀରେ ନିର୍ମାଣ ଚାଲିଛି ବ୍ୟାରେଜ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାୟ ୨ ଶହ ୧୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ଏହା ଦ୍ବାରା ପାଖାପାଖି ୧୦୦ ଗ୍ରାମ ଲାଭବାନ ହେବେ ।
ଜଳକଷ୍ଟ ଦୂରୀକରଣ କରିବା ପାଇଁ ରାଜ୍ୟ ସରକାର କରିଛନ୍ତି ବୃହତ୍ତ ଯୋଜନା । ବର୍ଷା ଦିନରେ ଯେଉଁ ଜଳ ସମୁଦ୍ରରେ ମିଶି ଯାଉଥିଲା ସେହି ଜଳ ବ୍ୟାରେଜ ମାଧ୍ୟମରେ ଅଟକାଇ ଜନ ସାଧାରଣ ମାନଙ୍କ ଜଳ କଷ୍ଟକୁ ଦୂର କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇସାରିଛି । ଏଥିପାଇଁ ଦୁଇଟି ନଦୀରେ ଦୁଇଟି ବ୍ୟାରେଜ ନିର୍ମାଣ କରାଯାଉଛି । ମିଳିଥିବା ସୂଚନା ଅନୁସାରେ, ହଂସପାଳରୁ ବାହାରିଥିବା କୁଆଖାଇ ନଦୀରୁ ଉତ୍ପତ୍ତି ହୋଇଛି କୁଶଭଦ୍ରା ଓ ଆଉ ଏକ ନଦୀ । ଏହି ନଦୀ ଖୋର୍ଦ୍ଧା ଓ ପୁରୀ ଜିଲ୍ଲା ଦେଇ ପ୍ରବାହିତ ହେବା ସହ ସମୁଦ୍ରରେ ଲୀନ ହୋଇଛି । କୁଶଭଦ୍ରା ନଦୀ ବାଲିଅନ୍ତା, ବାଲିପାଟଣା ବ୍ଲକ ଦେଇ ନିମାପଡ଼ାକୁ ଲମ୍ବିଛି । ବର୍ଷକ ବାର ମାସରେ କୁଶଭଦ୍ରା ନଦୀରେ କେବଳ ବର୍ଷା ଦିନରେ ପାଣି ଦେଖିବାକୁ ମିଳେ । ବାକି ଆଠ ମାସ ନଦୀ ଶୁଖିଲା ପଡିଥାଏ । କୁଶଭଦ୍ରା ନଦୀ ଉପରେ ନିର୍ଭରଶୀଳ ସାଧାରଣ ଜନତା ଏବଂ ପଶୁପକ୍ଷୀ ମାନେ ପାଣି ପାଣି ଡହଳ ବିକଳ ହୋଇଥାନ୍ତି । ବିଶେଷ କରି ବାଲିଅନ୍ତା ବ୍ଲକର ଭିଙ୍ଗାରପୁର ପଞ୍ଚାୟତର ରାମଚନ୍ଦ୍ରପୁର କାଜ ନିକଟରେ ବର୍ଷା ଦିନରେ ଚାଷ ଜମିରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥାଏ ।
