ଖୋର୍ଦ୍ଧା: ପିଚୁକୁଳି ସେବା ସମବାୟ ସମିତିରେ ପଞ୍ଜୀକୃତ ଚାଷୀମାନଙ୍କ ଧାନ ଉଠାଇବା ଓ ଅହେତୁକ ବିଳମ୍ବ ପ୍ରତିବାଦରେ ଆଜି ସେବା ସମବାୟ ଚାଷୀଙ୍କ ପକ୍ଷରୁ ଏକ ଦାବିପତ୍ର ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ପିଚୁକୁଳି ସେବା ସମବାୟ ସମିତି ତତ୍ୱାବଧାନରେ ମଣ୍ଡିରେ ଧାନ ବିକ୍ରି ପାଇଁ ୨୦୨୦-୨୧ ଆର୍ଥିକ ବର୍ଷରେ ୫୧୦ ଜଣ ଚାଷୀ ପଞ୍ଜୀକରଣଙ୍କ ୨୨ହଜାର କୁଇଣ୍ଟାଲ ଧାନ ବିକ୍ରି ପାଇଁ ଟୋକନ ଆସିଛି । କିନ୍ତୁ, ଏପର୍ଯ୍ୟନ୍ତ ୯ହଜାର ୧ ଶହ କୁଇଣ୍ଟାଲ ମଣ୍ଡିରେ ଧାନ ବିକ୍ରି କରିଛନ୍ତି । ଅବଶିଷ୍ଟ ବଳକା ଧାନ ଚାଷୀଙ୍କ ପାଖରେ ପଡିରହିଛି ।
ଅନ୍ୟପଟେ ମିଲର ମାନେ ଟାର୍ଗେଟ ଆସୁନି କହି ଆସୁନାହାଁନ୍ତି, ଫଳରେ ଅବଶିଷ୍ଟ ଧାନ ଉଠାଇବେ ନା ନାହିଁ ତାହାକୁ ନେଇ ସନ୍ଦେହ ଘେରରେ ଚାଷୀ । ଯଥାଶୀଘ୍ର ଧାନ ମଣ୍ଡିରୁ ଧାନ ଉଠାଇବାକୁ ଦାବି କରିବା ସହିତ ଧାନ ନଉଠିଲେ ମୁଣ୍ଡ ଝାଳ ତୁଣ୍ଡରେ ଅମଳ କରିଥିବା ଧାନ ବିକ୍ରି ପାଇଁ ଆନ୍ଦୋଳନାତ୍ମକ ପନ୍ଥା ସହିତ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆମରଣ ଅନଶନ କରିବାକୁ ଚେତାବନୀ ଦେଇଛି ଚାଷୀମାନେ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