ଖୋର୍ଦ୍ଧା: ବାଣପୁର ପୋଲିସ ଏକ ବଡ଼ ଧରଣର ଡକାୟତି ଯୋଜନାକୁ ପଣ୍ଡ କରିଛି । ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲା ସୀମାରେ ଅବସ୍ଥିତ ମାଣିକପୁର-ଅଙ୍ଗାର ଗାଁ ରାସ୍ତାରେ ଡକାୟତି ପାଇଁ ଯୋଜନା ଚଳାଇଥିବା ବେଳେ ବାଣପୁର ଓ ବାଲୁଗାଁ ପୋଲିସର ଏକ ଟିମ୍ ଆନ୍ତଃଜିଲ୍ଲା ଡକାୟତି ଦଳର ୬ ସଦସ୍ୟଙ୍କୁ ଗିରଫ କରିଛି । ହେଲେ ଅନ୍ୟ ୩ ଜଣ ଡକାୟତ ଫେରାର ହୋଇଯାଇଛନ୍ତି । ଗିରଫ ଡକାୟତଙ୍କ ଠାରୁ ପୋଲିସ ଗୋଟିଏ ବନ୍ଧୁକ ସମେତ ବ୍ୟାପକ ମାରଣାସ୍ତ୍ର ଜବତ କରିଛି । ଗୁରୁବାର ଅପରାହ୍ନରେ ବାଣପୁର ଥାନାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଖୋର୍ଦ୍ଧା ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟାରିଆ ଏହି ସୂଚନା ଦେଇଛନ୍ତି ଏବଂ ଫେରାର ୩ ଜଣଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ।
ଏସପିଙ୍କ ସୂଚନା ଅନୁସାରେ, ବାଲୁଗାଁ ନୂଆଗଡ଼ ଅଞ୍ଚଳର କୁଖ୍ୟାତ ନିଶାଦ୍ରବ୍ୟ ଚାଲାଣକାରୀ ମାନସ ପଲେଇ ଓରଫ ଚନ୍ଦ୍ର ନିଜର କେତେକ ସହଯୋଗୀଙ୍କ ସହ ଡକାୟତି ପାଇଁ ଯୋଜନା ଚଳାଇଥିବା ବୁଧବାର ରାତିରେ ପୋଲିସକୁ ଖବର ମିଳିଥିଲା । ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶକ୍ରମେ ବାଣପୁର, ବାଲୁଗାଁ ଓ ନାଚୁଣୀ ପୋଲିସ ଅଧିକାରୀଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଥିଲା । ବୁଧବାର ରାତି ପ୍ରାୟ ସାଢେ ୨ଟାରେ ଏହି ଟିମ୍ ଗଞ୍ଜାମ ଜିଲ୍ଲା ଉପକଣ୍ଠ ଶାଳିଆ ଡ୍ୟାମ ନିକଟସ୍ଥ ଏକ ପରିତ୍ୟକ୍ତ ଘରେ ଚଢ଼ଉ କରିଥିଲେ । ଚଢ଼ଉ ସମୟରେ ତିନି ଜଣ ଦୌଡି ପଳାଇଥିବା ବେଳେ ପୋଲିସ ୬ ଜଣଙ୍କୁ ଗିରଫ କରିଥିଲା ।
ଏହାମଧ୍ୟ ପଢନ୍ତୁ: ବିବାହରେ ଅତିଥି ବେଶରେ ସାମିଲ ହେଲେ ଲୁଟେରା, ମଉକା ଦେଖି ଉପହାର ବ୍ୟାଗ ନେଇ ଛୁ
ଗିରଫ ଅଭିଯୁକ୍ତମାନେ ହେଲେ ମାନସ ପଲେଇ, ଗଞ୍ଜାମ କୋଦଳା ଅଞ୍ଚଳର ଜିତେନ୍ଦ୍ର ପ୍ରଧାନ ଓ ଶିବରାମ ନାହାକ, ବାଣପୁର ଥାନା ନରେନ୍ଦ୍ରପୁରର ଆଦିତ୍ୟ ପ୍ରସାଦ ସୁବୁଦ୍ଧି, ସୁନାକେରା ଗ୍ରାମର ସନ୍ତୋଷ ବସ୍ତି ଏବଂ ନିରାକାରପୁର ଥାନା ଖଜୁରୀପଡ଼ା ଗ୍ରାମର ସେକ ଅରବାଜ । ସମସ୍ତ ଅଭିଯୁକ୍ତଙ୍କ ନାମରେ ଗଞ୍ଜାମ ଜିଲ୍ଲାର କୋଦଳା ଏବଂ ଖୋର୍ଦ୍ଧା ଜିଲ୍ଲାର ବାଣପୁର, ବାଲୁଗାଁ, ଟାଙ୍ଗୀ ଓ ନିରାକାରପୁର ଥାନାରେ ଏକାଧିକ ମାମଲା ରହିଛି ।
ଏହି ଅଭିଯୁକ୍ତମାନେ ମାଣିକପୁର-ଅଙ୍ଗାରଗାଁ ରାସ୍ତାରେ ବଡ ଧରଣର ଡକାୟତି କରିବା ପାଇଁ ଯୋଜନା ଚଳାଇଥିବା ବିଷୟ ତଦନ୍ତ ସମୟରେ ପୋଲିସ ଜାଣିବାକୁ ପାଇଥିବା ଆରକ୍ଷୀ ଅଧୀକ୍ଷକ ସୂଚନା ଦେଇଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଆରକ୍ଷୀ ଅଧିକ୍ଷକ କଟାରିଆଙ୍କ ସମେତ ବାଲୁଗାଁ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶୁଭ୍ରାଂଶୁ ଶେଖର ମିଶ୍ର, ବାଲୁଗାଁ ଆରକ୍ଷୀ ନିରୀକ୍ଷକ ରଶ୍ମିରଞ୍ଜନ ଦାଶ, ନାଚୁଣୀ ଆରକ୍ଷୀ ନିରୀକ୍ଷକ ଚନ୍ଦ୍ରଶେଖର ଜେନା ଏବଂ ବାଣପୁର ଥାନାଧିକାରୀ ଜୟପ୍ରକାଶ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ଖୋର୍ଦ୍ଧା