ଭୁବନେଶ୍ବର: ସ୍ଥଗିତ ରହିଲା ଶିଖରଚଣ୍ଡୀ ପାହାଡର ଜଳ ପ୍ରକଳ୍ପ କାର୍ଯ୍ୟ । ବିକାଶ ନାଁରେ ରାଜ୍ୟ ସରକାର ବିନାଶର କାର୍ଯ୍ୟ କରୁଥିଲେ ବୋଲି ଅଭିଯୋଗ ହୋଇଆସୁଥିଲା । ବିରୋଧ ପରେ ଆଜି ଶିଖରଚଣ୍ଡୀ ପାହାଡ଼ ପରିଦର୍ଶନ ସହ ସମୀକ୍ଷା କରିଛନ୍ତି ୪ ଜଣିଆ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ (NGT)ର ଟିମ । ପ୍ରକଳ୍ପକୁ ନେଇ ଆଗାମୀ ଦିନରେ NGT ସ୍ବତନ୍ତ୍ର ରିପୋର୍ଟ ଦେବାକୁ ଥିବା ବେଳେ ଶିଖରଚଣ୍ଡୀ ପାହାଡର ଜଳ ପ୍ରକଳ୍ପ କାର୍ଯ୍ୟ ସ୍ଥଗିତ ରହିଛି ।
ବିକାଶ ନାଁରେ ଗଛ ଏବଂ ପାହାଡ଼ ନ କାଟିବାକୁ ସ୍ଥାନୀୟ ଲୋକେ ଓ ପରିବେଶବିତ କହିଥିଲେ। ଆନ୍ଦୋଳନକାରୀ କହିଥିଲେ ଜାଗାରୁ ଇଞ୍ଚେ ଦିଆଯିବ ନାହିଁ । ବିରୋଧ ପରେ ସ୍ଥଗିତ ରହିଛି ଶିଖରଚଣ୍ଡୀ ପାହାଡ ଉପରେ ଜଳ ପ୍ରକଳ୍ପ କାର୍ଯ୍ୟ । ଶିଖରଚଣ୍ଡୀ ପାହାଡ ପରିଦର୍ଶନ ପରେ ଏ ନେଇ ସୂଚନା ଦେଇଛନ୍ତି ଏନଜିଟିର ୪ ଜଣିଆ ଦଳ । ଜୈବ ବିବିଧତାକୁ ନଷ୍ଟ କରି ଶିଖରଚଣ୍ଡୀ ପାହାଡ ଉପରେ ନିର୍ମାଣ କରାଯାଉଥିଲା ପାନୀୟ ଜଳ ପ୍ରକଳ୍ପ । ଏଥିପାଇଁ ଶିଖରଚଣ୍ଡୀ ପାହାଡ଼ ଉପରୁ କଟାଯାଇଛି ଶହ ଶହ ଗଛ । ଏମିତିକି ପାହାଡ଼ ମଧ୍ୟ କଟାଯାଇଛି। ଶିଖରଚଣ୍ଡୀ ମା'ଙ୍କ ପ୍ରାୟ ୨୧୨ ଏକର ଜମି ଉପରେ ଜାରି ରହିଥିଲା ଏହି ଉନ୍ନତି ମୂଳକ କାର୍ଯ୍ୟ ।
ସୂଚନା ମୁତାବକ ଏଠାରେ ସରକାରଙ୍କ ପକ୍ଷରୁ କୌଣସି ଫଳକ ଲାଗିନଥିଲା ତେଣୁ ଏହାକୁ ନେଇ ବିରୋଧ କରି ଆସୁଥିଲେ ସ୍ଥାନୀୟ ଲୋକେ । ସରକାରୀ କାର୍ଯ୍ୟରେ ସରକାରଙ୍କ ବିନା ଅନୁମତିରେ ଏ କାର୍ଯ୍ୟ ଗ୍ରହଣୀୟ ନୁହେଁ । ଏଥିସହ ଏହି ଜଙ୍ଗଲରେ ଦୀର୍ଘ ଦିନ ଧରି ଅନେକ ପଶୁ ପକ୍ଷୀ ମଧ୍ୟ ବାସ କରୁଥିଲେ । ଜଙ୍ଗଲକୁ କାଟିବା ଦ୍ବାରା ସେମାନେ ବାସହୀନ ହୋଇଯିବେ । ଏହାକୁ ନେଇ ସ୍ଥାନୀୟ ସରପଞ୍ଚ, କର୍ପୋରେଟର ଓ ଲୋକଙ୍କ ପକ୍ଷରୁ ବିରୋଧ ପରେ ମଧ୍ୟ କାର୍ଯ୍ୟକୁ ବନ୍ଦ କରାଯାଇନଥିଲା । ଆଜି ସ୍ଥାନୀୟ ଲୋକେ ଏହାକୁ ନେଇ ବିରୋଧ କରିଥିଲେ । ସ୍ଥାନୀୟ ଲୋକଙ୍କ ସହ ଆଜି ଏହି ଆନ୍ଦୋଳନରେ ପରିବେଶବିତ୍ ଓ ବିଧାୟକ ସୁର ରାଉତରାୟ ମଧ୍ୟ ଯୋଗ ଦେଇଥିଲେ ।
ଶେଷରେ ଏନଜିଟିର ୪ ଜଣିଆ ଦଳ ଆସି ଘଟଣାସ୍ଥଳରେ ସମୀକ୍ଷା କରି ପାନୀୟ ଜଳ ପ୍ରକଳ୍ପକୁ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଆଗାମୀ ବୈଠକ ପରେ ନିଷ୍କର୍ଷ ବାହାରିବ ବୋଲି କହିଛନ୍ତି NGT ଟିମ । କାର୍ଯ୍ୟ ଆରମ୍ଭ ସମୟରେ ଜଙ୍ଗଲ କ୍ଲିଅରାନ୍ସ ଓ ଲୋକଙ୍କ ଅନୁମତି ନିଆଯାଇନଥିଲା ବୋଲି ୱାଟକୋ ଅଧିକାରୀ ନିଜେ ସ୍ବୀକାର କରିଛନ୍ତି । NGT ଟିମ ସହ ଖୋର୍ଦ୍ଧା ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ, ଚନ୍ଦକା DFO ଶିଖରଚଣ୍ଡୀ ପାହାଡ଼ ବୁଲି ସ୍ଥିତି ସମୀକ୍ଷା କରିଛନ୍ତି । ରାଜଧାନୀରେ ଯେଉଁଭଳି ଭାବେ ଗଛ କଟା ଚାଲିଛି ତାହା ବେଆଇନ। ବିକାଶ ହେଉ କିନ୍ତୁ ତା ଆଳରେ ଶିଖରଚଣ୍ଡୀ ପାହାଡ ପରିବେଶର ବିନାଶ ନହେଉ। ଏତେ ସଂଖ୍ୟକ ଗଛ ନଷ୍ଟ ହେବ ପରିବେଶ ଉପରେ ବେଶ ଖରାପ ପ୍ରଭାବ ପକାଇବ। ତେଣୁ ଏକାର୍ଯ୍ୟ ବନ୍ଦ ହେଉ ବୋଲି ଦାବି କରିଛନ୍ତି ବିଧାୟକ ସୁରେଶ ରାଉତରାୟ।
ଇଟିଭି ଭାରତ, ଭୁବନେଶ୍ବର