ଖୋର୍ଦ୍ଧା: ଖବରଦାର ! ଘରେ ରୁହ, ଜରୁରୀ କାମ ନାହିଁ ତ ଘରୁ ଗୋଡ଼ କାଢନି । ଘରୁ ବାହାରିବ ତ ସଂକ୍ରମଣକୁ ହାତ ଠାରି ଡାକି ଆଣିବ । ନିଜ ଜୀବନ ସହ ପରିବାରର ଜୀବନକୁ ମଧ୍ୟ ବାଜି ଲଗାଇବ । ଖୋର୍ଦ୍ଧା ସହରରେ ବୁଲି ବୁଲି ଏମିତି ଡ଼ରାଉଛି ଭୂତ । ସତ ସତିକା ଭୁତ ନୁଁହ । ଭୂତ ବେଶରେ ଲକଡାଉନ ନିୟମ ମାନି ଘରେ ରହିବାକୁ ଲୋକମାନଙ୍କୁ ଏମିତି ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି ଖୋର୍ଦ୍ଧାର ଧନେଶ୍ବର ବିଧାର ।
ଦେଶରେ ବଢିଚାଲିଛି ମହାମାରୀ କୋରୋନା । ରାଜ୍ୟରେ ବି ସମସ୍ତଙ୍କ ଚିନ୍ତା ବଢାଇଛି ଏହି ଭାଇରସ । ସଂକ୍ରମଣ ରୋକିବାକୁ ସରକାର ଲାଗୁ କରିଛନ୍ତି ଲକଡାଉନ । ସମସ୍ତଙ୍କୁ ସାମାଜିକ ଦୂରତା ବଜାୟ ରଖିବାକୁ ମରାମର୍ଶ ଦିଆଯାଉଛନ୍ତି । ହେଲେ ଏପରି କିଛି ଲୋକ ଅଛନ୍ତି ଯେଉଁମାନେ କୋରୋନା ଭୟକୁ ଖାତିର ନକରି ସାମାଜିକ ଦୂରତା ଓ ଲକଡାଉନର ନିୟମ ମାନୁନାହାନ୍ତି । ତେବେ ଲକଡାଉନ ଖିଲାପକାରୀଙ୍କ ମଧ୍ୟରେ ସଚେତନତା ଆଣିବା ପାଇଁ ଭୂତ ସାଜି ଡରାଉଛନ୍ତି ଧନେଶ୍ବର ।
ପୂର୍ବରୁ ଗୁରୁବାର ଦିନ ଲକଡାଉନ ନିୟମ ଖିଲାପକାରୀଙ୍କୁ ସାବାଡ କରିବାକୁ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଯମରାଜା ଓ ତାଙ୍କ ପାରିଷଦ ବର୍ଗ ବୁଲୁଥିବା ଦେଖିବାକୁ ମିଳିଥିଲା । ନିଜେ ସ୍ବଛ ରହିବା ସହ ସାମାଜିକ ଦୂରତା ବଜାୟ ନରଖିଲେ ପରିସ୍ଥିତି ଭୟାବହ ହେବ ବୋଲି ଯମରାଜା ଚେତାବନୀ ଦେଇଥିଲେ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