ଭୁବନେଶ୍ବର: ଆସୁଛି ପର୍ଯ୍ୟଟନ ଋତୁ । ପର୍ଯ୍ୟଟକଙ୍କ ପାଇଁ କେତେ ପ୍ରସ୍ତୁତ ନନ୍ଦନ କାନନ ପ୍ରାଣୀ ଉଦ୍ୟାନ ? ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକଙ୍କ ଭିଡ ଜମେ ନନ୍ଦନ କାନନରେ । କିନ୍ତୁ ପର୍ଯ୍ୟଟକଙ୍କୁ ଖୁସି କରିବା ପାଇଁ କେତେ ତୟାର ଅଛି ଏହି ପ୍ରାଣୀ ଉଦ୍ୟାନ । ଜାଣିବା ପାଇଁ ଆମେ ପହଂଚିଥିଲୁ ନନ୍ଦନକାନନରେ ।
ତେବେ ଜାଣିବାକୁ ପାଇଲୁ ନନ୍ଦନକାନନରେ ଥିବା ବୋଟିଂ ବ୍ୟବସ୍ଥା ବନ୍ଦ ରହିଛି । ଏ ଦୃଶ୍ୟ ହେଉଛି ନୌକା ବିହାର ସ୍ଥଳର । ଛୋଟ ଛୋଟ ବୋଟ ଗୁଡିକ ପଡିରହି ନଷ୍ଟ ହୋଇଗଲାଣି । ପାଣିରେ ଦଳ ଭାସୁଛି । ଦଳକୁ ସଫା କରିବା ପ୍ରକ୍ରିୟା ଜାରି ରହିଛି । ଦଳର ପରିପୂର୍ଣ୍ଣ ଏହି ଅଂଚଳ କେବେ ନୌକା ବିହାର ପାଇଁ ଉପଯୋଗୀ ହେବ ତାହା ଏବେ ବଡ଼ ପ୍ରଶ୍ନ । ଖାଲି ସେତିକି ନୁହେଁ ଏ ଦୃଶ୍ୟ ହେଉଛି ରୋପ ଓ୍ବେର । ବୁଝୁ ବୁଝୁ ଜଣାପଡିଲା ରୋପ ଓ୍ବେ କାମ ଶେଷ ହୋଇଛି । କାଗଜପତ୍ର କାମ ମଧ୍ୟ ସରିଛି । କେବଳ ଚାଲିବାକୁ ଅପେକ୍ଷା ରହିଛି । ବୋଟିଂ ନହେବା ଏବଂ ରୋପ ଓ୍ବେ ବନ୍ଦ ରହିବାକୁ ନେଇ ପର୍ଯ୍ୟଟକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ଏଥର ପର୍ଯ୍ୟଟନ ଋତୁରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ କେତେକ ନୂଆ ଜୀବଜନ୍ତୁ ସ୍ଥାନ ପାଇଛି ନନ୍ଦନ କାନନରେ । ହୁଲକ ଗିବନ 4ଟି ରହିଛି । ଏହି ଗିବନ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରୁଛି । ଲିଓପାର୍ଡ, ଧଳା ବାଘ ଓ ସିଂହ ମଧ୍ୟ ଦର୍ଶକଙ୍କ ମନମୋହୁଛି । ତା ସାଙ୍ଗକୁ ରହିଛି ଜିରାଫ ଓ ହାତୀ । ଖାଲି ସେତିକି ନୁହେଁ ପକ୍ଷୀଙ୍କ ରାବ ମଧ୍ୟ ନନ୍ଦନକାନନ ପରିବେଶକୁ ମନ୍ତ୍ରମୁଗ୍ଧ କରୁଛି । ସ୍କ୍ବିରେଲ ମଙ୍କି, ତାମାରିନ ଅନ୍ୟତମ ଆକର୍ଷଣ । ସିମ୍ପାଜି ଦେଖିବାକୁ ଭିଡ । ଏହାରି ଭିତରେ ଟଏ ଚ୍ରେନର ବ୍ୟବସ୍ଥା । ଆପଣ ଯଦି ନନ୍ଦନ କାନନ ବୁଲିବାକୁ ଆସୁଛନ୍ତି ତେବେ ଟଏଟ୍ରେନର ମଜା ନେବାକୁ ଭୁଲନ୍ତୁ ନାହିଁ । ଏସବୁ ବୁଲି ଦେଖିବା ପରେ ସାମାନ୍ୟ କ୍ଲାନ୍ତି ଅନୁଭବ କଲେ ବିଶ୍ରାମ ନେବାର ବ୍ୟବସ୍ଥା ମଧ୍ୟ ରହିଛି । ସବୁ ଜୀବଜନ୍ତୁଙ୍କୁ ଦେଖିବା ପରେ ପର୍ଯ୍ୟଟକମାନେ ଖୁସି ଜାହିର କଲେ ମଧ୍ୟ କୋଉଠି ନା କୋଉଠି ଅସନ୍ତୋଷ ରହୁଛି ଅବ୍ୟବସ୍ଥାକୁ ନେଇ । ବୋଟିଂ ଓ ରେପ ଓ୍ବେର ଅବ୍ୟବସ୍ଥା ପର୍ଯ୍ୟଟକଙ୍କୁ ଆନ୍ଦୋଳିତ କରୁଛି ।
ଏପଟେ ନନ୍ଦନ କାନନ କର୍ତ୍ତୃପକ୍ଷ କହିଛନ୍ତି, ଏବେ ବୋଟିଂ ବ୍ୟବସ୍ଥାକୁ ତୁରନ୍ତ ଆରମ୍ଭ କରିବା ପାଇଁ ଦଳ ସଫା କାର୍ଯ୍ୟକୁ ତ୍ବରାନ୍ବିତ କରାଯାଉଛି । ରୋପ ଓ୍ବେ କାମ ସରିଗଲାଣି । କାଗଜପତ୍ରରେ ଅନୁମତି ମଧ୍ୟ ମିଳିସାରିଛି । କେବଳ ଆରମ୍ଭ ହେବାକୁ ଅପେକ୍ଷା ରହିଛି । ଚଳିତ ପର୍ଯ୍ୟଟନ ଋତୁରେ ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରିବା ପାଇଁ ନୂଆ ପଶୁପକ୍ଷୀଙ୍କୁ ଅଣାଯାଇଛି । କିଛି ଜୀବଜନ୍ତୁଙ୍କୁ ଦର୍ଶକଙ୍କୁ ଦେଖିବା ପାଇଁ ଛଡାଯାଇଥିବା ବେଳେ ଆଉ କିଛି କ୍ବାରେନଟିନରେ ଅଛନ୍ତି । ତେବେ ଟିକେଟ ବୁକିଂ ପାଇଁ ଆଉ ସମସ୍ୟା ନାହିଁ । ହ୍ବାଟସଅଫରେ ଟିକେଟ ବୁକିଂ କରିବା ସହଜ ହୋଇଛି ବୋଲି ସେ କହିଛନ୍ତି । 7671844856 ନମ୍ବରରେ ହେଲୋ ପଠାଇ ଟିକେଟ ବୁକିଂ କରିହେବ ।
ଶୀତ ପଡି ପଡି ଆସୁଥିବା ବେଳେ ଏବେ ନନ୍ଦନ କାନନରେ ଜୀବଜନ୍ତୁଙ୍କୁ ଦେଖିବା ପାଇଁ ଭିଡ ଆରମ୍ଭ ହୋଇଗଲାଣି । ଏ ଦୃଶ୍ୟ ହେଉଛି ଟିକେଟ କାଉଣ୍ଟରର । ଆଶା କରାଯାଉଛି ଅବ୍ୟବସ୍ଥାକୁ ସୁଧାରି ଖୁବଶୀଘ୍ର ବ୍ୟବସ୍ଥିତ ହେବ ବୋଟିଂ ଓ ରୋପ ଓ୍ବେ ।
ଏହା ମଧ୍ୟ ପଢନ୍ତୁ: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ହ୍ୱାଟସଆପରେ କରିହେବ ନନ୍ଦନକାନନ ଟିକେଟ ବୁକିଂ
ଇଟିଭି ଭାରତ, ଭୁବନେଶ୍ବର