ଭୁବନେଶ୍ବର: ଲୋକସେବା ଭବନରେ ଆୟୋଜିତ ହୋଇଯାଇଛି ରାଜ୍ୟସ୍ତରୀୟ ବିଶ୍ୱ ପରିବେଶ ଦିବସ । ମୁଖ୍ୟ ଅତିଥି ଭାବେ ଭିସି ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ପରିବେଶ ସମ୍ପର୍କିତ ସମସ୍ୟାର ମୁକାବିଲା ପାଇଁ କାର୍ଯ୍ୟ କରିବା ଆଜି ସମୟର ଆହ୍ୱାନ ବୋଲି ମତ ରଖିଥିଲେ ମୁଖ୍ୟମନ୍ତ୍ରୀ। ।

ଭିଡିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଥିଲେ, "ବିଟ୍ ପ୍ଲାଷ୍ଟିକ ପଲ୍ୟୁସନ’ ଅଭିଯାନ ଅଧିନରେ ଏ ବର୍ଷର ବିଷୟବସ୍ତୁ ହେଉଛି ‘ପ୍ଲାଷ୍ଟିକ ପ୍ରଦୂଷଣର ସମାଧାନ’ । ପରିବେଶ ସମ୍ପର୍କିତ ସମସ୍ୟାର ମୁକାବିଲା ପାଇଁ କାର୍ଯ୍ୟ କରିବା ଆଜି ସମୟର ଆହ୍ୱାନ । ଦୈନନ୍ଦିନ ଜୀବନରେ ଆମକୁ ପରିବର୍ତ୍ତନ ଆଣିବାକୁ ପଡିବ । ପ୍ଲାଷ୍ଟିକ ପ୍ରଦୂଷଣର ପ୍ରଭାବ ହ୍ରାସ କରିବା ପାଇଁ ଏ ବର୍ଷର ବିଷୟବସ୍ତୁ ଆମ ସମସ୍ତଙ୍କୁ ଆହ୍ୱାନ କରୁଛି । ସ୍ୱାସ୍ଥ୍ୟ, ଅର୍ଥନୀତି ଏବଂ ପରିବେଶ ଉପରେ ଏହାର ହାନିକାରକ ପ୍ରଭାବକୁ ଅଣଦେଖା କରାଯାଇପାରିବ ନାହିଁ ।''

ସେହିପରି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦିପ କୁମାର ଅମାତ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥୁିଲେ । ସେ କହିଥିଲେ ଯେ, ପରିବେଶ ସଂରକ୍ଷଣ ଓ ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧରେ ସଚେତନତା ବିସ୍ତାର କରିବା ନିମନ୍ତେ ଏହି ଦିବସଟି ଉତ୍ସର୍ଗୀକୃତ । ପ୍ଲାଷ୍ଟିକ ବ୍ୟବହାର ପରିବେଶ ପ୍ରଦୂଷଣର ଏକ ପ୍ରଧାନ କାରଣ । ବ୍ୟାପକ ସଚେତନତା ସହିତ ବିକଳ୍ପ ବ୍ୟବହାର ଦ୍ୱାରା ହିଁ ପ୍ରଦୂଷଣକୁ ରୋକାଯାଇ ପାରିବ । ଯାନବାହନ ପ୍ରଦୂଷଣ ହ୍ରାସ କରିବା ପାଇଁ ୨୦୨୫ ଶେଷ ସୁଦ୍ଧା ୨୦ ପ୍ରତିଶତ ବୈଦ୍ୟୁତିକ ଯାନବାହନ ଚଳପ୍ରଚଳ ଲକ୍ଷ୍ୟ ରଖି ରାଜ୍ୟ ଇଭି ନୀତି ପ୍ରସ୍ତୁତ କରାଯାଇଛି । ରାଜ୍ୟ ସରକାର ବର୍ଦ୍ଧିତ ରିହାତି ମଧ୍ୟ ଦେଉଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।
