ଖୋର୍ଦ୍ଧା: ରାଜ୍ୟରେ ଜାରି ରହିଛି ମୌସୁମୀ ବର୍ଷା । ଲଗାଣ ବର୍ଷାରେ ବଢୁଛି ନଦୀ ଗୁଡିକର ଜଳସ୍ତର । ଜଟଣୀ ବ୍ଲକ ବେଣାପଞ୍ଜରୀ ନିକଟ ଦୟା ନଦୀରେ ଜଳସ୍ତର ବଢିବାରୁ ତିରିମଲ- ପଣ୍ଡିଆବିଲି ରାସ୍ତାରେ ନଦୀ ପାଣି ପ୍ରବାହିତ ହେଉଛି । ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି ।
ସୂଚନା ଅନୁଯାୟୀ ତିରିମଲ- ପଣ୍ଡିଆବିଲି ରାସ୍ତା ଉପରେ ଜଟଣୀ, କଣାସ, ସତ୍ୟବାଦୀ ବ୍ଲକର ୧୦ରୁ ୧୫ ହଜାର ଲୋକ ନିର୍ଭର କରୁଥିବା ବେଳେ ଏବେ ଦାଉସାଧିଛି ଲଗାଣ ବର୍ଷା । ପ୍ରତିବର୍ଷ ସ୍ଥାନୀୟ ଲୋକେ ନିଜ ଶ୍ରମରେ ଏହି ରାସ୍ତା ତିଆରି କରିବା ସହିତ 4ଗୋଟି ପାଇପ ଦେଇ ଅସ୍ଥାୟୀ ପୋଲ ନିର୍ମାଣ କରିଥାନ୍ତି । କିନ୍ତୁ ଏବେ ବନ୍ୟା ପାଣିରେ ଉଭୟ ରାସ୍ତା ଓ ପୋଲ ଭାସିଯିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି ।
ପାଣ୍ଡିଆବିଲି,ବୁଢ଼ାଙ୍ଗରା,ବାଦଲପୁର,ତିଗିରିଆ,ବାରଦା,ସିମିଳିପାଟଣା,କଣାସ,ବରିମଣ୍ଡଳ,ଘରଚୁଆ,ବିରି କେଶରପୁର, ଆଦି ଅନେକ ଗାଁ ଲୋକେଙ୍କ ଯାତାୟତ ଏବେ ବାଧାପ୍ରାପ୍ତ ହୋଇଛି । ଗତ ପଞ୍ଚାୟତ ନିର୍ବାଚନରେ ଏହି ରାସ୍ତା ନିର୍ମାଣ ନେଇ ନିର୍ବାଚନୀ ମୁଦା ହୋଇଥିଲା । ବ୍ରିଜ ନାହିଁ ତ ଭୋଟ ନାହିଁ ନାରା ଦେଇ ଭୋଟ ବର୍ଜନ କରିଥିଲେ ସ୍ଥାନୀୟ ଲୋକେ । ସେତେବେଳେ ଅନେକ ପ୍ରତିଶୃତି ମିଳିଥିଲା ଗାଁ ଲୋକଙ୍କୁ । ନିର୍ବାଚନ ସରିଲା ହେଲା ଗାଁର ଏହି ରାସ୍ତା ନିର୍ମାଣ ନହେବାରୁ ଚିନ୍ତାରେ ଅଛନ୍ତି ସ୍ଥାନୀୟ ବାସିନ୍ଦା ।
ଇଟିଭି ଭାରତ, ଖୋର୍ଦ୍ଧା