ଭୁବନେଶ୍ବର: ୨୦୨୪ ନିର୍ବାଚନକୁ ନେଇ ରାଜ୍ୟ କଂଗ୍ରେସର ସମରସଜ୍ଜା । ୨୩ ବର୍ଷ ଧରି ଶାସନ କ୍ଷମତାଠାରୁ ଦୂରରେ ଥିବା କଂଗ୍ରେସ ଏବେ ସତ୍ତାକୁ ଆସିବା ପାଇଁ ପ୍ରସ୍ତୁତ କରିଛି ବ୍ଲୁ ପ୍ରିଣ୍ଟ । ତୃଣମୂଳ ସ୍ତରରୁ ସଂଗଠନକୁ ମଜଭୁତ କରିବା ଲାଗି ପିସିସିରେ ଆରମ୍ଭ ହୋଇଛି ନବକଳେବର । ଏହି କ୍ରମରେ ହାଇକମାଣ୍ଡ ପ୍ରଭାରୀ ପରିବର୍ତ୍ତନ କରିଛନ୍ତି । ଚେଲା କୁମାରଙ୍କ ବଦଳରେ ଏବେ ବରିଷ୍ଠ ନେତା ଅଜୟ କୁମାରଙ୍କୁ ପ୍ରଭାରୀ ଦାୟିତ୍ବ ନ୍ୟସ୍ତ କରିଛି ଦଳ । ଆଉ ପ୍ରଭାରୀ ପରିବର୍ତ୍ତନ ପରେ ଏବେ ପିସିସି ପରିବର୍ତ୍ତନକୁ ନେଇ କଂଗ୍ରେସର ଅନ୍ଦର ମହଲରେ ଚର୍ଚ୍ଚା ଜୋର ଧରିଛି ।
କଂଗ୍ରେସ ଦଳରେ ବଡ ଧରଣର ସାଂଗଠନିକ ପରିବର୍ତ୍ତନ ହୋଇଛି । AICC ରାଜ୍ୟ କଂଗ୍ରେସର ପ୍ରଭାରୀ ଏ. ଚେଲ୍ଲା କୁମାରଙ୍କୁ ପରିବର୍ତ୍ତନ କରି ଡ. ଅଜୟ କୁମାରଙ୍କୁ କଂଗ୍ରେସ ଦଳ ନୂତନ ପ୍ରଭାରୀ ଭାବରେ ଦାୟିତ୍ବ ଦେଇଛନ୍ତି । ଅଜୟ କୁମାର ହେଉଛନ୍ତି ପୂର୍ବତନ ଭାରତୀୟ ପୋଲିସ ସେବା ଅଧିକାରୀ । ଏହାସହ ସେ ଜାମସେଦପୁରରୁ ଲୋକସଭା ଆସନରୁ ସାଂସଦ ଭାବରେ ମଧ୍ୟ ନିର୍ବାଚିତ ହୋଇଥିଲେ । କଂଗ୍ରେସ ୱାର୍କିଂ କମିଟି ବା CWCର ସଦସ୍ୟ ମଧ୍ୟ ଅଛନ୍ତି ଡ଼ ଅଜୟ କୁମାର । ୨୦୧୪ରେ କଂଗ୍ରେସ ଦଳରେ ଯୋଗ ଦେଇଥିଲେ । ତାଙ୍କୁ ନାଗାଲାଣ୍ଡର ଦାୟିତ୍ବ ମଧ୍ୟ ଦଳ ଦେଇଥିଲା । ଏବେ ସେ ଲୋକସଭା ନିର୍ବାଚନ ସହ ଓଡ଼ିଶାରେ ସାଧାରଣ ନିର୍ବାଚନ ଥିବାରୁ ଓଡ଼ିଶାର ଦାୟିତ୍ବ ତାଙ୍କୁ ମିଳିଛି ।
ଏହା ବି ପଢନ୍ତୁ- '9ରୁ 90 ମିଶନ ଗଢ଼ିବ କଂଗ୍ରେସ': ପିସିସି ସଭାପତି ଶରତ ପଟ୍ଟନାୟକ
