ଭୁବନେଶ୍ବର: ବାଲେଶ୍ବର ବାହାନଗା ଷ୍ଟେସନ ନିକଟରେ ଘଟିଥିବା ଭୟାବହ ଟ୍ରେନ ଦୁର୍ଘଟଣାର ଆସିଲା ପ୍ରାଥମିକ ରିପୋର୍ଟ । ଏହି ରିପୋର୍ଟ ଅନୁସାରେ ସିଗ୍ନାଲ ଫେଲ୍ ଯୋଗୁଁ ଭୟଙ୍କର ଦୁର୍ଘଟଣା ଘଟିଥିବା ନେଇ ସୂଚନା ଦିଆଯାଇଛି । ବେଙ୍ଗାଲୁରୁ-ହାୱାଡା ସୁପରଫାଷ୍ଟ ଏକ୍ସପ୍ରେସ, ଶାଲିମାର-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ ଓ ଗୋଟିଏ ମାଲବାହୀ ଟ୍ରେନ ମଧ୍ୟରେ ପୁରା ଦୁର୍ଘଟଣା ଘଟିଛି ବୋଲି ଓଡ଼ିଶା ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ପ୍ରାଥମିକ ରିପୋର୍ଟରେ ଦର୍ଶାଯାଇଛି ।
ବାଲେଶ୍ବର ଟ୍ରେନ ଟ୍ରାଜେଡିକୁ ନେଇ ଚାଲିଛି ଉଦ୍ଧାର କାର୍ଯ୍ୟ । କିପରି ଦୁର୍ଘଟଣା ଘଟିଲା ସେନେଇ ଚାଲିଛି ଉଚ୍ଚସ୍ତରୀୟ ତଦନ୍ତ । ଏହାରି ମଧ୍ୟରେ ୨୪ ଘଣ୍ଟା ନ ପୁରୁଣୁ ଆସିଛି ପ୍ରାଥମିକ ରିପୋର୍ଟ । ମିଳିତ ତଦନ୍ତକାରୀ ଟିମ ତା’ର ପ୍ରାଥମିକ ରିପୋର୍ଟରେ ସିଗ୍ନାଲ ଫେଲ ଯୋଗୁଁ ଏତେ ବଡ଼ ଘଟଣା ଘଟିଥିବା କହିଛନ୍ତି । ରିପୋର୍ଟରେ କୁହାଯାଇଛି ଯେ ମୁଖ୍ୟ ଲାଇନ ୧୨୮୪୧ ପାଇଁ କରମଣ୍ଡଳ ଏକ୍ସପ୍ରେସକୁ ସିଗ୍ନାଲ ଦିଆଯାଇଥିଲା । ତେବେ ହଠାତ ଏହାକୁ ଏହାକୁ ହଟାଇ ଦିଆଯାଇଥିଲା । କିନ୍ତୁ ସେତେବେଳକୁ ଟ୍ରେନଟି ଗୋଟିଏ ଲୁପ୍ ଲାଇନ ବା ସାଇଡ୍ ଲାଇନରେ ପ୍ରବେଶ କରିଯାଇଥିଲା ।
ଏହା ବି ପଢନ୍ତୁ- Odisha Train Tragedy: ସାଂସଦଙ୍କୁ ବରୁଣଙ୍କ ଅପିଲ, ଦରମାରୁ କିଛି ସାହାଯ୍ୟ କର
ଏହି ସମୟରେ ଲୁପ ଲାଇନରେ ପୂର୍ବରୁ ମାଲବାହୀ ଟ୍ରେନ ରହିଥିଲା । ଫଳରେ ଯାତ୍ରୀବାହୀ କରମଣ୍ଡଳ ଏକ୍ସପ୍ରେସ ଏହାକୁ ଖୁବ ଜୋରରେ ଧକ୍କା ଦେଇଥିଲା । ଏଥିଯୋଗୁଁ ଟ୍ରେନର ଏକାଧିକ ବଗି ଲାଇନଚ୍ୟୁତ ହୋଇଯାଇଥିଲା । ଏହି ସମୟରେ ୧୨୮୬୪ ଟ୍ରେନଟି ମୁଖ୍ୟ ଲାଇନରେ ଆସୁଥିଲା । ଏହି ଟ୍ରେନଟିର ୨ଟି ବଗି ମଧ୍ୟ କରମଣ୍ଡଳ ସହ ଧକ୍କା ହୋଇ ଲେଉଟି ପଡ଼ିଥିଲା । ଦୁର୍ଘଟଣାରେ ମୋଟ ୧୭ଟି ବଗି କ୍ଷତିଗ୍ରସ୍ତ ହୋଇଛି ବୋଲି ରିପୋର୍ଟରେ କୁହାଯାଇଛି । ବେଙ୍ଗାଲୁରୁ-ହାୱଡା ସୁପରଫାଷ୍ଟ ଏକ୍ସପ୍ରେସ, ଶାଲିମାର-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ ଓ ଗୋଟିଏ ମାଲବାହୀ ଟ୍ରେନ ମଧ୍ୟରେ ପୁରା ଦୁର୍ଘଟଣା ଘଟିଛି ।
