ଖୋର୍ଦ୍ଧା: ଜିଲ୍ଲାର ବାଣପୁର ଥାନା ଅଧିନସ୍ଥ ଭୀମପୁର ଗ୍ରାମରୁ ଚୋରି ହୋଇଥିବା ଅଷ୍ଟଧାତୁ ମୂର୍ତ୍ତି ଉଦ୍ଧାର ହୋଇଛି । ଏ ଘଟଣାରେ ବାଣପୁର ପୋଲିସ ଦୀପକ କୁମାର ତ୍ରିପାଠୀ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି।
ଅଷ୍ଟଧାତୁ ମୂର୍ତ୍ତି ଚୋରି ମାମଲାରେ ପୋଲିସ ରାଧାକୃଷ୍ଣ, ଲକ୍ଷ୍ମୀନାରାୟଣ, ରାମଲକ୍ଷ୍ମଣ ମୂର୍ତ୍ତି ସମେତ ବିଭିନ୍ନ ପୂଜା ସାମଗ୍ରୀ, ନଗଦ ୪୦୦୦ ଟଙ୍କା ଏବଂ ବହୁ ମୂଲ୍ୟବାନ ସାମଗ୍ରୀ ଜବତ କରିଛି । ଏ ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତ ବାଣପୁର ପେଟ୍ରୋଲ ପମ୍ପ ସାମ୍ନାରେ ଥିବା ଏକ ଏଟିଏମରୁ ଚୋରି କରିବାକୁ ଉଦ୍ୟମ କରିଥିଲା । ଏଥିରେ ବିଫଳ ହେବା ପରେ ନିକଟସ୍ଥ ମନ୍ଦିରରୁ ବିଭିନ୍ନ ମୁଲ୍ୟବାନ ମୂର୍ତ୍ତି ଓ ନଗଦ ଟଙ୍କା ଚୋରି କରିଥିବାର ପୋଲିସ ଜଣାଇଛି । ସମ୍ପୃକ୍ତ ଆସାମୀ ଜଣଙ୍କ ଓଡି-୦୨ ଏ.ଟି ୫୩୧୬ ନମ୍ବରର ଏକ କଳା ରଙ୍ଗର ମୋଟର ସାଇକେଲ ବ୍ୟବହାର କରୁଥିବା ଜଣାପଡିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