ଏନେଇ ପ୍ରତିକ୍ରିୟା ରଖି ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତ ରାୟ କହିଛନ୍ତି, "ଡ଼ ଅଜୟ ଜଣେ ଉପଯୁକ୍ତ ଲୋକ, ଶୃଙ୍ଖଳିତ, ଦକ୍ଷତା ସମ୍ପର୍ଣ୍ଣ ରାଜନେତା । ତାଙ୍କର ଆସିବା କ୍ଷଣି ଓଡ଼ିଶାରେ ପରିବର୍ତ୍ତନ ହେବ । ସଂଗଠନ ତୃଣମୁଳ ସ୍ତରରୁ ସୁଦୃଢ଼ ହେବ । ପାଇକ ଶୋଭାଯାତ୍ରା କରି ତାଙ୍କୁ ଓଡ଼ିଶାରେ ଅଭିବାଦନ ଦେଇ ଆଣିବୁ । ବୁଥ ସ୍ତରରେ ଏବେ କଂଗ୍ରେସ ଅଧିକ କ୍ରିୟାଶୀଳ ହେବ । ପିସିସି ସଭାପତି ପରିବର୍ତ୍ତନ ହେବେ କି ନାହିଁ ମୁଁ ଜାଣିନି, ସେମିତି କିଛି ଆଲୋଚନା ହୋଇନାହିଁ ।" ସେପଟେ ଏନେଇ ପ୍ରତିକ୍ରିୟା ଦେଇ ରାଜନୈତିକ ବିଶେଷଜ୍ଞ କହିଛନ୍ତି, " ନୂଆ ପ୍ରଭାରୀ ଆସିଲେ ନୂଆ ମୁଖିଆ ଆସିପାରନ୍ତି । ରାଜନୀତିରେ ସବୁ ସମ୍ଭବ ହେଲେ ନିର୍ବାଚନ ପାଖେଇ ଆସୁଥିବାରୁ ପିସିସି ସଭାପତି ପରିବର୍ତ୍ତନ ହେଲେ ଦଳର କ୍ଷତି ହେବ ।"
ଏହା ବି ପଢନ୍ତୁ- ବଦଳିଲେ ପିସିସି ପ୍ରଭାରୀ: ଚେଲ୍ଲା ଗଲେ, ଆସିଲେ ଅଜୟ
ସୂଚନା ଥାଉ କି ପୁରୁଣା ପ୍ରଭାରୀ ଡ଼ ଚେଲ୍ଲା କୁମାର ଓଡ଼ିଶାର ଦାୟିତ୍ବ ସେପ୍ଟେମ୍ବର ୨୦୨୦ରେ ନେବା ପରଠାରୁ ୭ଟି ଉପନିର୍ବାଚନରେ କଂଗ୍ରେସ ପରାସ୍ତ ହୋଇଛି । ନବନିଯୁକ୍ତ ପ୍ରଭାରୀ ଡ଼ ଅଜୟ କୁମାର ଜଣେ ଶୃଙ୍ଖଳିତ, ରାଜନୈତିକ ଦକ୍ଷତା ରହିଛି ସେ ଓଡ଼ିଶାରେ ଲୋକମାନଙ୍କ ସହ ମିସିପାରିବେ । ତେଣୁ ନୂଆ ପ୍ରଭାରୀ କଂଗ୍ରେସକୁ ଆଗକୁ ନେବେ । ପିସିସି ସଭାପତି ପରିବର୍ତ୍ତନ ହେଲେ ଦଳର ସାଂଗଠନିକ କ୍ଷେତ୍ର କ୍ଷୟ ହେବ କାରଣ ନିର୍ବାଚନ ଆଉ କମ ସମୟ ରହିଛି ।
ଇଟିଭି ଭାରତ, ଭୁବନେଶ୍ବର