ଭୁବନେଶ୍ୱର: ଧରାପୃଷ୍ଠକୁ ଆସୁଛନ୍ତି ମହାମାୟା । ଜଗତଜନନୀ ମା' ଦୁର୍ଗାଙ୍କ ଆଗମନକୁ ନେଇ ଉତ୍ସବର ମୁଖର ହୋଇ ଉଠିଛି ରାଜଧାନୀ । ଭୁବନେଶ୍ୱରର ସବୁଠି ପୂଜାପାଠର ମାହୋଲ ଦେଖିବାକୁ ମିଳିଥିବା ବେଳେ କିନ୍ନର ସମ୍ପ୍ରଦାୟ ପାଳିଛନ୍ତି ନିଆରା ‘ନବରାତ୍ରୀ’ । ୯ ଦିନ ଧରି ମା’ ନବଦୁର୍ଗାଙ୍କୁ ଆରାଧନା କରିବା ସହ ମହାନବମୀରେ ‘ଦାଣ୍ଡିଆ’ ତାଳରେ ଝୁମିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି କିନ୍ନର ସମାଜ । ସାଧାରଣ ଲୋକଙ୍କ ଭଳି ଏମାନେ ମଧ୍ୟ ଭକ୍ତି ଭାବନା ସହ ନବରାତ୍ରୀରେ ମା'ଙ୍କ ପୂଜା କରିଛନ୍ତି ।
ପାର୍ବଣ ଋତୁରେ ମା’ ଦୁର୍ଗାଙ୍କ ଆଗମନକୁ ନେଇ ଚାରିଆଡେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ଏହି ଉତ୍ସବରେ କିନ୍ନରମାନେ ମଧ୍ୟ ନିଜକୁ ସାମିଲ୍ କରିଛନ୍ତି । ‘ନବରାତ୍ରୀ’ ପୂଜା ଆୟୋଜନ କରି ନିଷ୍ଠାର ସହ ବ୍ରତ ରଖି କିନ୍ନରମାନେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ୧୬ ତାରିଖରୁ କିନ୍ନରମାନେ ନବରାତ୍ରୀ ପୂଜା ଆରମ୍ଭ କରିଛନ୍ତି । ବିନ୍ଦୁସାଗରରୁ କଳସରେ ପାଣି ଆଣି ପଳାଶପଲ୍ଲୀ ସ୍ଥିତ କିନ୍ନର ମୀରା ପରିଡ଼ାଙ୍କ ଘରେ ଘଟ ସ୍ଥାପନ କରି ନିଷ୍ଠାର ସହ ମା’ ନବଦୁର୍ଗାଙ୍କ ଆରଧନା କରୁଛନ୍ତି । କଳସ ଶୋଭାଯାତ୍ରାରେ ୫୦ ଜଣରୁ ଅଧିକ କିନ୍ନର ସାମିଲ ହୋଇଥିଲେ । ରୀତିନୀତି ଅନୁଯାୟୀ ପ୍ରତିଦିନ ପୂଜାପାଠ କରାଯାଉଛି । ଶ୍ରଦ୍ଧାର ସହ କିନ୍ନରମାନେ ପୂଜା କରୁଥିବା ବେଳେ ଗତକାଲି ସନ୍ଧ୍ୟାରେ ୧୨୧ ଜଣ କିନ୍ନରଙ୍କୁ ପୂଜା କରାଯାଇଛି । ଏହାସହ ପ୍ରତ୍ୟେକ ଦିନ ସମାଜରେ ଥିବା ଅବହେଳିତ ମହିଳାମାନଙ୍କୁ ପୂଜା କରାଯିବା ସହ ଶେଷ ଦିନରେ କନ୍ୟା ପୂଜନ କରାଯିବାର ବ୍ୟବସ୍ଥା ମଧ୍ୟ କରାଯାଇଛି ।
ଏହା ମଧ୍ୟ ପଢ଼ନ୍ତୁ.....ମାଆଙ୍କ ପୂଜାରେ ସାମିଲ ହେଲେ କିନ୍ନର
ତେବେ ଗତ ୧୫ ବର୍ଷ ଧରି କିନ୍ନରମାନେ ଏହି ପୂଜାକୁ ନିଆରା ଢଙ୍ଗରେ ପାଳନ କରି ଆସୁଛନ୍ତି । ଚଳିତବର୍ଷ ସାଢ଼େ ୬ ଫୁଟର ମୂର୍ତ୍ତି ଆକର୍ଷଣର କେନ୍ଦ୍ର ପାଲଟିଛି । କଳସ ଶୋଭାଯାତ୍ରାଠାରୁ ଆରମ୍ଭ କରି ୯ ଦିନ ପର୍ଯ୍ୟନ୍ତ ସକାଳ ପୂଜା ଏବଂ ସନ୍ଧ୍ୟା ଆଳତୀ କରାଯାଉଛି । ପୂଜାରେ ସର୍ବପ୍ରଥମେ ଧେନୁ ପୂଜା ପରେ ସୂର୍ଯ୍ୟପୂଜା ଓ ରୁଦ୍ରାଭିଷେକ କରାଯାଇ ମା'ଙ୍କୁ ବ୍ରହ୍ମଚାରିଣୀ ବେଶରେ ଆରାଧନା କରାଯାଇଥିଲା । ସକାଳୁ ମା’ଙ୍କ ମଙ୍ଗଳ ଆଳତୀ କରାଯାଉଥିବା ବେଳେ ବାଳ ଭୋଗ ଭୋଗ ଲାଗି କରାଯାଉଛି ।
ଚଳିତବର୍ଷ କିନ୍ନରମାନଙ୍କ ତରଫରୁ କିଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି । ମହାଅଷ୍ଟମୀ ତିଥିରେ ପ୍ରାୟ ୨ ହଜାର ଲୋକଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି । ଚଳିତବର୍ଷ କିନ୍ନରମାନଙ୍କ ‘ନବରାତ୍ରି’ ପୂଜାର ଆକର୍ଷଣ ହେଉଛି ଭାଗବତ ପାଠ । ମା’ଙ୍କ ଭସାଣିକୁ ମଧ୍ୟ ବଡ଼ ଜାକଜମକରେ କରିବାକୁ କିନ୍ନରମାନେ ପ୍ରସ୍ତୁତି ଚଳାଇଛନ୍ତି । ସେପଟେ କିନ୍ନରମାନଙ୍କର ଏହି ନିଆରା ପୂଜାରେ ସାଂସଦ ସୁଲତା ଦେଓ ଓ ବିଜେଡି ଭୁବନେଶ୍ୱର ପର୍ଯ୍ୟବେକ୍ଷକ ଶ୍ରୀମୟୀ ମିଶ୍ର ପ୍ରମୁଖ ସାମିଲ ଥିଲେ ।
ଇଟିଭି ଭାରତ, ଭୁବନେଶ୍ବର