ସେହିପରି ଖରା ଓ ଶୀତ ଦିନରେ ନଦୀ ଶୁଖିଲା ପଡିଥାଏ ଏବଂ ଉପରେ ମୁଣ୍ଡରେ ଜଳକଷ୍ଟ ଦେଖା ଦେଇଥାଏ । ବାରମ୍ବାର ଅଭିଯୋଗ ପରେ ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାମଚନ୍ଦ୍ରପୁର ଗାଁ ନିକଟରେ ଏକ ବ୍ୟାରେଜ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି । ୮୨ କୋଟି ୬ ଲକ୍ଷ ଟଙ୍କାରେ ନିର୍ମାଣ ହେଉଛି ଏହି ବ୍ୟାରେଜ । ଏଥିରେ ପାଣି ରଖିବାର କ୍ଷମତା ୪ ମିଟର ରହିଛି । ନଦୀର ଲମ୍ବ ୧୪୧ ମିଟର ରହିଥିବା ବେଳେ ମୋଟ ୯ ଗୋଟି ଗେଟ ରହିବ । ଗୁଜୁରାଟର ଏକ ଠିକା ସଂସ୍ଥା ଅଧୀନରେ ବ୍ୟାରେଜ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି । ଫଳରେ ବାଲିଅନ୍ତା ବ୍ଲକର ଅନେକ ପଞ୍ଚାୟତର ଲୋକେ ଜଳ କଷ୍ଟରୁ ମୁକ୍ତି ପାଇବେ ବୋଲି ଆଶା କରାଯାଉଛି।
ସେହିପରି ବାଲିଅନ୍ତା ଜଳ ସମ୍ପଦ ଉପଖଣ୍ଡ ଅନ୍ତର୍ଗତ କୁଆଖାଇ ନଦୀର ପାଣ୍ତରା ଠାରେ ଆଉ ଏକ ବ୍ୟାରେଜ ନିର୍ମାଣ କାର୍ଯ୍ୟ ଜାରି ରହିଛି । ଏଥିପାଇଁ ପାଇଁ ରାଜ୍ୟ ସରକାର ଖର୍ଚ୍ଚ କରୁଛନ୍ତି ଏକ ଶହ ୨୭ କୋଟି ୩୨ ଲକ୍ଷ ଟଙ୍କା । ଏନେଇ ପ୍ରୋଜେକ୍ଟ ମ୍ୟାନେଜର କହିଛନ୍ତି, " ଏଠାରେ ୯୦ ମିଟର ଲମ୍ବ ଏବଂ ପାଣି ରଖିବାର କ୍ଷମତା ୫ ମିଟର ରହିବ । ବ୍ୟାରେଜରେ ୧୦ ଗୋଟି ଗେଟ ନିର୍ମାଣ ହେବ। ଏହି ବ୍ୟାରେଜ ନିର୍ମାଣ କାର୍ଯ୍ୟ ଓଡ଼ିଶାର ଜଣେ ଠିକା ସଂସ୍ଥା କାର୍ଯ୍ୟ କରୁଛି । ବ୍ୟାରେଜ ନିର୍ମାଣ ହେଲେ ଭୁବନେଶ୍ୱର ଓ ବାଲିଅନ୍ତା ବ୍ଲକର ଅଞ୍ଚଳ ବାସିନ୍ଦା ଜଳକଷ୍ଟରୁ ମୁକ୍ତି ପାଇବେ ବୋଲି ଆଶା କରାଯାଉଛି ।"
କୁଶଭଦ୍ରା ନଦୀର ରାମଚନ୍ଦ୍ରପୁର ଏବଂ କୁଆଖାଇ ନଦୀର ପାଣ୍ତରା ଠାରେ ନିର୍ମାଣ ବ୍ୟାରେଜ ନିର୍ମାଣ କାର୍ଯ୍ୟ ୨୦୨୪ ବେଳକୁ ଶେଷ ହେବା ନେଇ ସମୟ ଧାର୍ଯ୍ୟ କରାଯାଇଛି । ଏହି କାର୍ଯ୍ୟ ବାଲିଅନ୍ତା ଜଳ ସମ୍ପଦ ଉପଖଣ୍ଡ ବିଭାଗ ବୁଝାସୁଝା କରୁଛି । ଗତ ଦୁଇଦିନ ତଳେ କେନ୍ଦ୍ରୀୟ ଟ୍ରିବ୍ୟୁନାଲ ପ୍ରତିନିଧି ଦଳ ପରିଦର୍ଶନ କରି ଫେରିଛନ୍ତି ।"
ଇଟିଭି ଭାରତ, ନିଆଳି