ଭୁବନେଶ୍ବର: ଆସନ୍ତା ଜାନୁଆରୀରେ ଓଡ଼ିଶାରେ ଆୟୋଜିତ ହେବାକୁ ଯାଉଛି ହକି ବିଶ୍ବକପ ୨୦୨୩ (Hockey World Cup 2023) । ଏଥିପାଇଁ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ ଏବଂ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମ ପ୍ରସ୍ତୁତ । କିନ୍ତୁ ବିଶ୍ବକପ ହାତେଇବାକୁ ପ୍ରସ୍ତୁତ ଅଛି ତ ଟିମ ଇଣ୍ଡିଆ । କଣ ଆଶା କରାଯିବ ଭାରତ ଠାରୁ । ଏନେଇ ପୂର୍ବତନ ହକି ଖେଳାଳି ଲାଜାରୁସ ବାର୍ଲା ଓ କ୍ରୀଡା ସମୀକ୍ଷକ ସମ୍ବିତ ମହାପାତ୍ରଙ୍କ ସହ ଆଲୋଚନା କରିଛନ୍ତି ଇଟିଭି ଭାରତ ପ୍ରତିନିଧି ।
'ଭାରତ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ ଅଷ୍ଟ୍ରେଲିଆ'
ନିକଟରେ ଅଷ୍ଟ୍ରେଲିଆ ସହିତ ଖେଳାଯାଇଥିବା ଟେଷ୍ଟ ସିରିଜରେ ୧-୪ ରେ ହାରିଥିଲା ଟିମ ଇଣ୍ଡିଆ । ବିଶ୍ବକପକୁ ନେଇ ଭାରତଠାରୁ ଆଶା ଅନେକ । କାରଣ ୧୯୭୫ ମସିହା ପରେ ବିଶ୍ବକପ ହାତେଇବାରେ ସଫଳ ହୋଇନାହିଁ ଟିମ ଇଣ୍ଡିଆ । ୨୦୧୮ ବିଶ୍ବକପରେ କ୍ବାର୍ଟର ଫାଇନାଲରୁ ହିଁ ବିଦାୟ ନେବାକୁ ପଡିଥିଲା ଦଳକୁ । ଏବେ ଦଳର ସ୍ଥିତି ଯାହା ରହିଛି କ୍ରସ ଓଭର ଖେଳି ହେଉ ଅବା ଭଲ ପ୍ରଦର୍ଶନ କରି ଦଳ କ୍ବାର୍ଟର ଫାଇନାଲରେ ପହଞ୍ଚିଯିବ । ଅର୍ଥାତ ଦ୍ବିତୀୟ ପର୍ଯ୍ୟାୟରେ ଦଳ ପହଞ୍ଚିବା ପ୍ରାୟ ନିଶ୍ଚିତ । କିନ୍ତୁ ତାପରେ ଦଳ ପାଇଁ ରହିବ ଚ୍ୟାଲେଞ୍ଜ । ଦଳ ପାଇଁ ବଡ ଚ୍ୟାଲେଞ୍ଜ ହେବ ଅଷ୍ଟ୍ରେଲିଆ । ଦଳ ଯେହେତୁ ଶେଷ ଭାଗ ଆଡକୁ ଅଧିକ ଗୋଲ ଖାଉଛି ତେଣୁ ଦୁର୍ବଳ ରକ୍ଷଣ ଭାଗକୁ ସୁଦୃଢ କରିବାକୁ ପଡିବ । ଆଉ ପେନାଲଟି କର୍ନରକୁ ଗୋଲରେ ପରିଣତ କରିବାକୁ ପଡିବ ବୋଲି କହିଛନ୍ତି କ୍ରୀଡା ସମୀକ୍ଷକ ସମ୍ବିତ ମହାପାତ୍ର ।
'ଖେଳାଳିଙ୍କୁ ବହୁତ ପରିଶ୍ରମ କରିବାକୁ ପଡିବ'
ଅନ୍ୟପଟେ ପୂର୍ବତନ ଖେଳାଳି ଲାଜରାସ ବାର୍ଲା କହିଛନ୍ତି, "ବିଶ୍ବକପ ପୂର୍ବରୁ ପ୍ରୋ ଲିଗ ମ୍ୟାଚ ଗୁଡିକରେ ସଫଳ ପ୍ରଦର୍ଶନ କରିନାହିଁ ଭାରତ । ବିଶ୍ବକପ ହକିରେ ସଫଳ ହେବାକୁ ହେଲେ ଫରଓ୍ବାର୍ଡକୁ ସୁଦୃଢ କରିବାକୁ ପଡିବ । ବିଶେଷ କରି ବିଶ୍ବକପ ହକିରେ ଦବଦବା ଜାହିର କରିବାକୁ ହେଲେ ଖେଳାଳିମାନଙ୍କୁ ବହୁତ ପରିଶ୍ରମ କରିବାକୁ ପଡିବ ।"
୨୦୨୩ରେ ଓଡିଶାରେ ଖେଳାଯିବାକୁ ଥିବା ହକି ବିଶ୍ବକପରେ ଜାନୁଆରୀ ୧୩ ତାରିଖରେ ଭାରତ ତାର ପ୍ରଥମ ମ୍ୟାଚରେ ସ୍ପେନକୁ ଭେଟିବ । ଏହି ମ୍ୟାଚ୍ ରାଉରକେଲାରେ ଖେଳାଯିବ । ସେହିପରି ଜାନୁଆରୀ ୧୫ ତାରିଖରେ ଇଂଲଣ୍ଡ ବିପକ୍ଷରେ ଖେଳିବ ଭାରତ । ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଜାନୁଆରୀ ୧୯ରେ ଓ୍ବେଲସକୁ ଭେଟିବ ଟିମ ଇଣ୍ଡିଆ ।
ଇଟିଭି ଭାରତ, ଭୁବନେଶ୍ବର