ଭୁବନେଶ୍ବର: କଳା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର କ୍ଷେତ୍ରରେ ରାଜ୍ୟ ସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି । ଜିଲ୍ଲା ସଂସ୍କୃତି ଅଧିକାରୀଙ୍କର ଏ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଜିଲ୍ଲାସ୍ତରରେ କାର୍ଯ୍ୟକାରୀ ହେଉଥିବା ବିଭାଗୀୟ ବିଭିନ୍ନ କାର୍ଯ୍ୟକୁ ନିଷ୍ଠାର ସହ ସଂପାଦନ କର । ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ନିର୍ଦ୍ଦେଶ ଦେଇଛନ୍ତି । ଭିସି ମାଧ୍ୟମରେ ରାଜ୍ୟର ସମସ୍ତ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ସହିତ ଅନୁଷ୍ଠିତ ବୈଠକରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି ।
କଳାକାରମାନଙ୍କ କଲ୍ୟାଣ ପାଇଁ କାର୍ଯ୍ୟକାରୀ ହେଉଥିବା ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ଧାର୍ଯ୍ୟ ଲକ୍ଷ୍ୟ ରହିଥିବା ହିତାଧିକାରୀଙ୍କ ନାମ ତୁରନ୍ତ ପଠାଅ । ଚଳିତ ମାସ ଶେଷ ସୁଦ୍ଧା ଶୀଘ୍ର ଚୟନ କରି ବିଭାଗକୁ ପ୍ରେରଣ କରିବାକୁ ACS ନିର୍ଦ୍ଦେଶ ଦେଇଛନ୍ତି । ବିଭିନ୍ନ ଜିଲ୍ଲାରେ ହେଉଥିବା ଜିଲ୍ଲା ଉତ୍ସବରେ ଜିଲ୍ଲା ସଂସ୍କୃତି ଅଧିକାରୀମାନେ ସାମିଲ ହେବା, ସ୍ଥାନୀୟ ଲୋକ କଳାକାରମାନଙ୍କୁ ଜିଲ୍ଲା ପ୍ରଶାସନର ସହଯୋଗରେ ରାଜ୍ୟ ସରକାରଙ୍କ ସୂଚନା, ଶିକ୍ଷା ଓ ଯୋଗାଯୋଗ ବ୍ୟବସ୍ଥା ମାଧ୍ୟମରେ ସାମିଲ କରିବା ସହିତ ବିଭାଗରେ କାର୍ଯ୍ୟକାରୀ କରାଯାଇଥିବା କମ୍ପ୍ୟୁଟରୀକୃତ ସାସ୍କୃତିକ ଦଳ ପରିଚାଳନା ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବାରେ ସଂସ୍କୃତି ଅଧିକାରୀମାନେ ଦାୟିତ୍ୱ ଏବଂ ନିଷ୍ଠାର ସହ କାର୍ଯ୍ୟ କରିବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି ।
ଯୋଗ୍ୟ ଅଥଚ କୌଣସି କାରଣରୁ ସିଟିଏମଏସରେ ନାମ ପଞ୍ଜୀକରଣ କରିପାରିନଥିବା ନୂଆ ସାଂସ୍କୃତିକ ଦଳମାନଙ୍କର ପଞ୍ଜୀକରଣ ମାର୍ଚ୍ଚ ୧ ରୁ ୩୧ ତାରିଖ ମଧ୍ୟରେ କରାଯିବ ବୋଲି ବୈଠକରେ ସୂଚନା ଦିଆଯାଇଛି । ବିଭିନ୍ନ ଜିଲ୍ଲାରେ ନିର୍ମାଣାଧିନ ସଂସ୍କୃତି ଭବନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ୭ ଦିନରେ ଥରେ ସଂସ୍କୃତି ଅଧିକାରୀମାନେ ନିର୍ମାଣସ୍ଥଳ ପରିଦର୍ଶନ କରିବେ । ରାଜ୍ୟରେ ଥିବା ୨୧୭ ଟି ସୁରକ୍ଷିତ ଐତିହ୍ୟ କୀର୍ତ୍ତିରାଜି ଗୁଡିକୁ ପରିଦର୍ଶନ କରି ଏହାର ଅଧିକ ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣ ପାଇଁ ଆବଶ୍ୟକତା ସଂପର୍କରେ ପ୍ରସ୍ତାବ ଦେବେ । ବିଭିନ୍ନ ପାଠାଗାରରେ ପୁସ୍ତକ ପହଁଚିଛି କି ନାହିଁ ଅନୁଧ୍ୟାନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।
ସେହିପରି ନିଷ୍ପତ୍ତି ହୋଇସାରିଥିବା ବିଭିନ୍ନ ଜିଲ୍ଲାରେ ସ୍ଥାପିତ ହେବାକୁ ଥିବା ମହାପୁରୁଷ ତଥା ବିଶିଷ୍ଟ ବ୍ୟକ୍ତିଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଶୀଘ୍ର ସ୍ଥାନ ନିରୂପଣ କରାଯିବା, ଜିଲ୍ଲା ଗୁଡିକରେ ଥିବା ବରପୁତ୍ରମାନଙ୍କର ଜୟନ୍ତୀ ବା ଶ୍ରାଦ୍ଧୋତ୍ସବରେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା, ମନ୍ମଥ-ମନୋଜ (ବାଲେଶ୍ୱର ଜିଲ୍ଲା) ସ୍ମାରକୀ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସଂପର୍କରେ ନିୟମିତ ବୈଠକ କରାଯିବ । ଐତିହ୍ୟ ଗ୍ରାମ ଭାବେ ବିକଶିତ କରାଯାଉଥିବା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ସୁଆଣ୍ଡୋ ଗ୍ରାମ ପରିଦର୍ଶନ କରି ଏହାର ବିକାଶ କାର୍ଯ୍ୟକୁ ତଦାରଖ କରିବାକୁ ସଂପୃକ୍ତ ଜିଲ୍ଲା ସଂସ୍କୃତି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଓଡିଆ ଭାଷା, ସାହିତ୍ୟର ଜ୍ଞାନ ଆହରଣ ବୃଦ୍ଧିକୁ ଗୁରୁତ୍ୱ ଦୃଷ୍ଟିରୁ ଯୁକ୍ତ ୨ ଏବଂ ୯ ମ ଓ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସାହିତ୍ୟ ଚର୍ଚ୍ଚା କାର୍ଯ୍ୟକ୍ରମ (ସାହିତ୍ୟ ସଂପାନ) ଅନୁଷ୍ଠିତ ହେବ । ଏନେଇ ବୈଠକରେ ଆଲୋଚନା ହୋଇଛି ।
ଆସନ୍ତା ଜାନୁଆରୀରୁ ମାର୍ଚ୍ଚ ମାସ ମଧ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସଂପର୍କରେ ପଦକ୍ଷେପ ନିଆଯାଉଛି । ଜିଲ୍ଲାରେ ପରିବେଷଣ କରାଯିବାକୁ ଥିବା ଚଳଚ୍ଚିତ୍ର “ଦମନ”କୁ ସରକାରୀ କାର୍ଯ୍ୟ ନିର୍ଘଣ୍ଟ ସମୟ ବ୍ୟତିରେକ ପ୍ରଦର୍ଶନ ବ୍ୟବସ୍ଥା କରାଯିବା ଆଦି ସଂପର୍କରେ ଆଲୋଚନା କରାଯାଇ ଆବଶ୍ୟକ ପଦକ୍ଷେପ ନେବା ସଂପର୍କରେ ବୈଠକରେ ପରାମର୍ଶ ଦିଆଯାଇଛି । ବୈଠକରେ ବିଭାଗୀୟ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସଙ୍କ ସମେତ ବିଭାଗର ସମସ୍ତ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ଭୁବନେଶ୍ବର