ଭୁବନେଶ୍ବର: ବାଣୀବିହାରରେ ଛାତ୍ର ଉତ୍ତେଜନା ଉଗ୍ର ରୂପ ନେଇଛି । ଉତ୍କଳ ବିଶ୍ବବିଦ୍ୟାଳୟରେ ଆଲୋଚନାଚକ୍ର ବେଳେ ଉତ୍ତେଜନା ଘଟଣା ପରେ ସନ୍ଧ୍ୟାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)ର କର୍ମକର୍ତ୍ତାମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ । ଆଲୋଚନାଚକ୍ରରେ JNUର ପ୍ରଫେସର ସୁରଜିତ ମଜୁମଦାର ଦେଶ ବିରୋଧୀ ମନ୍ତବ୍ୟ ଦେଇଥିବା ଅଭିଯୋଗ କରି ବିରୋଧ କରିଥିଲେ । ଏହାପରେ ସେଠାରେ ପ୍ରଥମେ କଥା କଟାକଟି ଓ ପରେ ହାତାହାତି ପରିସ୍ଥିତି ଉପୁଜିଥିଲା । ପରେ ବିଶ୍ବବିଦ୍ୟାଳୟ ଗେଟ୍ ସମ୍ମୁଖରେ ଏବିଭିପି କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପ୍ରଫେସର ସୁରଜିତ ମଜୁମଦାରଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଥିଲେ । ପରେ ପୋଲିସ ଆସି ବୁଝାସୁଝା କରିବା ପରେ ଆନ୍ଦୋଳନରୁ ଓହରିଛନ୍ତି ଛାତ୍ରଛାତ୍ରୀ ।
ପ୍ରକାଶ ଥାଉକି, ସିଟିଜେନ୍ ଫୋରମ ପକ୍ଷରୁ ରବିବାର ଉତ୍କଳ ବିଶ୍ବବିଦ୍ୟାଳୟର ପିଜି କାଉନସିଲ ହଲ୍ରେ 'ସମ୍ବିଧାନ ଏବଂ ଶିକ୍ଷା' ସମ୍ପର୍କରେ ଏକ ଆଲୋଚନା ଚକ୍ର ଆୟୋଜନ କରାଯାଇଥିଲା । ଏଥିରେ ଜବାହରଲାଲ ନେହରୁ ବିଶ୍ବବିଦ୍ୟାଳୟ (ଜେଏନୟୁ) ଅର୍ଥନୀତି ବିଭାଗର ପ୍ରଫେସର ସୁରଜିତ ମଜୁମଦାର ବକ୍ତବ୍ୟ ଦେଉଥିବା ବେଳେ ସେ ଦେଶ ବିରୋଧି ମନ୍ତବ୍ୟ ଦେଉଥିବା ଅଭିଯୋଗ କରି କିଛି ଛାତ୍ର ତୀବ୍ର ବିରୋଧ କରିଥିଲେ । ଏହି ସମୟରେ ଏବିଭିପିର କିଛି କର୍ମକର୍ତ୍ତା ସେଠାକୁ ଆସି ସେମିନାର ବନ୍ଦ କରିବାକୁ କହିବା ସହ କିଛି ପ୍ରଫେସରଙ୍କୁ ଆକ୍ରମଣ କରିଥିବା ମଧ୍ୟ ଅଭିଯୋଗ ହୋଇଥିଲା । ଏନେଇ ସହିଦନଗର ଥାନାରେ ୨ଟି ଭିନ୍ନ ଭିନ୍ନ ଏତଲା ଦିଆଯାଇଥିଲା ।
ଏହା ମଧ୍ୟ ପଢ଼ନ୍ତୁ...ଆଲୋଚନା ଚକ୍ର ପାଲଟିଲା ରଣକ୍ଷେତ୍ର, ଉତ୍କଳ ବିଶ୍ବବିଦ୍ୟାଳୟରେ JNU ପ୍ରଫେସରଙ୍କୁ ଆକ୍ରମଣ
ଅଭିଯୋଗ ପରେ ପୋଲିସ ବାଣୀ ବିହାରରେରେ ତଦନ୍ତ ପାଇଁ ପହଞ୍ଚିଥିଲା । କିନ୍ତୁ ଏହି ସମୟରେ ଏବିଭିପି କର୍ମୀମାନେ ଉତ୍କଳ ବିଶ୍ବବିଦ୍ୟାଳୟ ସମ୍ମୁଖରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିବା ସହ ପୋଲିସକୁ ବିଶ୍ବବିଦ୍ୟାଳୟ ଭିତରକୁ ପଶିବାକୁ ଦେଇନଥିଲେ । ପରେ ପୋଲିସ ବୁଝାସୁଝା କରିବା ପରେ ଏବିଭିପି କର୍ମୀମାନେ ଆନ୍ଦୋଳନରୁ ଓହରିଛନ୍ତି । ଏନେଇ ଉତ୍କଳ ବିଶ୍ବବିଦ୍ୟାଳୟର ପୂର୍ବତନ ଛାତ୍ର ମାନସ କୁମାର ସାହୁ କହିଛନ୍ତି, "ବିନା ଅନୁମତିରେ ପିଜି କାଉନ୍ସିଲ ହଲରେ ହୋଇଥିବା ସେମିନାରରେ JNU ପ୍ରଫେସର ଦେଶ ବିରୋଧି ଓ ସମ୍ବିଧାନ ବିରୋଧି ମନ୍ତବ୍ୟ ରଖିଥିଲେ । ଏହାକୁ ଆମେ ବିରୋଧ କରିଥିଲୁ । ତାଙ୍କୁ ଗିରଫ କରିବା ଦାବିରେ ଆମେ ଆନ୍ଦୋଳନକୁ ଓହ୍ଲାଇଛୁ । ଯଦି ତାଙ୍କୁ ତୁରନ୍ତ ଗିରଫ କରା ନଯାଏ, ଆମେ ଆନ୍ଦୋଳନକୁ ତୀବ୍ର କରିବୁ ।" ସେପଟେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ପୋଲିସ । ବିଭିନ୍ନ ସମୟରେ JNUରେ ଏଭଳି ବିବାଦ ଦେଖିବାକୁ ମିଳିଥାଏ । ସେଠାରେ ଦେଶ ବିରୋଧି କାର୍ଯ୍ୟକଳାପ ଚାଲିଥିବା ଅନେକ ସମୟରେ ଅଭିଯୋଗ ହୋଇଥାଏ । କିନ୍ତୁ ଉତ୍କଳ ବିଶ୍ବବିଦ୍ୟାଳୟରେ ଏଭଳି ଘଟଣା ପ୍ରଥମ ।
ଇଟିଭି ଭାରତ, ଭୁବନେଶ୍ବର