ସେ ଆହୁରି କହିଛନ୍ତି, "କାଗଜ, କାଚ କିମ୍ବା ପରିବେଣ ଅନୁକୂଳ ଜିନିଷର ବ୍ୟବହାର ଉପରେ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଗୁରୁତ୍ୱାରୋପ କରିଛନ୍ତି । ପ୍ଲାଷ୍ଟିକ ପୃଥିବୀ ପାଇଁ ବହୁ କ୍ଷତିକାରକ । ଏହାର ବ୍ୟବହାରକୁ କମାଇବାକୁ ପଡ଼ିବ । ରାସ୍ତା ନିର୍ମାଣ ଅବା ସିମେଣ୍ଟ କାରଖାନାରେ ପ୍ଲାଷ୍ଟିକ ବ୍ୟବହାର ସହ ବ୍ୟାପକ ବନୀକରଣ ଉପରେ ରାଜ୍ୟ ସରକାର ପ୍ରାଧାନ୍ୟ ଦେଉଛନ୍ତି । କାର୍ଯ୍ୟକ୍ରମରେ ୧୭୩ ପ୍ରକୃତି ମିତ୍ର ଏବଂ ୧୮୭ ପ୍ରକୃତି ବନ୍ଧୁଙ୍କୁ ପୁରସ୍କୃତ କରାଯାଇଛି । ଏହାସହ ଛାତ୍ରଛାତ୍ରୀଙ୍କୁ ମଡେଲ ପ୍ରଦର୍ଶନୀ ପୁରସ୍କାର ପ୍ରଦାନ କରାଯାଇଛି । କୋରାପୁଟ ଜିଲ୍ଲାର ଆଦିତ୍ୟ ବିଶ୍ୱାସ, ଭଦ୍ରକ ଜିଲ୍ଲାର ମୁକ୍ତା ମଞ୍ଜରୀ ସାମଲ ଏବଂ ଗଜପତି ଜିଲ୍ଲାର ଦୀପିକା ପଣ୍ଡାଙ୍କୁ ମଡେଲ ପ୍ରଦର୍ଶନୀ ପୁରସ୍କାର ପ୍ରଦାନ କରାଯାଇଛି ।"
ଖାଦ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଆୟୋଜିତ ହାକାଥନର କୃତି ପ୍ରତିଯୋଗୀ ଏନଆଇଟି ରାଉରକେଲାର ଅଲିସା ଜାଫର, ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ଏବଂ ଆଇସିଏମଆର-ଆରଏମଆରସି, ଭୁବନେଶ୍ୱରର ଚିତ୍ତରଞ୍ଜନ ସାହୁ ଏବଂ ସିଏସଆଇଆର-ଆଇଏମ୍ଏମ୍ଟି ଭୁବନେଶ୍ୱରର ଅସ୍ମିତା ପାତ୍ରଙ୍କୁ ଯଥାକ୍ରମେ ୫୦ ହଜାର, ୩୦ ହଜାର ଏବଂ ୨୦ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି । ଏହି ଅବସରରେ ପରିବେଶ ଅଧ୍ୟୟନ କେନ୍ଦ୍ର ଦ୍ୱାରା ପ୍ରକାଶିତ ‘ଇକୋ କ୍ଲବ ବାର୍ଷିକ ବିବରଣୀ ୨୦୨୨-୨୩’ ଏବଂ ‘ମିଶନ ଲାଇଫ’ ପୁସ୍ତିକା ଓ ଆଞ୍ଚଳିକ ଉଦ୍ଭିଦ ଗବେଷଣା କେନ୍ଦ୍ର ଦ୍ୱାରା ପ୍ରକାଶିତ ‘ଫଙ୍ଗୀ ଅଫ୍ ଓଡ଼ିଶା’ ଏବଂ ‘ରିପ୍ରଡକସନ ଅଫ୍ ରେଟ୍ ଆଣ୍ଡ ସ୍ପେସିଆଲ ଗ୍ରୁପ୍ ଅଫ୍ ପ୍ଲାଣ୍ଟସ୍’ ପୁସ୍ତକ ଉନ୍ମୋଚିତ ହୋଇଛି ।
ଇଟିଭି ଭାରତ, ଭୁବନେଶ୍ବର