ଏହା ବି ପଢନ୍ତୁ- Odisha Train Mishap: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ତାମିଲନାଡୁ ମନ୍ତ୍ରୀ
ଏଥିରେ ୨୬୧ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୯୦୦ ଜଣ ଆହତ ହୋଇଛନ୍ତି । ସୂଚନା ଥାଉ କି ଗତକାଲି ପ୍ରାୟ ସନ୍ଧ୍ୟା ସମୟରେ ବେଳେ ବାଲେଶ୍ବର ନିକଟରେ କରମଣ୍ଡଳ ଏକ୍ସପ୍ରେସର ୧୦ରୁ ୧୨ଟି ବଗି ଲାଇନଚ୍ୟୁତ ହୋଇଥିଲା । ଏହାପରେ ନିକଟବର୍ତ୍ତୀ ଟ୍ରାକରେ ବଗି ଗୁଡ଼ିକ ପଡ଼ି ଯାଇଥିଲେ । ବଗି ଗୁଡ଼ିକ ଟ୍ରାକରେ ପଡ଼ିଥିବା ବେଳେ ଯଶବନ୍ତପୁର-ହାୱଡା ଏକ୍ସପ୍ରେସ ଏଗୁଡ଼ିକୁ ଧକ୍କା ଦେଇଥିଲା । ଫଳରେ ଏହି ଟ୍ରେନର ୩ରୁ ୪ଟି ବଗି ମଧ୍ୟ ଧାରଣାରୁ ବାହାରି ଯାଇଥିଲା ।
କରମଣ୍ଡଳର କିଛି ବଗି ମଧ୍ୟ ଲାଇନଚ୍ୟୁତ ହୋଇ ମାଲବାହୀ ଟ୍ରେନରେ ମଧ୍ୟ ପିଟି ହୋଇଥିଲା । ଯାହା ଫଳରେ ବର୍ତ୍ତମାନ ସୁଦ୍ଧା ଯାତ୍ରୀଙ୍କ ଉଦ୍ଧାର କାର୍ଯ୍ୟ ଚାଲିଛି । ଅନେକ ଲୋକ ବଗି ତଳେ ଚାପି ହୋଇ ରହିଥିବା ଅନୁମାନ କରାଯାଉଛି । ଏବେବି ଚାଲିଛି ଉଦ୍ଧାର କାର୍ଯ୍ୟ । କିନ୍ତୁ ଏପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘଟଣା ସ୍ଥଳକୁ ଆସି ସ୍ଥିତି ସମୀକ୍ଷା କରିଛନ୍ତି । ଏହା ସହ ଏହି ଦୁର୍ଘଟଣାକୁ ନେଇ ଯେଉଁମାନଙ୍କର ଭୁଲ ରହିଛି ସେମାନଙ୍କ ଉପର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଜାତୀୟ ଗଣମାଧ୍ୟମ ସଂସ୍ଥା ପିଟିଆଇକୁ ମିଳିଥିବା ସୂଚନା ଅନୁସାରେ କରମଣ୍ଡଳ ଏକ୍ସପ୍ରେସକୁ ପ୍ରଥମେ ସିଗ୍ନାଲ ଅନୁସାରେ ଅଗ୍ରଗତି କରୁଥିଲା । ସିଗ୍ନାଲ ଅନୁଯାୟୀ କରମଣ୍ଡଳ ଏକ୍ସପ୍ରେସ ଅପ ଲାଇନରେ ଯିବା ପାଇଁ ସିଗ୍ନାଲ ମିିିଳିଥିଲା । ଏହାପରେ ସିଗ୍ନାଲ ଫେଲ ହୋଇଯିବା କାରଣରୁ କରମଣ୍ଡଳ ଟ୍ରାକ ବଦଳାଇ ଲୁପ ଲାଇନକୁ ଯାଇଥିଲା । ଏହି ଲୁପ ଲାଇନରେ ପୂର୍ବରୁ ମାଲବାହୀ ଟ୍ରେନ ରହିଥିଲା । ଫଳରେ ମାଲବାହୀ ଟ୍ରେନକୁ ଧକ୍କା ଦେଇଥିଲା କରମଣ୍ଡଳ । ଏହାପରେ ବଗିଗୁଡ଼ିକ ଦୁର୍ଘଟଣାଗ୍ରସ୍ତ ହୋଇ ଅନ୍ୟ ଟ୍ରାକରେ ପଡ଼ିଥିଲା ।
ଇଟିଭି ଭାରତ, ଭୁବନେଶ୍ବର