ଭୁବନେଶ୍ବର: ଶ୍ରୀମନ୍ଦିର ଗୁରୁତ୍ୱପୂର୍ଣ୍ଣ ଫାଇଲ ହଯିବା ଘଟଣା । ଭୁବନେଶ୍ୱର କ୍ୟାପିଟାଲ ଥାନାରେ ଏତଲା ଦେଲା ରାଜ୍ୟ ବିଜେପି। ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ଦଳ କ୍ୟାପିଟାଲ ଥାନାକୁ ଯାଇ ଏତଲା ଦେଇଛନ୍ତି । ଏତଲା ଦେଇ ବିଜେପି ଦାବି କରିଛି ଯେଉଁମାନେ ଏହି ଘଟଣାରେ ସଂପୃକ୍ତ ଅଛନ୍ତି ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।
ଏନେଇ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର । ସେ କହିଛନ୍ତି ଯେହେତୁ ସୁପ୍ରିମକୋର୍ଟ ବେଦାନ୍ତ ପ୍ରସଙ୍ଗରେ ଅନେକ ଟିପ୍ପଣୀ ଦେଇଥିଲେ । ରାଜ୍ୟ ସରକାରଙ୍କ ମୁଖା ଖୋଲିଥିଲେ। ହଜିଥିବା ଫାଇଲରେ ବିଭିନ୍ନ ତଳ କୋର୍ଟ ସମେତ ହାଇକୋର୍ଟ ଓ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବା ସମ୍ପର୍କରେ ତଥ୍ୟ ରହିଛି। ରତ୍ନଭଣ୍ଡାର ଚାବି ହଜିବା ଘଟଣା ସହ ଶ୍ରୀମନ୍ଦିର ସହ ଜଡିତ ବିଭିନ୍ନ ରହସ୍ୟଜନକ ତଥ୍ୟ ଏହି ଫାଇଲରେ ରହିଥିଲା। ରାଜ୍ୟ ସରକାର ବହୁ ଶ୍ରୀମନ୍ଦିରକୁ ନେଇ ବହୁ ବେଆଇନ କାମ କରୁଛନ୍ତି । ତେଣୁ ଯୋଜନାବଦ୍ଧ ଭାବେ ଏହି ଫାଇଲ ଗାଏବ କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନ ବହୁ ତଥ୍ୟ ଲୋକଲୋଚନରୁ ଦୂରେଇ ରଖିବା ପାଇଁ ଫାଇଲ ଚୋରି ହୋଇଥିବା କହୁଛି । ଏହା ଠାରୁ ବଡ଼ ଦୁର୍ଭାଗ୍ୟ ଜନକ ଘଟଣା ଆଉ କଣ ହୋଇପାରେ। ତେଣୁ ଆଜି କ୍ୟାପିଟାଲ ଥାନାରେ ଏତଲା ଦେଇଛୁ।
ଲଳିତେନ୍ଦୁ କହିଛନ୍ତି ବେଦାନ୍ତ ପ୍ରସଙ୍ଗରେ ଜଗନ୍ନାଥଙ୍କ ଜମି ଜାଲିଆତି ନେଇ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରିଛନ୍ତି । ଜମି ଅଧିଗ୍ରହଣ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ତ୍ରୁଟି ଥିବା ନେଇ ଅନେକ ପ୍ରତିକୂଳ ଟିପ୍ପଣୀ ଦେଇଛନ୍ତି ସୁପ୍ରିମକୋର୍ଟ। ତେଣୁ ସତ ଧରାପଡିଗଲେ ମୁଖ୍ୟମନ୍ତ୍ରୀ କିମ୍ବା ବଡ଼ ଅଧିକାରୀଙ୍କ ହସ୍ତକ୍ଷେପ ସାମ୍ନାକୁ ଆସିଯିବ । ସରକାରଙ୍କ ପାଇଁ ଅଡୁଆ ପରିସ୍ଥିତି ହେବ । ଜାଣିଶୁଣି ଏ ଫାଇଲ ଗୁଡିକୁ ହଜାଇ ଦିଆଯାଇଛି। ଯେଉଁ ଅଧିକାରୀ ମାନେ ଏଭଳି ଘଟଣାରେ ଦାୟୀ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିବା ପାଇଁ ଏତଲା ଦେଇଛୁ।
ଅନ୍ୟପଟେ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି ପୂର୍ବରୁ ରତ୍ନ ଭଣ୍ଡାର ଚାବି କୁଆଡେ ହଜିଗଲା । ଏବେ ଫାଇଲ ହଜିଲା, କଂଗ୍ରେସ ଦାବି କରିଥିଲା ରତ୍ନ ଭଣ୍ଡାର ଖୋଲାଯାଉ। ଫାଇଲ ହାଯିବା ଏକ ଦାୟିତ୍ୱ ହୀନତା ଲକ୍ଷଣ । ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରଣାଉ ନଚେତ କଂଗ୍ରେସ ଆଗକୁ ଏତଲା ଦେବ।
ସୂଚନାଯୋଗ୍ଯଯେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଜେଟିଏ)ର ଦୁଇଟି ଫାଇଲ (ଜେଟିଏ-୫୫/୨୦୦୬ ଓ ଜେଟିଏ-୦୬/୨୦୧୪)କୁ ରାଜ୍ୟ ଆଇନ ବିଭାଗ ବହୁ ଖୋଜାଖୋଜି କଲା ପରେ ମଧ୍ୟ ପାଇପାରୁ ନାହିଁ। ତେଣୁ ଆଇନ ବିଭାଗ ପକ୍ଷରୁ ହଜି ଯାଇଥିବା ଫାଇଲକୁ ଖୋଜିବାକୁ ବିଭାଗର ଉପ ସଚିବ ବିଭାଗର ସମସ୍ତ ଶାଖାକୁ ଚିଠି ଲେଖି ଅନୁରୋଧ କରିଛନ୍ତି । ଏହାହସହ ଫାଇଲ ମିଳିଲା କି ନାହିଁ ଜଣାଇବାକୁ କହିଛନ୍ତି । ଆଇନ ବିଭାଗ ପକ୍ଷରୁ ଚିଠିରେ କୁହାଯାଇଛି ଯେ, ଏକ ମାମଲା ନେଇ ହାଇକୋର୍ଟରେ ଜବାବ ଦାଖଲ କରିବା ଆବଶ୍ୟକ ଅଛି । ସେହି ଦୁଇଟି ଫାଇଲରେ ସେ ସମ୍ପର୍କିତ ତଥ୍ୟ ରହିଛି । ତେଣୁ ଅଗ୍ରାଧିକାର ଭିତ୍ତିରେ ନିଜ ନିଜ ସେକ୍ସନରେ ଫାଇଲ ଖୋଜିବାକୁ ଉଦ୍ୟମ କରାଯାଉ ।
ଇଟିଭି ଭାରତ, ଭୁବନେଶ୍ବର